ତନ୍ତିଆପାଳ ସାମୁଦ୍ରିକ ଥାନା: ବୋଟ୍‌ ନାହିଁ, ପାଟ୍ରୋଲିଂରେ ସମୁଦ୍ରକୁ ନ ଯାଇ କୂଳ ଜଗୁଛନ୍ତି ପୁଲିସ୍

ମହାକାଳପଡା: ଉପକୂଳ ଅଂଚଳର ସୁରକ୍ଷା ପାଇଁ ୨୦୧୮ରେ ପ୍ରତିଷ୍ଠା ହୋଇଥିଲା ତନ୍ତିଆପାଳ ସାମୁଦ୍ରିକ ଥାନା। ଏହି ଥାନା ଗୃହ ଉଦ୍‌ଘାଟନ ପୂର୍ବରୁ ଅସ୍ଥାୟୀ ଭାବରେ ଥାନା ଚାଲୁଥିଲା। କ୍ବାର୍ଟର୍ସ ଅଭାବରୁ କର୍ମଚାରୀମାନେ ରହୁ ନ ଥିଲେ। ସେ ସମୟରେ ମହାକାଳପଡା ଥାନା ଆଇଆଇସି ତନ୍ତିଆପାଳ ଥାନା ଦାୟିତ୍ବରେ ରହୁଥିଲେ। ତେବେ ଥାନା ଉଦ୍‌ଘାଟନକୁ ଅଢେଇ ବର୍ଷ ବିତି ସାରିଥିବା ବେଳେ ଏ ପର୍ଯ୍ୟନ୍ତ ଥାନାରେ କର୍ମଚାରୀ ଅଭାବ ରହିଛି। ଉପକୂଳକୁ ଏବଂ ଉପକୂଳ ଅଂଚଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷା ଦେବାକୁ ସ୍ଥାପିତ ତନ୍ତିଆପାଳ ସାମୁଦ୍ରିକ ଥାନା ଏବେ ସୁରକ୍ଷା ଖୋଜୁଛି। ସାମୂଦ୍ରିକ ଥାନାରେ ଜଣେ ଇନ୍ସପେକ୍ଟରଙ୍କ ସହିତ ୩ଜଣ ସବ୍‌ଇନ୍ସପେକ୍ଟର, ୩ଜଣ ଏଏସଆଇ, ୮ଜଣ ହାବିଲଦାର, ୨୪ଜଣ କନଷ୍ଟେବଳ ଓ ଦୁଇଜଣ ଡ୍ରାଇଭର ରହିବା କଥା। ହେଲେ ଏବେ ଜଣେ ଇନ୍ସପେକ୍ଟର, ଜଣେ ଏଏସଆଇ, ଦୁଇଜଣ ହାବିଲଦାର ଓ ଆଠ ଜଣ କନଷ୍ଟେବଳ ଅଛନ୍ତି। ଏହି ଥାନା ଅଂଚଳରେ ବିଜୟନଗର, ବଢିହ, କଂସାର ବଡଦାଣ୍ତୁଆ, ଗଗୁଆ, ସୁନିତି, ନାଂଜୁରା ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଅଧିକ ଲୋକ ବାସ କରୁଛନ୍ତି।

ଏଥିସହିତ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ରହୁଥିବା ବେଳେ କଇଁଛ ସୁରକ୍ଷା ପାଇଁ ସାମୁଦ୍ରିକ ଥାନାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସମୂଦ୍ର ଭିତରେ ପାଟ୍ରୋଲିଂ ପାଇଁ ସ୍ପିଡ ବୋଟ ନ ଥିବା ବେଳେ କର୍ମଚାରୀ ଅଭାବ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରୁଛି। ଅପରପକ୍ଷରେ ଥାନାର ନୂତନ ଗୃହ ନିର୍ମାଣ ହେବାକୁ ଅଢେଇ ବର୍ଷ ବିତି ଯାଇଥିବା ବେଳେ କର୍ମଚାରୀଙ୍କ ରହିବା ପାଇଁ କ୍ବାର୍ଟର୍ସ ନ ଥିବାରୁ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଥାନା ପରିସରରେ ପାନୀୟ ଜଳ ନିମନ୍ତେ ଏକ ବୋରିଂ ବ୍ୟବସ୍ଥା ରହିଥିଲେ ହେଁ ସେଥି ମଧ୍ୟରୁ ଲୁଣି ପାଣି ବାହାରୁଛି। ଫଳରେ କର୍ମଚାରୀମାନେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଥାନା ପରିସରରେ ଗୋଟିଏ ଘର ମଧ୍ୟରେ ଅଫିସ ଚାଲୁଛି। ସେଇଠି କର୍ମଚାରୀମାନେ ମଧ୍ୟ ରହୁଛନ୍ତି। ଏପରିକି ଥାନା ନିକଟକୁ ଏକ ଭଲ ରାସ୍ତା ଖଣ୍ଡେ ମଧ୍ୟ ତିଆରି ହୋଇ ପାରିନାହିଁ। ସାମୁଦ୍ରିକ ଥାନାର କର୍ମଚାରୀମାନେ ବୋଟ ନ ଥିବା ଯୋଗୁଁ ସମୁଦ୍ର ମଧ୍ୟକୁ ପାଟ୍ରୋଲିଂରେ ନ ଯାଇ ପାରି କୂଳ ଜଗିଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର