ବୃଦ୍ଧାଙ୍କୁ ହତ୍ୟା ସନ୍ଦେହ, ପୁଅ ଅଟକ

ଡେରାବିଶ: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଗୋଲରାହାଟ ପଞ୍ଚାୟତର ଦୁମୁକା ଗ୍ରାମରେ ଜଣେ ବୃଦ୍ଧାଙ୍କର ଗତକାଲି ରାତିରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି। ସିଡ଼ିରୁ ଖସିପଡ଼ି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି ବୋଲି ସ୍ବାମୀ ଏତଲାରେ ଉଲ୍ଲେଖ କରିଥିବା ବେଳେ ସ୍ଥାନୀୟ ଲୋକଙ୍କ ଚର୍ଚାକୁ ଆଧାର କରି ପୁଲିସ ହତ୍ୟା ମାମଲା ରୁଜୁ କରି ବୃଦ୍ଧାଙ୍କ ପୁଅକୁ ଅଟକ ରଖି ପଚରାଉଚୁରା କରୁଛି।
ଗ୍ରାମର ବସନ୍ତ କାଣ୍ଡି ଏତଲାରେ ଦର୍ଶାଇଛନ୍ତି ଯେ, ତାଙ୍କ ପତ୍ନୀ ବାସନ୍ତୀ(୬୧)ଆଜି ସକାଳେ ପୁଅ କରିଥିବା କୁକୁଡା ଫାର୍ମର ଛପରରେ ଚଢୁଥିବା ବେଳେ ସିଡିରୁ ଖସି ପଡିଥିଲେ। ଏହି ସମୟରେ ତଳେ ରଖାଯାଇଥିବା କୋଦାଳ ଉପରେ ପଡିଯିବାରୁ ତାଙ୍କ ମୁଣ୍ତର ଗୋଟିଏ ପାର୍ଶ୍ବ କଟି ଯାଇଥିଲା। ତୁଳସୀଙ୍କୁ ପ୍ରଥମେ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବସନ୍ତଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ହେଲେ, ଅ˚ଚଳରେ ହେଉଥିବା ଭିନ୍ନ ଭିନ୍ନ ଚର୍ଚ୍ଚାକୁ ନେଇ ଘଟଣାର ସତ୍ୟାସତ୍ୟ ଜାଣିବାକୁ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବୃଦ୍ଧାଙ୍କ ଘରକୁ ଯାଇ ଘଟଣାସ୍ଥଳରେ ତଦନ୍ତ କରିବା ସହିତ ସ୍ବାମୀ, ପୁଅ, ପରିବାରର ଅନ୍ୟ ସଦସ୍ୟ ଓ ପଡୋଶୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲା। ସମସ୍ତଙ୍କ ବୟାନ ଫରକ୍‌ ଓ ସନ୍ଦେହାସ୍ପଦ ହେବାରୁ ପୁଲିସ ଘଟଣାର ଅନୁସନ୍ଧାନ ପାଇଁ ଜିଲ୍ଲା ସାଇଣ୍ଟିଫିକ ବିଭାଗକୁ ଖବର ଦେଇଥିଲା। ବିଭାଗୀୟ ଅଧିକାରୀ ଆଦିତ୍ୟ ନାୟକଙ୍କ ନେତୃତ୍ବରେ ‌େଫାରେନସିକ ଦଳ ପହଞ୍ଚି ଯାଞ୍ଚ କରିବା ସହିତ ରକ୍ତ ନମୂନା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ପୁଲିସ ଏହି ଘଟଣାରେ ଦଫା ୩୦୨ରେ ମାମଲା(୧୭୦/୧୮)ରୁଜୁ କରିବା ସହିତ ମୃତକଙ୍କ ଏକମାତ୍ର ପୁଅ ତପନ(୩୪)ଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଶବ ବ୍ୟବଚ୍ଛେଦ ପରେ ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ତଦନ୍ତ ଦାୟିତ୍ବରେ ଥିବା ଥାନାଧିକାରୀ ସୁଧୀର କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର