ଆଳି: ନିର୍ବାଚନୀ ହିଂସାକାଣ୍ଡ, ବୁଥ୍ ଜବର ଦଖଲ ଆଦି ପାଇଁ ଢେର୍ ଅପଖ୍ୟାତି ଅର୍ଜନ କରିଥିବା ଆଳି ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନ ବେଶ୍ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବା ବେଳେ ଗତକାଲି ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡରେ ୭ ଆହତ ହୋଇଛନ୍ତି। ନିର୍ବାଚନ ପରେ ପରେ ବିଭିନ୍ନ ସ୍ଥାନରେ ରାଜନୈତିକ ବିବାଦ ଓ ଆକ୍ଷେପ-ପ୍ରତିଆକ୍ଷେପ ଲାଗି ରହିଥିବା ବେଳେ ଆଳି ଥାନା ସଂସିଧା ପଞ୍ଚାୟତ ଅଧୀନସ୍ଥ ଠାକୁରପାଟଣା ଗାଁରେ ଭୋଟ୍ ଦେବା ନଦେବା ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଉଭୟ ପକ୍ଷର ୭ ଆହତ ହୋଇଛନ୍ତି। ଗୋଟିଏ ପରିବାରର ୫ଜଣ ଆହତ ହୋଇଥିବା ବେଳେ ଅନ୍ୟ ପରିବାରର ୨ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଆହତଙ୍କୁ କେନ୍ଦ୍ରାପଡ଼ା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
ଘଟଣା ଅନୁଯାୟୀ, ଠାକୁରପାଟଣା ଗାଁର ପ୍ରଫୁଲ୍ଲ ପାଣ୍ଡବଙ୍କ ପୁଅ ଜିତେନ୍ଦ୍ର ପାଣ୍ଡବ ଗତକାଲି ସକାଳେ ଦୋକାନ ଖୋଲିଥିବା ବେଳେ ସେହି ଗାଁର ମିହିର ପାଣ୍ଡବ ତାଙ୍କ ଦୋକାନକୁ ଆସି ଏକ ନିର୍ଦ୍ଦିଷ୍ଟ ଦଳକୁ କାହିଁକି ଭୋଟ ଦେଇଛ ବୋଲି କହି ଗାଳିଗୁଲଜ କରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଯୁକ୍ତିତର୍କ ଉଗ୍ରରୂପ ଧାରଣ କରି ଦୁଇ ପରିବାର ମଧ୍ୟରେ ଜୋରଦାର ବାଡ଼ିଆପିଟା ଆରମ୍ଭ ହୋଇଯାଇଥିଲା। ଏହି ସଂଘର୍ଷ କାରଣରୁ ଗୋଟିଏ ପକ୍ଷର ପ୍ରଫୁଲ୍ଲ ପାଣ୍ଡବ,
ପତ୍ନୀ ବୈଦେହୀ, ପୁଅ ଜିତେନ୍ଦ୍ର, ବୋହୂ ରଶ୍ମିତା ଓ ୧୪ ବର୍ଷର ନାତି ଅଭିମନ୍ୟୁ କ୍ଷତବିକ୍ଷତ ହୋଇଥିବା ବେଳେ ଅନ୍ୟ ପକ୍ଷରୁ ବାପ ଅଲେଖ ପାଣ୍ଡବ ଓ ପୁଅ ମିହିର ଆହତ ହୋଇ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।
ଆହତଙ୍କ ମଧ୍ୟରୁ ପ୍ରଫୁଲ୍ଲ ଓ ଜିତେନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦ୍ରାପଡ଼ା ସ୍ଥାନାନ୍ତରିତ କରାଯାଇଥିଲା। ଏହି ଗଣ୍ଡଗୋଳ ସମ୍ପର୍କରେ ଆଳି ଥାନାରେ ଉଭୟ ପକ୍ଷରୁ ଏତାଲା ଦିଆଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ କହିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ନେଇ ଠାକୁରପାଟଣା ଗାଁରେ ଉତ୍ତେଜନା ଲାଗିରହିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/caf8e0da-a617-45cd-b487-dcaee6bd60a1.jpeg)