କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀରେ ଶଶୀ ବିରୋଧୀ ସକ୍ରିୟ
ପାଟକୁରାରେ ଅଗ୍ରୱାଲା ପରିବାରକୁ ନେଇ ଦ୍ବନ୍ଦ୍ବ
ଆଳିରେ ଖରସ୍ରୋତାକୁ ନେଇ ଜନ ଅସନ୍ତୋଷ
କେନ୍ଦ୍ରାପଡ଼ା,(ସୁବ୍ରତ କୁମାର ସାମଲ): କେନ୍ଦ୍ରାପଡ଼ାରେ ଏଥର ପ˚ଚାୟତ ନିର୍ବାଚନରେ କ'ଣ ହେବ ସ୍ଥିତି, ଗତ ନିର୍ବାଚନ ଭଳି ବିଜେପି-କଂଗ୍ରେସ ଶାସକ ଦଳ ବିଜେଡିର ଖେଳ ବିଗାଡିବେ, ଶାସକ ଦଳ ବିରୋଧୀଙ୍କୁ ସଂପୂର୍ଣ୍ଣ ବାଜି ମାତ୍ ଦେବ ନା ୨୦୧୭ ପଂଚାୟତ ନିର୍ବାଚନ ଠାରୁ ବି ଅଧିକ ଖରାପ କରିବ ବିଜେଡି....? ଏହାକୁ ନେଇ ଆକଳନ ଆରମ୍ଭ ହୋଇଗଲାଣି।
ଜିଲ୍ଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କେନ୍ଦ୍ରାପଡ଼ାରେ ବିଧାୟକ ଶଶୀଭୂଷଣ ବେହେରା ବିରୋଧୀଙ୍କ ଅପେକ୍ଷା ନିଜ ଦଳ ମଧ୍ୟରୁ ଖୋଲାଖୋଲି ବିରୋଧର ସାମ୍ନା କରୁଛନ୍ତି। ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ଖୋଲାଖୋଲି ବିରୋଧ ଯୋଗୁଁ ଭାଗବତପୁର ଓ ଅଣ୍ଢରା ସରପଞ୍ଚ ଉପନିର୍ବାଚନରେ ସବୁ କଳବଳ ଲଗାଇବା ସତ୍ତ୍ବେ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇପାରିନଥିଲେ ଶଶୀ। ବାଜି ମାରିଥିଲେ କିଶୋରଙ୍କ ସମର୍ଥିତ ପ୍ରାର୍ଥୀ। ୟା’ ଭିତରେ ପୁଣି ପଂଚାୟତ ସମିତି ଅଧୢକ୍ଷ ଶିବପ୍ରସାଦ ଭଳଙ୍କ ସହିତ ବିଧାୟକଙ୍କ ଶୀତଳଯୁଦ୍ଧ ଖବର ସାମ୍ନାକୁ ଆସିଛି। ଅଧୢକ୍ଷଙ୍କ ପଛରେ ବିଜେଡିର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀର ସମର୍ଥନ ରହିଛି। ତେଣୁ ଦଳ ଭିତରେ ଶଶୀ-କିଶୋର-ଶିବଙ୍କ ଟକ୍କର ଭିତରେ ପ˚ଚାୟତ ସ୍ତରରେ ତିନି ନେତାଙ୍କ ନେତୃତ୍ବରେ ବି ଆଶାୟୀ ଠିଆ ହେବା ଚର୍ଚ୍ଚା ହେଉଥିବାରୁ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ତଳୀରେ ଲଢେ଼ଇ ବିଜେଡି ଭିତରେ ହେବ ବୋଲି କୁହାଯାଉଛି।
ପାଟକୁରା ନିର୍ବାଚନ ମଣ୍ତଳୀରେ ବି ଅନୁରୂପ ସ୍ଥିତି। ସାବିତ୍ରୀ ଅଗ୍ରଵାଲ ବିଧାୟିକା ହୋଇଥିଲେ ବି ତାଙ୍କ ପୁତ୍ର ସ˚ଜୟ ଅଗ୍ରଵାଲ ନିର୍ବାଚନମଣ୍ତଳୀ କଥା ବୁଝୁଛନ୍ତି। ବିଜେଡିର ଗୋଟିଏ ବଡ଼ ଗୋଷ୍ଠୀ ଆରମ୍ଭରୁ ତାଙ୍କୁ ବିରୋଧ କରି ଆସୁଥିବା ବେଳେ ବିଧାୟିକାଙ୍କ ଝିଅ ମଧୁମତୀ ଅଗ୍ରଵାଲ ବି ଏମାନଙ୍କ ସହିତ ଅଛନ୍ତି। ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ା, ଡେରାବିଶ ବ୍ଲକ୍ ଅଧୢକ୍ଷ ସରୋଜକାନ୍ତ ସାହୁ ଏବ˚ ମାର୍ଶାଘାଇ ବ୍ଲକ୍ ବିଜେଡି ସଭାପତି ସ˚ଜୟ ଲେଙ୍କା ବିଭିନ୍ନ ସମୟରେ ସ˚ଜୟଙ୍କୁ ଚେକ୍ ଦେଉଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ବିରୋଧୀ ବିଜେପି ସହିତ ଦଳ ଭିତରର ଅସନ୍ତୁଷ୍ଟଙ୍କୁ ମାତ୍ ଦେଇ ଡେରାବିଶ ଓ ଗରଦପୁର ବ୍ଲକ୍ ପ˚ଚାୟତ ସମିତି ଅଧୢକ୍ଷ ଆସନ ଦଖଲ ଆଉ ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଜିତାଇବା ସ˚ଜୟଙ୍କ ପାଇଁ ସମ୍ମାନର ପ୍ରଶ୍ନ ହେବ। ଖରସ୍ରୋତା ପାଣି ବିବାଦ ପରଠୁ ଆଳି ନିର୍ବାଚନ ମଣ୍ତଳୀରେ ଜନ ଅଶାନ୍ତି ରହିଛି। ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ଅ˚ଚଳବାସୀଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ, ରାଜନଗର ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀରେ କୌଣସି ପ୍ରସଙ୍ଗ ଭିତ୍ତିକ ଆହ୍ବାନ କିମ୍ବା ଆଭ୍ୟନ୍ତରୀଣ କନ୍ଦଳ ନଥିବାରୁ ବିଜେଡି ସୁବିଧାଜନକ ସ୍ଥିତିରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/election-1.jpg)