ପାଟକୁରା: ବିଜେଡ଼ି ପ୍ରଚାର ଗାଡ଼ିକୁ ଅଟକାଇବାରୁ ଉତ୍ତେଜନା

କେନ୍ଦ୍ରାପଡା: ଗରଦପୁର ବଜାର ନିକଟରେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ଗାଡିକୁ ଅଟକାଇବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବିଜେଡ଼ି କର୍ମୀମାନେ ସେଠାରେ ପହଞ୍ଚି ବିରୋଧ କରିବାରୁ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଏ ସମ୍ପର୍କରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ବୋଲି ପୁଲିସ୍‌ କହିଛି। ମିଳିଥିବା ସୂଚନା ଅନୁସାରେ, ଗରଦପୁର ବଜାରରେ ଆଜି ବିଜେଡି ପ୍ରଚାର ଗାଡ଼ି‌ରେ ମାଇକ୍‌ ଜରିଆରେ ଭାଷଣ ଚାଲିଥିବା ବେଳେ କେତେକ ବ୍ୟକ୍ତି ହଠାତ୍‌ ବିରୋଧ କରି ପାଟିତୁଣ୍ତ ଆରମ୍ଭ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ‘ଫନି’ କ୍ଷତିଗ୍ରସ୍ତ ସବୁ ଲୋକଙ୍କୁ ପଲିଥିନ୍‌ ବ˚ଟା ଗଲାନାହିଁ । ଗରିବ ଲୋକ ଏଥିରୁ ବ˚ଚିତ ହେଲେ। କେବଳ ବିଜେଡ଼ି ସମର୍ଥକ ସେ ସବୁ ପାଇଲେ। ସେହିପରି ସାମାନ୍ୟ ବର୍ଷାରେ ଲୋକେ ଆଣ୍ଠୁଏ ପାଣିକାଦୁଅରେ ଯିବା ଆସିବା କରୁଛନ୍ତି । କିଛି ଠିକାଦାର ଓ ସ୍ଥାନୀୟ ନେତାଙ୍କ ପାଇଁ ଗାଁ ଲୋକ ସମସ୍ୟା ଭୋଗୁଛନ୍ତି। ଏଭଳି ପ୍ରସଙ୍ଗ ଉଠାଇ ସେମାନେ ପାଟିତୁଣ୍ତ କରିବା ସହ ଗାଡ଼ିକୁ କିଛି ସମୟ ଅଟକାଇ ରଖିବାରୁ ବିଜେଡ଼ି କର୍ମୀମାନେ ସେଠାରେ ପହଞ୍ଚି ଯାଇଥିଲେ। ପ୍ରଚାର ଗାଡ଼ି ଛଡା ଯିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। କିନ୍ତୁ ଏ ସମ୍ପର୍କରେ ପୁଲିସର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର