ନୂଆ ବର୍ଷର ନୂଆ ଚାଲେଞ୍ଜ୍‌ ଅପରାଧୀ ଧରିବ ‘ଫିନିକ୍ସ’

କେନ୍ଦ୍ରାପଡ଼ା: ଜିଲ୍ଲାରେ ୪ ବର୍ଷ ହେଲା ସନ୍ଧାନୀ କୁକୁର ନ ଥିଲେ। ଡଗ୍‌ ସ୍କ୍ଵାଡ୍‌ ବ୍ୟବସ୍ଥା ସ୍ଥାଣୁ ହୋଇ ପଡ଼ିଥିଲା । ଏବେ ଏହି ସମସ୍ୟା ପୂରା କରିବ ‘ଫିନିକ୍ସ’ । ଲାବ୍ରାଡୋର ମେଲ୍‌ ଶ୍ରେଣୀଭୁକ୍ତ ସନ୍ଧାନୀ କୁକୁର କେନ୍ଦ୍ରାପଡ଼ାରେ ପହଞ୍ଚିଛି। ତା’ର ବୟସ ମାତ୍ର ଦେଢ଼ ବର୍ଷ । ବୁଦ୍ଧିଆ ଯେମିତି ଅପରାଧୀଙ୍କୁ ଠାବ କରିବାରେ ସେମିତି ମାହିର ।
ମଧ୍ୟପ୍ରଦେଶ ଗୋଆଲିଅର୍‌ସ୍ଥିତ ନ୍ୟାସନାଲ ଟ୍ରେନିଂ ସେଣ୍ଟର ଫର୍‌ ଡଗ୍‌ସ(ଏନଟିସିଡି)ରେ ୯ ମାସ ତାଲିମ ନେବା ପରେ ସଫଳତାର ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି । ଗତ ମାସ ୧୬ ତାରିଖରେ ଓଡ଼ିଶା ପାଇଁ ପାସ୍‌ ଆଉଟ୍‌ ହୋଇଥିବା ୪ ସନ୍ଧାନୀ କୁକୁରଙ୍କ ମଧ୍ୟରେ ଏହି ଉନ୍ନତ ପଞ୍ଝାଯୁକ୍ତ କ୍ଷୀପ୍ର ବୁଦ୍ଧିମାନ ଫିନିକ୍ସ ଟପ୍ପର ହୋଇଥିଲା। ଅନ୍ୟ କିଛି ଅଫିସର୍‌ଙ୍କ ପାଇଁ କ୍ୱାର୍ଟର ନ ଥିଲେ ହେଁ ତା ପାଇଁ ଟାଉନ୍‌ ଥାନା ସନ୍ନିକଟ କ୍ୱାର୍ଟର ପ୍ରସ୍ତୁତ ହୋଇ ସାରିଛି । ସାଙ୍ଗରେ ଆସିଛନ୍ତି କେୟାର ଟେକର୍‌ ବସ୍‌ ହ୍ୟାଣ୍ଡଲର କନେଷ୍ଟବଲ ମନୋଜ କୁମାର ସିଂହ। ଫିନିକ୍ସ ସହ ପାସ୍‌ଆଉଟ୍‌ ହୋଇ ଥିବା ଅନ୍ୟ ୩ ସନ୍ଧାନୀ କୁକୁର କଳାହାଣ୍ଡି,କେନ୍ଦୁଝର ଓ ରାୟଗଡ଼ରେ ନିଯୁକ୍ତି ପାଇଛନ୍ତି। ଫିନିକ୍ସର ଦୈନନ୍ଦିନ ଖାଦ୍ୟ ମେନୁ ହେଲା ଅଧି କିଲୋ ଖାସି ମାଂସ, ୨୫୦ ଗ୍ରାମ ଚାଉଳ, ୨୦୦ ଗ୍ରାମ ପନିପରିବା । ରାତି ପାଇଁ ୨୫୦ ଗ୍ରାମ ଅଟାରେ ପ୍ରସ୍ତୁତ ୪ଟି ରୁଟି, ଅଧା ଲିଟର କ୍ଷୀର ଓ ଗୋଟିଏ ସିଝା ଅଣ୍ଡା ।

ନିକଟରେ ଚୋରି ହୋଇଥିବା ସଖୀବଟରେ ଆଜି ପ୍ରଥମ ପରୀକ୍ଷାର ସମ୍ମୁଖୀନ ହୋଇଥିଲା ଫିନିକ୍ସ । ତେବେ ସେ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଟ୍ରାକ୍ସରେ ଯାଇଥିଲା । ଯେତିକି ବାଟ ଯାଇଥିଲା ସେଥିରୁ ପୁଲିସ୍‌ ପାଇଁ ଚୋରଙ୍କ ସମ୍ପର୍କରେ କିଛି ସୁରାକ୍‌ ମିଳିଛି । ଯାହାକୁ ନେଇ ପୁଲିସ୍‌ ତଦନ୍ତ ଆଗକୁ ବଢ଼ିଛି । ଚୋରମାନେ ଅଧିକ ଚାଲାକ୍‌ ହେଉଥିବାରୁ ଗ୍ଲୋବ୍‌ସ ବ୍ୟବହାର କରି ଖସି ପଳାଉଛନ୍ତି । ଆଗାମୀ ଦିନରେ ଫିନେକ୍ସ ପାଇଁ ଅପରାଧ ଦୁନିଆ କେନ୍ଦ୍ରାପଡ଼ା ଜିଲ୍ଲା ବଡ଼ ଚାଲେଞ୍ଜ ହେବ । ଆବଶ୍ୟକ ପଡ଼ିଲେ ଯାଜପୁର, ଜଗତସିଂହପୁର କିମ୍ବା କଟକରୁ ସନ୍ଧାନୀ କୁକୁରକୁ ବ୍ୟୟ ବହୁଳ ଓ ସମୟସାପେକ୍ଷ ହେଉଥିଲା। ୨୦୧୧ରେ ଏକ ସନ୍ଧାନୀ କୁକୁର ମୃତ୍ୟୁ ହୋଇଥିଲା । କିନ୍ତୁ ପୁଲିସ୍‌ ରେକର୍ଡ଼ରେ ୨୦୧୩ ପର୍ଯ୍ୟନ୍ତ ଏଠାରେ ସନ୍ଧାନୀ କୁକୁର ଥିବା ଦର୍ଶା ଯାଇଥିଲା । ୧୯୯୩ରୁ ଅବିଭକ୍ତ କଟକ ଜିଲ୍ଲାରୁ କେନ୍ଦ୍ରାପଡ଼ା ଅଲଗା ହେବା ପରେ ଏଠାରେ ଡଗ୍‌ ସ୍କ୍ଵାଡ଼୍‍ର ଆବଶ୍ୟକତା ରହି ଆସିଛି । ଜିଲ୍ଲାର କ୍ରମବର୍ଦ୍ଧିଷ୍ଣୁ ଅପରାଧରେ ଏହି ଡଗ୍‌ସ୍କ୍ଵାଡ୍‌ କିପରି ସଫଳ ହେଉଛି ତାହା ଲକ୍ଷ୍ୟ କରିବାର କଥା ।

ସମ୍ବନ୍ଧିତ ଖବର