ଶକ୍ତି ପ୍ରଦର୍ଶନ କଲେ ବିଜୟଙ୍କ ସମର୍ଥକ

ପାଟକୁରାରେ ହଙ୍ଗାମା, ଠେଙ୍ଗାବାଡ଼ି ଧରି ପିଟିଲେ, ଘଉଡାଇଲେ

ସଭାସ୍ଥଳରେ ଭଙ୍ଗାରୁଜା, ପୁଲିସ୍‌ ଉପସ୍ଥିତିରେ ଦଳୀୟ କାର୍ଯ୍ୟକ୍ରମ

ଗରଦପୁର : ବିଜେପିରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଅଣଦେଖା କରିବା ଘଟଣା ଶେଷରେ ଭୟଙ୍କର ରୂପ ଧାରଣ କରିଛି। ଦୀର୍ଘ ଦିନ ନିରବରେ ସବୁ କିଛି ସହିଯିବା ପରେ ଶ୍ରୀ ମହାପାତ୍ରଙ୍କ ଅନୁପସ୍ଥିତିରେ ତାଙ୍କ ସମର୍ଥକ ଓ ଅନୁଗତ ଆଜି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ତାଙ୍କ ନେତାଙ୍କ ପ୍ରତି ହେଉଥିବା କ୍ରମାଗତ ଅବହେଳାର ଜବରଦସ୍ତ ପ୍ରତିକ୍ରିୟା ଦେଖାଇ ପୁଞ୍ଜୀଭୂତ ଅସନ୍ତୋଷକୁ ଏଭଳି ପ୍ରକଟ କରିଛନ୍ତି ଯେ ଓଡ଼ିଶା ରାଜନୀତିରେ ଏହା ଚର୍ଚ୍ଚାର ବିଷୟ ହେଲାଣି।

ଆଜି ବିଜୟଙ୍କ ପୂର୍ବତନ ସହଯୋଗୀ ତଥା ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡାଙ୍କ ସମେତ ଦଳୀୟ ନେତାଙ୍କୁ ସମର୍ଥକମାନେ ଠେଙ୍ଗାବାଡ଼ି ଦେଖାଇଥିଲେ। ଦଳୀୟ ଶୋଭାଯାତ୍ରାରେ ପଶି ଧସ୍ତାଧସ୍ତି କରିବା ସହିତ ନେତା, କର୍ମୀମାନଙ୍କୁ ଗୋଡାଇଗୋଡାଇ ପିଟିଥିଲେ। ମିଶ୍ରଣ ପର୍ବର ସଭାମଞ୍ଚକୁ ବି ଭାଙ୍ଗିରୁଜି ଦେଇଥିଲେ। ଫଳରେ, ଆଜି ଅନୁଷ୍ଠିତ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମ ଶେଷରେ ପୁଲିସ୍‌ ଉପସ୍ଥିତିରେ ହିଁ ସମ୍ପର୍ଣ୍ଣ ହୋଇଥିଲା।

ମହାନଦୀ ପ୍ରସଙ୍ଗରେ କେନ୍ଦ୍ରକୁ ସମାଲୋଚନା କରିବା ପରଠାରୁ ଦଳ ଭିତରେ ‘ବିଜୟ ହଟାଓ’ ଅଭିଯାନ ତୀବ୍ର ହେବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଦଳର କିଛି କର୍ମକର୍ତ୍ତା ସାମ୍ବାଦିକ ସମ୍ମିଳନୀ ଡାକି ବିଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରି ଆସୁଛନ୍ତି। ଏହାକୁ ନେଇ ବିଜୟଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଥିଲା। ଏହି ଅସନ୍ତୋଷକୁ ସେମାନେ ଆଜି ଚାପି ପାରିନଥିଲେ। ଗରଦପୁର ବ୍ଲକ୍‌ର ସିଙ୍ଗିଟିଆସ୍ଥିତ ସିଦ୍ଧେଶ୍ୱର ପୀଠରେ ଆୟୋଜିତ ଦଳର ମିଶ୍ରଣ ପର୍ବକୁ ଖୋଲାଖୋଲି ବିରୋଧ କରିଥିଲେ।

ବିଜୟଙ୍କ ସମର୍ଥକମାନେ ପ୍ରଥମେ ମିଶ୍ରଣ ପର୍ବ ପୂର୍ବରୁ ଦଳ ପକ୍ଷରୁ ଆୟୋଜିତ ମୋଟର ସାଇକଲ୍‌ ଶୋଭାଯାତ୍ରା ଭିତରେ ପଶିଥିଲେ। ଏହି ଶୋଭାଯାତ୍ରାରେ ଦଳର ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ, ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା, ପୂର୍ବତନ ଜିଲ୍ଲା ସଭାପତି ଜ୍ଞାନଦେବ ବେଉରା, ପାରାଦୀପ ପୋର୍ଟ ଟ୍ରଷ୍ଟ ସଦସ୍ୟ ଭୁବନ ମୋହନ ଜେନା, ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଉମାକାନ୍ତ ପଟ୍ଟନାୟକ, ଜିଲ୍ଲା କୃଷକ ମୋର୍ଚ୍ଚାର ବିକ୍ରମ କେଶରୀ ରାଉତରାୟ, ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନାଙ୍କ ସମେତ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଗରଦପୁର ଛକରେ ଏହି ଶୋଭାଯାତ୍ରା ପହଞ୍ଚବା ମାତ୍ରକେ ପୂର୍ବତନ ବ୍ଲକ ବିଜେପି ସଭାପତି ଅମୀୟ ରଂଜନ ପରିଜା, ଦଳୀୟ ନେତା ପ୍ରସନ୍ନ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ବିଜୟ ସମର୍ଥକମାନେ ଶୋଭାଯାତ୍ରାକୁ ଅଟକାଇଥିଲେ।

‘ବିଜୟ ନାହିଁ ତ ବିଜେପି ନାହିଁ’, ‘ଗୋ ବ୍ୟାକ୍‌-,ଗୋ ବ୍ୟାକ୍‌ ବିଜେପି’ ଆଦି ସ୍ଲୋଗାନ୍‌ କମ୍ପିଥିଲେ। ଉଭୟ ଗୋଷ୍ଠୀ ମୁହାଁମୁୁହିଁ ହୋଇଥିଲେ। ହେଲେ ବିଜୟଙ୍କ ସମର୍ଥକଙ୍କ ରାଗର ଭୀଷଣତା ଦେଖି କିଏ କୁଆଡେ ଛିନ୍‌ଛତ୍ର ହୋଇ ପଳାଇଥିଲେ। ଦିନ୧୨ଟା ସମୟରେ ଏହି ଘଟଣା ଘଟିଥିଲା। ଏହି ଘଟଣା ପରେ ବିଜୟଙ୍କ ସମ୍‌ର୍ଥକମାନେ ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ସଭାସ୍ଥଳରେ ପହଞ୍ଚିଥିଲେ। ବିରୋଧର ନେତୃତ୍ୱ ନେଉଥିବା ଅମୀୟ ଓ ପ୍ରସନ୍ନ ସଭାସ୍ଥଳରେ ଅତିଥିମାନଙ୍କ ପାଇଁ ପଡ଼ିଥିବା ଚେୟାର ଦଖଲ କରି ଉପସ୍ଥିତ କର୍ମୀଙ୍କୁ ସଭାସ୍ଥଳ ଛାଡ଼ି ଚାଲିଯିବା ପାଇଁ ତାଗିଦ୍‌ କରିଥିଲେ। ଏହି ସମୟରେ ସେମାନଙ୍କ ସହିତ ଥିବା ସମର୍ଥକମାନେ ସଭାମଞ୍ଚକୁ ଭଙ୍ଗାରୁଜା କରିଥିଲେ। ସେଠାରେ ଥିବା ଲୋକମାନେ ଭୟଭୀତ ହୋଇ ସଭାସ୍ଥଳ ଛାଡ଼ି ଚାଲିଯାଇଥିଲେ। ଏହି ସମୟରେ ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା, ଆଇଆଇସି ଦେବେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ୍‌ ଫୋର୍ସ ପହଞ୍ଚ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ଅପରାହ୍ନ ସାଢ଼େ ୨ଟାରେ ଶ୍ରୀ ପରିଡାଙ୍କ ନେତୃତ୍ୱରେ ଅନ୍ୟମାନେ ପୃଥକ୍‌ ରାସ୍ତାରେ ସଭାସ୍ଥଳରେ ପହଞ୍ଚଥିଲେ। ଘଟଣାର ନିନ୍ଦା କରିବା ସହିତ ବିଜୟ ହୀନ ରାଜନୀତି କରୁଛନ୍ତି ବୋଲି ମନ୍ତବ୍ୟ ଦେଇଥିଲେ ଶ୍ରୀ ପରିଡା। ଆଗାମୀ ଦିନରେ ଏମିତି ଆଚରଣ ଜାରି ରହିଲେ ଇଟାର ଜବାବ ପଥରରେ ଦିଆଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର