କରୋନାର ଦ୍ବିତୀୟ ଲହରି ଆଶଙ୍କା; ତଥାପି ବେଫିକର ଜନତା, ପ୍ରଶାସନ

ବାଙ୍କୀ: ଓଡ଼ିଶାରେ କରୋନା ମହାମାରୀ ସଂକ୍ରମଣ କିଛି ମାତ୍ରାରେ ହ୍ରାସ ଘଟିଛି। ଦୈନିକ କରୋନାଜନିତ ମୃତ୍ୟୁହାର ମଧ୍ୟ ଦୁଇଅଙ୍କରେ ସ୍ଥିର ରହୁଥିବା ଜଣାଯାଇଛି। ତେବେ ବିଭିନ୍ନ ଦେଶ ଓ ରାଜଧାନୀ ଦିଲ୍ଲୀରେ କରୋନାର ଦ୍ବିତୀୟ ଲହର ସମସ୍ତଙ୍କ ନିଦ ହଜାଇ ଦେଇଛି। ଫଳରେ ସରକାର ପୁଣି ଥରେ କଟକଣା ଲାଗୁ କରିବା ଭଳି ସ୍ଥିତି ଉପୁଜିଛି। ଆମ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣର ଦ୍ବିତୀୟ ଲହରି ଆସିବାର ଆଶଙ୍କା ପ୍ରକାଶ ପାଇଛି। ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ସଙ୍କଟ ଟଳି ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଚେତାଇ ଦିଆଯାଉଛି। ହେଲେ, ବାଙ୍କୀ ଉପଖଣ୍ଡରେ ଜନସାଧାରଣ, ବ୍ୟବସାୟୀ ଓ ଯୁବବର୍ଗ ଏହାକୁ ଭ୍ରୁକ୍ଷେପ କରୁ ନ ଥିବାରୁ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି। ପ୍ରକାଶଥାଉ କି, ବାଙ୍କୀ ଉପଖଣ୍ଡକୁ କରୋନା ସଂକ୍ରମଣ ବିଳମ୍ବରେ ଆସିଥିଲା।

ପରବର୍ତ୍ତୀ ସମୟରେ ବାଙ୍କୀ ଏନ୍‌ଏସି, ତହସିଲ ଓ ବାଙ୍କୀ ଥାନାର କର୍ମଚାରୀଙ୍କ ସମେତ ୬୦୦ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇ ଚିକିତ୍ସିତ ହୋଇଥିଲେ। ଏବେ ବିପଦ ସମ୍ପୂର୍ଣ୍ଣ ଟଳି ନ ଥିଲା ‌ବେଳେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଉ ନ ଥିବା ଅଭିଯୋଗ ହେଉଛି। ଅପରପକ୍ଷରେ ହାଟ ବଜାରରେ ଉଠା ଦୋକାନୀଙ୍କ ସମେତ ଅଧିକାଂଶ ବ୍ୟବସାୟୀ ଓ ଜନସାଧାରଣ ବ୍ୟକ୍ତିଗତ ଦୂରତା ଅବଲମ୍ବନ କରିବା ଦୂର କଥା ମାସ୍କ ପରିଧାନ କରୁ ନ ଥିବା ଦୃଷ୍ଟି ଗୋଚର ହେଉଛି। ବାଙ୍କୀର ମଧ୍ୟଭାଗରେ ଥିବା ଉପଖଣ୍ଡ ଚିକିତ୍ସାଳୟର ପରିସରରେ ବ୍ୟବହୃତ ପିପିଇ କିଟ୍‌ ସହ ଅନ୍ୟ ଆବର୍ଜନା ପଡ଼ି ରହୁଛି।

Sambad

ସର୍ବସାଧାରଣ ବ୍ୟବହୃତ ସ୍ଥାନକୁ ପୂର୍ବପରି ଆଉ ବିଶୋଧନ କରାଯାଉ ନାହିଁ। ମୁଖ୍ୟତଃ ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କ ଦ୍ବାରା ନିକଟରେ ଥିବା ବ୍ୟକ୍ତିକୁ ସଂକ୍ରମଣ ବ୍ୟାପୁଥିବାରୁ ମାସ୍କ ନ ପିନ୍ଧିଲେ ଏବଂ ସର୍ବସାଧାରଣରେ ଛେପ ପକାଇଲେ ଜରିମାନା ଆଦାୟ କରାଯିବା ନେଇ ଏନ୍‌ଏସି ପକ୍ଷରୁ ପ୍ରଚାର କରାଯାଇଥିଲା। ମାତ୍ର ତାହା କେବଳ ପ୍ରଚାରରେ ସୀମିତ ରହିଥିବା ଅଭିଯୋଗ ହେଉଛି। ସେହିପରି ବାଙ୍କୀର ସାପ୍ତାହିକ ଦୁଇଦିନିଆ ହାଟ ଦିବସରେ ବ୍ୟବସାୟୀ ଓ ଜନତାଙ୍କ ମଧ୍ୟରେ ଦୂରତାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ହେବା ପରେ ବେଫିକର ହୋଇଯାଇଥିବା ସାଧାରଣ ଜନତା ଓ ପ୍ରଶାସନ ବେଳ ଥାଉଥାଉ ସତର୍କ ନ ହେଲେ ପୁନର୍ବାର ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର