ଠାକୁରାଣୀଙ୍କ ସହ ବିବାହ କରନ୍ତି ମଣିଷ, ବିବାହ ପରେ ସ୍ୱାମୀଙ୍କର ହୋଇଥିଲା ମୃତ୍ୟୁ

ରାଜକନିକା: ଠାକୁରାଣୀଙ୍କ ସହ ମଣିଷର ବିବାହ, କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଥା ସମ୍ପୂର୍ଣ୍ଣ ସତ | କେନ୍ଦ୍ରାପଡାର ରାଜକନିକା ବ୍ଲକ ବଜରପୁର ଗାଁରେ କାହିଁ କେଉଁକାଳରୁ ଏଭଳି ବିବାହ ଅନୁଷ୍ଠିତ ହୋଇଆସୁଛି | ମା ବାସୁଳିଙ୍କ ସହିତ କୁମ୍ଭାର ରାଜା ବଳିଙ୍କର ଏହି ବିବାହ ଉତ୍ସବରେ ୨୨ଖଣ୍ଡ ମୌଜାର ଲୋକମାନେ ସାମିଲ ହୋଇଥାନ୍ତି |

କିମ୍ବଦନ୍ତୀ ଅନୁସାରେ କନିକା ରାଜ ବଂଶର ରାଜଧାନୀ ଥିଲା ବଜ୍ରଗଡ଼ | ଏହି ଅଞ୍ଚଳଟି ସମ୍ପୂର୍ଣ୍ଣ ଜଙ୍ଗଲ ଥିଲା | ଏହି ଜଙ୍ଗଲରେ ମା ବାସୁଳି ସୁନ୍ଦରୀ ଯୁବତୀ ରୂପରେ ଜଙ୍ଗଲରେ ବୁଲୁଥିଲେ | ଏହି ସମୟରେ ବୈତରଣୀ ନଦୀର ଅପର ପାର୍ଶ୍ୱର ରିଘାଗଡ଼ ଅଞ୍ଚଳକୁ ରାଜୁତି କରୁଥିଲେ କୁମ୍ଭାର ରାଜା ବଳରାମ ବେହେରା | ସେ ପ୍ରତିଦିନ ବଜ୍ରଗଡ଼ ଜଙ୍ଗଲକୁ ଶିକାର କରିବାକୁ ଆସିଥାନ୍ତି | ସେ ମା ଙ୍କର ରୂପରେ ବିମୋହିତ ହୋଇ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ | ଦେବୀ ବିବାହ କରିବା ପାଇଁ ସର୍ତ୍ତଟିଏ ରଖିଥିଲେ | କହିଥିଲେ ଯେ ମୋ ସହିତ ବିବାହ କଲେ ତୁମର ବିବାହ ଦିନ ମୃତ୍ୟୁ ହେବ | ବଳି ରାଜା ଏଥିରେ ରାଜି ହୋଇଥିଲେ |

ବିବାହ ପରେ ବଳି ରାଜାଙ୍କର ପାତାଳି ହୋଇଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା | ସେହି ପ୍ରଥା ଅନୁସାରେ ପ୍ରତି ବର୍ଷ ଅଗିରା ପୂର୍ଣ୍ଣିମା ଦିନ ରିଘାଗଡ଼ ଅଞ୍ଚଳରୁ କୁମ୍ଭାର ରାଜା ବଳିଆ ବେହେରା ଓ ତାଙ୍କ ଭାଇ କାଳିଆ ବେହେରାଙ୍କ ପ୍ରତି ମୂର୍ତ୍ତି ବଜରପୁର ଗାଁ କୁ ଆସିଥାଏ | ବର ବେଶରେ ଗାଁ ବୁଲିବା ସହିତ ବାଜା ବାଣରେ ୨୨ ଖଣ୍ଡ ମୌଜା କମ୍ପିଥାଏ | ମା ଙ୍କ ବିବାହ ନ ସରିବା ପର୍ଯ୍ୟନ୍ତ ୨୨ଖଣ୍ଡ ମୌଜାରେ ପୁଅ ଝିଅମାନଙ୍କର ବିବାହ ହୋଇନଥାଏ | ମା ଙ୍କୁ ଯାହା ମନାସିଲେ ତାହା ପୂରଣ ହୋଇଥାଏ ବୋଲି ଲୋକମାନଙ୍କ ମନରେ ବିଶ୍ୱାସ ରହିଛି |

ସମ୍ବନ୍ଧିତ ଖବର