କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ସହରର ଭଗବାନପୁର ମୈାଜାର ମହାପୁରୁଷ ସିଦ୍ଧ ଦାସ ମନ୍ଦିରର ଏକମାତ୍ର ପୁଷ୍କରିଣୀ ଜମିକୁ ଜୋର ଜବରଦସ୍ତି ପୋତି ନିଜ ଜମିକୁ ରାସ୍ତା ନିର୍ମାଣ କାମକୁ ପ୍ରଶାସନ ପକ୍ଷରୁ ବେଦଖଲ କରାଯାଇଛି । ରାଜସ୍ବ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ତହସିଲଦାର ଡ.ହେମଲତା ବାହାଲିଆ ଆଜି ସେହି ବେଆଇନ ରାସ୍ତାକୁ ବୁଲଡୋଜର ଲଗାଇ ଖୋଳି ଦେଇଛନ୍ତି । ସେହିପୋଖରୀ କୂଳରେ ବେଆଇନ ଭାବେ ଜମା ଥିବା ଚିପ୍ସ ଓ ବଜୁରୀକୁ ଉଠାଇବା ପାଇଁ ପୂର୍ବରୁ ତହସିଲଦାର ନୋଟିସ କରିଥିଲେ ମଧ୍ୟ ତାହା କରାନଯିବାରୁ ଆଜି ସେହି ସ୍ଥାନରେ ନାଲି ପତାକା ମାରି ନିଲାମ ଡାକିବାକୁ ପଦକ୍ଷେପ ନେଇଥିଲେ । ତେବେ ସଂପୃକ୍ତ ଠିକାଦାର ତଥା ପୂର୍ବତନ କାଉନସିଲର ତହସିଲଦାରଙ୍କୁ ଅନୁରୋଧ କରିବାରୁ ୫ହଜାର ଟଙ୍କାର ଜରିମାନା ଦେଇ ତୁରନ୍ତ ସେ ସ୍ଥାନ ଖାଲି କରି ସେସବୁ ବାଜ୍ୟାପ୍ତରୁ ନିସ୍ତାର ପାଇଥିଲେ।ଏହି ଘଟଣା ସହରରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଭଗବାନପୁର ମୌଜାର ଖାତା ନମ୍ବର ୧୫୭ରେ ଥିବା ପ୍ଲଟ ନମ୍ବର ୨୧୪ କିସମ ଦେବସ୍ଥଳୀ ଥାଇ ଶ୍ରୀବଳଦେବଜିଉଙ୍କ ପାଦପଦ୍ମ ବିଜେସ୍ଥଳି ବୋଲି ମନ୍ତବ୍ୟ ନୋଟ ଥିବା ଏବଂ ଭଗବାନପୁର ଗ୍ରାମର ମହାପୁରୁଷ ସିଦ୍ଧ ଦାସ ମନ୍ଦିରର ଏକମାତ୍ର ପୁଷ୍କରିଣୀ ଭାବେ ବ୍ୟବହୃତ ହେଉଥିବା ପୋଖରୀକୁ ରାଜସ୍ବ ନିରୀକ୍ଷକଙ୍କୁ ହାତବାରିସୀ କରି ପୂର୍ବତନ କାନସିଲର ଜଣକ ତାହା ଜୋର ଜବରଦସ୍ତି ଅକ୍ତିଆର କରିବା ଉଦ୍ଦେଶ୍ୟରେ ପୋତି ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ ହୋଇଥିଲା।
ଏ ସମ୍ପର୍କରେ ଶତାଧିକ ଗ୍ରାମବାସୀ ତତ୍କାଳୀନ ଜିଲ୍ଲାପାଳ ରଘୁଜୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ କେନ୍ଦ୍ରାପଡା ତହସିଲଦାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହିତ ଶ୍ରୀଜିଉଙ୍କ ପାଦପଦ୍ମ ପୋଖରୀ ପୋତିବା ବେଆଇନ୍ ବୋଲି କହିଥିଲେ। ଏହାପରେ ପୋଖରୀ ପୋତା ବନ୍ଦ ହୋଇଯାଇଥିବା ବେଳେ ଜିଲ୍ଲାପାଳ ରଘୁଜୀଙ୍କ ବଦଳି ପରେ ସେହି ବିଲଡର ଜଣକ ପୁଣି ପୋଖରୀ ପୋତିବା କାର୍ଯ୍ୟ ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଥିଲା। ପୂର୍ବତନ ଜିଲ୍ଲାପାଳଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ତହସିଲଦାର ଡ. ହେମଲତା ବାହାଲିଆ ରାଜସ୍ବ ଆଇନର ଧାରା ୧୩୩ରେ ଗତ ତା୩୧.୦୫.୨୦୧୮ରିଖରେ ଉପଜିଲ୍ଲାପାଳ ତଥା ସବଡିଭିଜନାଲ ମାଜିଷ୍ଟ୍ରେଟଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ସେହି ରିପୋର୍ଟକୁ ଭିତ୍ତି କରି ବିଲଡରଙ୍କ ବିରୋଧରେ ଗିରଫଦାରୀ ଭଳି କାର୍ଯ୍ୟାନୁଷ୍ଠାନ ହେବା କଥା । କିନ୍ତୁ ତାହା ନାଲିଫିତା ତଳେ ଚାପି ହୋଇ ରହି ଯାଇଥିଲା। ଏ ନେଇ ‘ସମ୍ବାଦ’ରେ ବିସ୍ତୃତ ରିପୋର୍ଟ ପ୍ରକାଶ ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ପୋଖରୀକୁ ପୋତାଯାଇ ନିର୍ମାଣ କରାଯାଇଥିବା ବନ୍ଧକୁ ଭାଙ୍ଗି ଦିଆଯାଇଥିଲା । ଘଟଣାସ୍ଥଳରେ ଆଜି ତହସିଲଦାରଙ୍କ ସମେତ ରାଜସ୍ବ ନିରୀକ୍ଷକ, ଅମିନ, ପୈାରନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ସଞ୍ଜୟ କୁମାର ମଲ୍ଲିକ, ଟାଉନଥାନା ସବଇନିସପେକ୍ଟର ଏସ.ଆର ଜାଲିଙ୍କ ସମେତ ପୁଲିସ ଫୋର୍ସ ଉପସ୍ଥିତରେ ପୋତାଯାଇଥିବା ବନ୍ଧକୁ ମେସିନରେ ଭଙ୍ଗା ଯାଇଥିଲା।