କେନ୍ଦ୍ରାପଡ଼ା: କାର୍‌ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ମୃତକଙ୍କ ୨ୟ ସ୍ତ୍ରୀ ବୋଲି ଦାବି କଲେ ମହିଳା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା-ମାର୍ଶାଘାଇ ରୋଡ଼ରେ ବୁଧବାର ଏକ କାର (ଓଡି ୦୨ଏଏମ୍‌ ୭୦୬୩) ମୁହାଁମୁହିଁ ଧକ୍କା ଦେବାରୁ ମାର୍ଶାଘାଇ ଥାନା ଅନ୍ତର୍ଗତ ଦରବଚ୍ଛା ଗାଁର ସୁରେଶ ଚନ୍ଦ୍ର ମଲ୍ଲଙ୍କ ଏକମାତ୍ର ପୁଅ ଭାରତ ଭୂଷଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ମାର୍ଶାଘାଇ ପୁଲିସ ଭାରତକୁ ହସ୍ପିଟାଲ ନେଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ପରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ପୂର୍ବରୁ ବିବାଦ ଦେଖାଯାଇଛି।

ପରିବାର ଲୋକେ ମୃତଦେହ ନେବା ପୂର୍ବରୁ ନିଜକୁ ଭାରତ ଭୂଷଣ ମଲ୍ଲଙ୍କ ୨ୟ ସ୍ତ୍ରୀ ବୋଲି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଂଚଳର ଜଣେ ମହିଳା ଦାବି କରିଛନ୍ତି। ତିର୍ତ୍ତୋଲ ଥାନା ଅନ୍ତର୍ଗତ ହଳଦିଆ ଗାଁର ରମେଶ ଚନ୍ଦ୍ର ଦାସଙ୍କ ଝିଅ ତପସ୍ପିନୀ ଦାସ ଦାବି କରିଛନ୍ତି ଯେ, ମୁଁ ୫ ବର୍ଷ ତଳେ ଭାରତଙ୍କୁ କୋର୍ଟରେ ବିବାହ କରିଛି। ଭାରତ ଏବଂ ମୋର ଗୋଟିଏ ଦେଢ଼ ବର୍ଷର ପୁଅ ଅଛି। ମହିଳା ଜଣକ କହିଛନ୍ତି, ମୁଁ ମୋର ଦେଢ଼ ବର୍ଷର ପୁଅକୁ ଭାରତଙ୍କ ଘରକୁ ନେଇ ଯିବା ଆସିବା କରିବା ସମସ୍ତେ ଜାଣିଛନ୍ତି, ତେଣୁ ସ୍ୱାମୀଙ୍କ ମୃତଦେହ ଉପରେ ମୋର ସଂପୂର୍ଣ୍ଣ ଅଧିକାର ଅଛି। ରିପୋର୍ଟ ଲେଖାଯିବା ବେଳକୁ ବିବାଦୀୟ ସ୍ଥଳରେ ପୂର୍ବତନ ସାଂସଦ ମୋହନ ଜେନା ମଧ୍ୟ ଉପସ୍ଥିତ ଥିଲେ। ପୁଲିସ, ହସ୍ପିଟାଲ କର୍ତ୍ତୃପକ୍ଷ, ଭଦ୍ରଲୋକଙ୍କ ଉପସ୍ଥିତିରେ ବୁଝାମଣା ହେବା ପରେ ଉଭୟ ପକ୍ଷରଲୋକେ ମୃତଦେହ ହସ୍ପିଟାଲରୁ ନେଇଛନ୍ତି।

ସୂଚନାଯୋଗ୍ୟ ବାଇକ ଦୁର୍ଘଟଣାରେ ମୃତ ଭାରତ ୧୯୯୮ରେ ପୁଷ୍ପଲତା ମଲ୍ଲଙ୍କୁ ବିବାହ କରିଥିଲେ। ପୁଷ୍ପଲତା ଏବଂ ଭାରତଙ୍କ ଗୋଟିଏ ପୁଅ ଅଛି। ଉଭୟ ମା’-ପୁଅ ବର୍ତ୍ତମାନ ପଣ୍ଡିଚେରୀସ୍ଥିତ ଅରବିନ୍ଦ ଆଶ୍ରମରେ ରହୁଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ପୁଷ୍ପଲତା ତାଙ୍କର ଆଧାରକାର୍ଡ ଏବଂ ଅନ୍ୟ ପ୍ରମାଣପତ୍ରର ଜେରକ୍ସ କପି ତାଙ୍କର ସଂପର୍କୀୟଙ୍କୁ ପଠାଇଛନ୍ତି। ଅନ୍ୟପଟରେ ଚର୍ଚ୍ଚା ହେଉଛି। ଭାରତ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଥିଲେ କିନ୍ତୁ ଏହି ମାମଲା କୋର୍ଟରେ ବିଚାରାଧିନ ଥିଲା।

ସମ୍ବନ୍ଧିତ ଖବର