କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲାରେ ମାର୍କଫେଡ୍ ମହାଦୁର୍ନୀତିକୁ ନେଇ ସୃଷ୍ଟି ହୋଇଛି ମହାଭାରତ। ନକଲି ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ ହୋଇଛି । ଏହି ଦୁର୍ନୀତିରେ ସ୍ଥାନୀୟ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ଦାୟୀ କରି ଗତକାଲି ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ ପ୍ରେସମିଟ୍ କରିଥିଲେ। ଆଜି ବିଧାୟକ ଅଂଶୁମାନ, ଧ୍ରୁବ ସାହୁଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ।
ଏହି ପ୍ରସଙ୍ଗକୁ ଆଜି ବିଧାନସଭାରେ ଉଠାଇବାକୁ ଅଣ୍ଟା ଭିଡିଥିଲା କଂଗ୍ରେସ। ଏପରିକି ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଦାବି କରିଥାନ୍ତା ଦଳ। ହେଲେ ପ୍ରଶ୍ନକାଳରେ ମହାନଦୀ ପ୍ରସଙ୍ଗ ଉଠାଇ ସରକାରୀ ଦଳର ସଦସ୍ୟ ଜାଣିଶୁଣି ବିଭ୍ରାଟ ସୃଷ୍ଟି କରିଥିବା ଅଭିଯୋଗ କରିଛି କଂଗ୍ରେସ । ଯାହାକୁ ନେଇ ତୁମ୍ବିତୋଫାନ ବି ଦେଖିବାକୁ ମିଳିଥିଲା। ସେପଟେ ଦଳୀୟ ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତି, କ୍ରାଇମବ୍ରାଂଚ୍ କିମ୍ବା ଭିଜିଲାନ୍ସ ତଦନ୍ତ କରାଗଲେ କେନ୍ଦ୍ରାପଡାରେ ମାର୍କଫେଡ୍ ଦୁର୍ନୀତିର ସତ ପଦାକୁ ଆସିପାରିବ। ଗତକାଲି କିନ୍ତୁ ଧ୍ରୁବ ସାହୁ ଅଙ୍ଗୁଳି ଦେଖାଇଥିଲେ ଅଂଶୁମାନଙ୍କ ଆଡକୁ ।
ମାର୍କଫେଡ୍ ହେଉଛି ଏକ ସଂସ୍ଥା ତଥା ବଜାର ନିୟନ୍ତ୍ରିତ କମିଟି। ଚାଷୀଙ୍କଠାରୁ ଧାନ କିଣି ମିଲରଙ୍କୁ ବିକ୍ରି କରିଥାଏ ଏହି ସଂସ୍ଥା। ତେବେ ଅଭିଯୋଗ ଅନୁସାରେ, ଧ୍ରୁବ ସାହୁ କିଛି ନକଲି ଚାଷୀଙ୍କ ତାଲିକା ତିଆରି କରି ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା।