ଅମ୍ଫାନ ରିଲିଫ୍‌ ଖତ ଖାଇବା ଘଟଣା : କେବଳ ରିଲିଫ୍‌ ଚୁଡ଼ା-ଗୁଡ଼ ନୁହେଁ; ବିସ୍କୁଟ୍‌ ବି ବାଣ୍ଟି ନାହାନ୍ତି

ବିସ୍କୁଟ୍‌ ବି ବାଣ୍ଟିଲେନି

କେକନ୍ଦ୍ରାପଡ଼ା: କେବଳ ରିଲିଫ୍‌ ଚୁଡ଼ା-ଗୁଡ଼ ନୁହେଁ; ବିସ୍କୁଟ୍‌ ବି ବାଣ୍ଟି ନାହାନ୍ତି। ପେଟି ପେଟି ବିସ୍କୁଟ୍‌ କେନ୍ଦ୍ରାପଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ପଡ଼ି ନଷ୍ଟ ହେଉଛି। ଆଜି ‘ସମ୍ବାଦ’ ଟିମ୍‌ ବ୍ଲକ୍‌ କାର୍ଯ୍ୟାଳୟକୁ ଯାଇ ଖୋଳତାଡ଼ କରିବା ପରେ ଏଭଳି ଚକିତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି। ବିସ୍କୁଟ୍‌ ପେଟିଗୁଡ଼ିକୁ ଗୋଟିଏ ଘରେ ଥାକ ମାରି ତାଲା ପକାଇ ଦିଆଯାଇଥିବା ବେଳେ ଗୁଡ଼କୁ ଲୁଚାଇ ରଖିବା ପାଇଁ ସିଡ଼ି ତଳେ ପୂରାଇ ଦିଆଯାଇଛି। ମାତ୍ର ଗୁଡ଼ରୁ ଉତ୍କଟ ଗନ୍ଧ ବାହାରିବା ସା˚ଗକୁ ଭଣଭଣ ମାଛି ଆଉ ମାଳମାଳ ପିମ୍ପୁଡ଼ି, ଜନ୍ଦା କର୍ତ୍ତୃପକ୍ଷଙ୍କ ଏ ଚାଲାଖିକୁ ଧରାପକାଇ ଦେଇଛି।

ଚୁଡ଼ା ଯଦି ପ୍ରକୃତରେ ଖରାପ ଥିଲା; ତା’ହେଲେ ଗୁଡ଼ ଓ ବିସ୍କୁଟ୍‌ କାହିଁକି ବଣ୍ଟାଗଲା ନାହିଁ ବୋଲି ପ୍ରଶ୍ନ ପଚରାଯିବାରୁ ବିଡିଓ ସୁଧୀର ସି˚ହଙ୍କ କିଛି କହିପାରି ନଥିଲେ। ବିଡିଓଙ୍କ ରହସ୍ୟମୟ ନିରବତା ସୂଚାଇ ଦେଇଛି ଯେ ବାସ୍ତବରେ ଚୁଡ଼ା ଖରାପ ନ ଥିଲା; ବର˚ ବାଣ୍ଟି ନ ପାରିବାର ଅପାରଗତାକୁ ଲୁଚାଇବା ପାଇଁ ରିଲିଫ୍‌ ଖରାପ କହି ଦୋଷ ଖସାଇବାର ଅପଚେଷ୍ଟା କରାଯାଇଛି। ହେଲେ ଯେତେ ଲୁଚାଇଲେ ବି ସବୁ ସତ ପଦାକୁ ଆସିଯାଇଥିବାରୁ ଜିଲ୍ଳାପାଳ ଅବହେଳାକାରୀଙ୍କ ବିରୋଧରେ କି’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତାରି ଉପରେ ସଭିଙ୍କ ନଜର ରହିଛି।

ଗତ ମେ’ ଅମ୍ପାନ୍‌ ବାତ୍ୟାରେ ଏହି ରିଲିଫ୍‌ ବ୍ଲକ୍‌କୁ ଆସିଥିଲା। ଯୋଗାଣ ବିଭାଗ ଖୋଲା ବଜାରରୁ ଚୁଡ଼ା, ଗୁଡ଼ ଓ ବିସ୍କୁଟ୍‌ କିଣି ଯୋଗାଇ ଦେଇଥିଲା। ଯେଉଁ ବ୍ଲକ୍‌ର ବିଡିଓ ଯେତିକି ଆବଶ୍ୟକତା ଦର୍ଶାଇ ମାଗିଥିଲେ, ସେହି ପାରିମାଣର ସବୁ ବ୍ଲକ୍‌କୁ ଯୋଗାଣ ହୋଇଥିଲା। ସମୁଦାୟ ଜିଲ୍ଲା ପାଇଁ ୧୧୬୫.୪୩କୁଇଣ୍ଟାଲ୍‌ ଚୁଡ଼ା, ୧୧୯.୨୯କୁଇଣ୍ଟାଲ୍‌ ଗୁଡ଼ ଏବ˚ ୧୧୮୮କାର୍ଟୁନ୍‌ ବିସ୍କୁଟ୍‌ କିଣିଯାଇଥିବା ବେଳେ ସେଥିରୁ କେନ୍ଦ୍ରାପଡ଼ା ବ୍ଲକ୍‌କୁ ବିଡିଓଙ୍କ ଆବଶ୍ୟକତା ମୁତାବକ ୧୩୧.୩୧କୁଇଣ୍ଟା‌ଲ ଚୁଡ଼ା, ୧୩.୮୦କେଜି ଗୁଡ଼ ଏବ˚ ୧୩୩କାର୍ଟୁନ୍‌ ବିସ୍କୁଟ୍‌ ଦିଆଯାଇଥିଲା।

ମାତ୍ର, ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳା ପାଇଁ ଏବେ ବ୍ଲକ୍‌ କାର୍ଯ୍ୟାଳୟରେ ପାଖାପାଖି ୧୫କୁଇଣ୍ଟାଲ୍‌ରୁ ଅଧିକ ଚୁଡ଼ା, ତିନି ବସ୍ତା ଗୁଡ଼ ଏବ˚ ୨୦ରୁ ଅଧିକ ପେଟି ବିସ୍କୁଟ୍‌ ନଷ୍ଟ ହେଉଛି। ଯେତିକି ବିସ୍କୁଟ୍‌ ନଷ୍ଟ ହେଉଛି, ତା’ଠୁ ବହୁ ଅଧିକ ପେଟି ବିସ୍କୁଟ୍‌ କୁଆଡେ଼ ଗାଏବ୍‌ କରିଦିଆଯାଇଥିବା ଅଭିଯୋଗ ଉଠୁଛି। ଅଥଚ, ହଜାର ହଜାର ବିପନ୍ନଙ୍କୁ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ରିଲିଫ୍‌ରୁ ବ˚ଚିତ ରଖାଯାଉଛି। ଉଲ୍ଲେଖନୀୟ କଥା ହେଉଛି, ରିଲିଫ୍‌ ଗୁଡ଼ ଓ ବିସ୍କୁଟ୍‌କୁ ବ୍ଲକ୍‌ କାର୍ଯ୍ୟାଳୟର ଦୁଇମହଲା ଘରେ ଲୁଚାଇ ରଖାଯାଇଥିଲା।

ମାତ୍ର ଗୁଡ଼ରେ ପିମ୍ଫୁଡ଼ି, ଜନ୍ଦା ସହ ପ୍ରବଳ ମହୁମାଛି ଲାଗି ଭିତର ଅପରିଷ୍କାର ହେବାରୁ ଗୁଡ଼କୁ ଆଣି ସିଡ଼ି ତଳେ ରଖାଯାଇଥିଲା, ଯେମିତି କେହି ଦେଖି ପାରିବେ ନାହିଁ। ମାତ୍ର ସେଠାରୁ ଉତ୍କଟ ଗନ୍ଧ ସହ ମାଛି ଭଣଭଣ ଉଡ଼ୁଥିବାରୁ ଗୁଡ଼ ପଚୁଥିବା ଜଣାପଡ଼ିଥିଲା। ଏଭଳି ସ୍ଥିତିରେ ବିଡିଓ ଚୁଡ଼ା ଖରାପ କହି ଦୋଷ ଖସାଇବାକୁ ଉଦ୍ୟମ କରୁଥିଲେ ହେଁ, ଗୁଡ଼ ଓ ବିସ୍କୁଟ୍‌ କାହିଁକି ବଣ୍ଟାଗଲାନି ପ୍ରଶ୍ନରେ ଉତ୍ତର ନ ଦେଇ ମଉନ ରହିବା ଘଟଣା ପ୍ରତ୍ୟକ୍ଷ ଭାବେ ଚରମ ଅବହେଳା ତଥା ଦାୟିତ୍ବହୀନତାକୁ ପଦାରେ ପକାଇ ଦେଇଛି। ଖାଲି ସେତିକି ନୁହେଁ, ବିଡିଓଙ୍କ କହିବାନୁଯାୟୀ ଯଦି ଚୁଡ଼ା ଓଦା ହୋଇଯାଇଥିଲା, ତା’ହେଲେ ଗଲା ୬ମାସ ହେଲା କିପରି ପିମ୍ଫି ମାରି ନାହିଁ? ପ୍ରକୃତରେ ଓଦା ଥିଲେ ତ ଏତେବେଳକୁ ଚୁଡ଼ା ସ˚ପୂର୍ଣ୍ଣ ନଷ୍ଟ ହୋଇ ମାଟିରେ ମିଶି ସାରନ୍ତାଣି।

ଏଣୁ ଘଟଣାକୁ ଯେତେ ଘୋଡ଼ାଇବାକୁ ଚେଷ୍ଟା କଲେ ବି ଅବହେଳା ତଥା ଦାୟିତ୍ବହୀନତା ଜଳଜଳ ସାମ୍ନାକୁ ଆସିଯାଉଥିବାରୁ କର୍ତ୍ତୃପକ୍ଷଙ୍କ ସବୁ ବାହାନା ଧରା ପଡ଼ିଯାଉଛି। ବିରୋଧୀ ବିଜେପି ଓ କ˚ଗ୍ରେସ ବି ଏହାକୁ ପ୍ରସଙ୍ଗ କରି ପ୍ରଶାସନର ବିଫଳତାକୁ ଟାର୍ଗେଟ୍‌ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ଏଣୁ କୌଣସି ପ୍ରକାର ଦୁର୍ନୀତି ତଥା ଅବହେଳା ଉପରେ ଶୂନ୍ୟ ସହନଶୀଳତା(ଜିରୋ ଟଲରାନ୍ସ) ନୀତି ଅବଲମ୍ବନ କରାଯାଉଥିବା କଥା କହୁଥିବା ଜିଲ୍ଲାପାଳ ରିଲିଫ୍‌ ବଣ୍ଟନ କ୍ଷେତ୍ରରେ ହୋଇଥିବା ଏପ୍ରକାର ଚରମ ଦାୟିତ୍ବହୀନତା ଓ ସମ୍ବେଦନଶୂନ୍ୟ କାମକୁ ନେଇ କି’ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାର ବିଷୟ ହୋଇଛି

ସମ୍ବନ୍ଧିତ ଖବର