ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ଗଣପର୍ବ ଶାରଦୀୟ ଦୁର୍ଗାପୂଜା ଉତ୍ସାହ ଉଦ୍ଦୀପନାର ସହ ଶେଷ ହୋଇଛି। ରାଜନଗର ଦେବୀ ଘରେ ମାଆ ଦୁର୍ଗାଙ୍କର ଗତକାଲି ଜୟା, ବିଜୟା ଓ ଅପରାଜିତା ପୂଜା ସହିତ ବିସର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା। ସମୂହ ପୁଷ୍ପାଞ୍ଜଳି ସହିତ ମାଆଙ୍କର ବିସର୍ଜନ ପୂଜା ସମାପନ ହୋଇଥିଲା। ଆଜି ମା’ଙ୍କୁ ହଂସୁଆ ନଦୀରେ ମେଲାଣି ଦିଆଯାଇଛି।
ପରମ୍ପରା ଅନୁଯାୟୀ ଗୋପାଳ ସଂପ୍ରଦାୟର ଲୋକେ ମା’ଙ୍କୁ କାନ୍ଧରେ ବୋହି ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀକୂଳରେ ପହଁଚାଇଥିଲେ। ଘଂଟଘଂଟା ଓ ପାରମ୍ପାରିକ ବାଦ୍ୟ ସହିତ ହରିବୋଲ ହୁଳହୁଳି ଧ୍ୱନୀରେ ମାଆଙ୍କୁ ମେଲାଣି ଦିଆଯାଇଛି। ହଂସୁଆ ନଦୀରେ ଥିବା ସୁସଜ୍ଜିତ ନୌକାରେ ମା’ ବସି ସାତ ଘେରା ଚାପ ଖେଳିଥିଲେ। ମାଆ ନଦୀରେ ସାତ ଘେରା ଚାପ ଖେଳିବା ପରେ ମେଲାଣି ନେଇଛନ୍ତି।
ମା’ ଦୁର୍ଗାଙ୍କ ସହିତ ଗଳିଦାଣ୍ଡର ବନଦୁର୍ଗା, ସାନବଡଗୋପାଳପୁରର ମା’ଶାରଳା, ମାଛ ମାର୍କେଟର ମା’ଗଙ୍ଗାମାତା ଓ ପୁରୁଣା ବଜାରର ହରଗୌରୀ ମୃଣ୍ମୟ ମୂର୍ତିକୁ ସୁସଜ୍ଜିତ ନୌକାରେ ଚାପଖେଳ ମାଧ୍ୟମରେ ମେଲାଣି ଦିଆଯାଇଛି। ସାରା ଓଡିଶାରେ ବିରଳ ଏହି ଜଳପଥରେ ଭଷାଣି ଉତ୍ସବ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ନଈ ମଧ୍ୟରେ ଭଜନ କୀର୍ତନ ପାରମ୍ପାରିକ ବାଦ୍ୟ ସହିତ ମା’ ଓ ଦେବାଦେବୀଙ୍କୁ ମେଲାଣି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ।
#ବିଦାୟ_ନେଉଛନ୍ତି_ମାଆ_ଦୁର୍ଗା
— Sambad (ସମ୍ବାଦ) (@sambad_odisha) October 3, 2025
କେନ୍ଦ୍ରାପଡ଼ା: ରାଜନଗରରେ ମେଲାଣି ନେଉଛନ୍ତି ମାଆ । ହଂସୁଆ ନଦୀ ମଝିରେ ମା'ଦୁର୍ଗତିନାଶିନୀଙ୍କ ମେଲାଣି ପର୍ବ ।#Sambad#Kendrapara#DurgaPuja2025#JayMaaDurga#Odishapic.twitter.com/B0z15zs7CU
ଦୀର୍ଘ ୧ କିମି ବ୍ୟାପି ନଈ ମଧ୍ୟରେ ସାତ ଘେରା ଚାପ ଖେଳିବା ପରେ ମା’ଙ୍କୁ ମେଲାଣି ଦିଆଯାଇଛି। ଆଜିର ଏହି ଭସାଣୀ ଶୋଭାଯାତ୍ରାରେ ଶାନ୍ତି କମିଟିର ସଭାପତି ତଥା ତହସିଲଦାର ଯୀଶୁକୃଷ୍ଣ ଦାସ, ଶ୍ରୀ ଶ୍ରୀ ଶାରଦୀୟ କମିଟିର ସ୍ଥାୟୀ ସଭାପତି ତଥା ରାଜନଗର ଆଇଆଇସି ନରେଶ କୁମାର ସାହୁ, ଶାରଦୀୟ ଦୁର୍ଗାପୂଜା କମିଟିର ସଂପାଦକ ପ୍ରଭାତ ଚନ୍ଦ୍ର ମିଶ୍ର, ନାରାୟଣ ମାହୁନ୍ତ, ରମେଶ ଚନ୍ଦ୍ରଲାଲ, ବିଜୟ କୁମାର ଗୁପ୍ତା, ଜୟଦୁର୍ଗା ବଣିକ ସଂଘର ସଭାପତି ବାଇଧର ସେଠୀ, ଅନିରୁଦ୍ଧ ପରିଡ଼ା, ନୃସିଂହ ଚରଣ ଲେଙ୍କା, ପ୍ରମୁଖ ସାମିଲ ହୋଇଥିଲେ। ରାଜନଗରରେ ମାଆ ଦୁର୍ଗାଙ୍କ ଭସାଣୀ ନିଆରା ଓ ଓଡ଼ିଶା ପ୍ରସିଦ୍ଧ।
Kendrapara | Durga Puja