କେନ୍ଦ୍ରାପଡ଼ା: ‘ଭାଲେଣ୍ଟାଇନ୍‌ ଡେ’ରେ ଜୀବନ ହାରିଲେ କଲେଜ ପଢୁଆ ପ୍ରେମୀଯୁଗଳ

କେନ୍ଦ୍ରାପଡ଼ା: ‘ଭାଲେଣ୍ଟାଇନ୍‌ ଡେ’ରେ ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲାରେ ଯୁକ୍ତ ୨ ପଢୁଥିବା ୨ ଜଣ କଲେଜ ଛାତ୍ରଛାତ୍ରୀଙ୍କ ଜୀବନ ଦୀପ ଲିଭି ଯାଇଛି। ପ୍ରେମୀଯୁଗଳଙ୍କ ମଧ୍ୟରୁ ନାବାଳକ ଛାତ୍ର ଜଣକ ୩ ଦିନ ତଳେ ବିଷ ପିଇ ଥିବା ବେଳେ ଆଜି ନାବାଳିକା ଛାତ୍ରୀ ଜଣକ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛି। ତିନି ତଳେ ଛାତ୍ର ଜଣକ ବିଷ ପିଇବା ପରେ ତାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ବୁଧବାର ରାତି ଛାତ୍ରର ମୃତ୍ୟୁ ଘଟିଥିଲା।

ଛାତ୍ରଙ୍କ ମୃତଦେହ ଆଜି ସକାଳୁ ନିଜ ଗାଁରେ ପହଂଚିଥିଲା ଓ ଏକଥା ଛାତ୍ରୀ ଜଣକ ଜାଣିବା ପରେ ନିଜେ ମଧ୍ୟ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା।

ରିପୋର୍ଟ ଅନୁସାରେ ନିକିରେଇ କଲେଜର ଛାତ୍ରୀ ଝୁନା ମଲିକ ଓ ଜଇପୁର ଗାଁର କଲେଜ ଛାତ୍ର ତୋଫାନ ମଲିକଙ୍କ ମଧ୍ୟରେ ଦୀର୍ଘ ଦିନରୁ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। କୋର ଗାଁରେ ଝୁନାର ଘର ହୋଇଥିବା ବେଳେ ଚକଡ଼ା ବାରଙ୍ଗ ଓସ୍ତପୁର ନିବାସୀ ବୈଷ୍ଣବ ମଲିକଙ୍କ ପୁଅ ଥିଲେ ତୋଫାନ। ପାରିବାର ଦ୍ୱାରା ଯୁବକ-ଯୁବତୀଙ୍କ ପ୍ରେମକୁ ସ୍ୱୀକୃତି ନ ମିଳିବା ପରେ ସେମାନେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।

ସମ୍ବନ୍ଧିତ ଖବର