ନାରାୟଣପୁର-ଅଜଗରପାଟିଆ ରାସ୍ତା ମରାମତି:୧୦ ବର୍ଷରେ ୧୦ କୋଟି ଲୁଟ୍‌!

ରାଜନଗର: ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତବାସୀଙ୍କ ଏକମାତ୍ର ଓ ମୁଖ୍ୟ ଗମନାଗମନ ରାସ୍ତା ନାରାୟଣପୁର-ଅଜଗରପାଟିଆ ରାସ୍ତା ଶୋଚନୀୟ ହୋଇପଡ଼ିଛି। ର’ ଠ’ କାମ କରି ଗତ ୧୦ ବର୍ଷ ଭିତରେ ପ୍ରାୟ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରାଯାଇଛି। ମାତ୍ର ଖାଲ ଭରିବାକୁ ନାହିଁ। ଅବସ୍ଥା ଏମିତି ହୋଇଛି ଗାଡିମଟର ଦୂରର କଥା ଚାଲିକରି ଯିବା ମଧ୍ୟ କଷ୍ଟସାଧ୍ୟ ।
ନାରାୟଣପୁର-ଅଜଗରପାଟିଆ ୯କିମି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମଧ୍ୟରୁ ୨ କିମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କାମ କରାଯାଇଛି। ଏହାବାଦ ୩ କିମି ୨ ଶହ ମିଟର ରାସ୍ତା ଟେଣ୍ଡର ମାଧ୍ୟମରେ ୫ ବର୍ଷ ହେଲା କାମ ଚାଲିଛି। ଏହି ୩ କିମି ୨ଶହ ମିଟର ରାସ୍ତାରେ କାମ ସରି ନ ଥିବା ବେଳେ ରାସ୍ତାରେ ପିଚୁ ସବୁ ଉଠିସାରିଲାଣି। ଅବଶିଷ୍ଟ ୩ କିମି ୮ ଶହ ମିଟର ରାସ୍ତାରେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୧୦ କୋଟି ଟଙ୍କା ର’ ଠ’ ପିଚୁ ଘସି ଲୁଟ୍‌ କରାଯାଇଛି। ରାସ୍ତାରେ ୩ ଇଞ୍ଚର ଡଷ୍ଟ, କଳା ମେଣ୍ଟାଲ୍‌ ରୋଲିଂ କରାଯିବା ସହ ୧ ଇଞ୍ଚର ଚିପ୍‌ସ ଭଜା (କାର୍ପେଟ) ଓ ବଜୁରିରେ ପିଚୁ ଗୋଳାଯାଇ ସିଲକୋଟିଂ କାମ କରାଯାଇଥିବା ଦର୍ଶାଯାଇଛି।

ମାତ୍ର ପ୍ରକୃତପକ୍ଷେ ମେଣ୍ଟାଲ୍‌ ଦିଆ ନ ଯାଇ କେବଳ ପିଚୁ ଘସି ଠିକାଦାର-ନେତା-ଯନ୍ତ୍ରୀ ମିଳିମିଶି ପ୍ରାୟ ୧୦ କୋଟି ଟଙ୍କା ଗତ ୧୦ ବର୍ଷରେ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖାସ୍‌ ସେହି କାରଣରୁ ପିଚୁ ଉପରେ ଘାସ ଉଠିଗଲାଣି। ଏହି ୩ କିମି ୮ଶହ ମିଟର ରାସ୍ତାରେ ଗତ ୩ ବର୍ଷରେ ୨ କୋଟି ଟଙ୍କାର ବିଲ୍‌ କରାଯାଇଛି। ଟେଣ୍ଡର ବଦଳରେ ଏଫ୍‌-୨ ମାଧ୍ୟମରେ ମିଥ୍ୟା ବିଲ୍‌ କରାଯାଇଛି। ମାତ୍ର ଏହି ରାସ୍ତାରେ ଏବେ ଯା’ ଆସ କରି ହେଉନି। ରାସ୍ତା ସାରା ଖାଲି ଖାଲ ଆଉ ଖାଲ। କେଉଠି ଦୁଇ ଫୁଟ ଗଭୀର ଖାଲ ତ’ ଆଉ କେଉଁଠି ମଟର ସାଇକଲ୍‌ ଚକ ଗଳିପଡିବା ଭଳି ଖାଲ ସୃଷ୍ଟି ହୋଇଛି। ବର୍ଷା ସମୟରେ ଏହି ଖାଲ ଗୁଡିକରେ ପାଣି ଭରି ରହୁଛି। ରାସ୍ତାରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି।
ଉକ୍ତ ରାସ୍ତାକୁ ବିଭାଗ ତରଫରୁ ପିଚୁ କରାଯାଇଥିବା ଦର୍ଶାଯାଇଛି। ମାତ୍ର ଅଧିକାଂଶ ସ୍ଥାନରେ ପିଚୁ ରାସ୍ତାରେ ଆଣ୍ଠୁଏ ଲେଖାଏଁ କାଦୁଅ ରହିଛି। ଏହି ରାସ୍ତା ରଂଗଣୀ, କେରୁଆଁପାଳ ପଞ୍ଚାୟତର ୧୬ ହଜାର ଲୋକଙ୍କ ଏକମାତ୍ର ଗମନାଗମନ ମାଧ୍ୟମ। ଏହା ଉପରେ ୨ଟି ପଞ୍ଚାୟତବାସୀ ନିର୍ଭରଶୀଳ। ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ରାସ୍ତା ସାରା କେବଳ ଖାଲ ସୃଷ୍ଟି ହେବା ଘଟଣା ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଚାଲିଥିବା ଆଖିବୁଜା ଦୁର୍ନୀତିକୁ ସାମ୍ନାକୁ ଆଣିଛି। ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁଣାଧର ସାମଲଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରି ଦେଇଥିଲେ।

ସମ୍ବନ୍ଧିତ ଖବର