ରାଜକନିକା ଥାନା କଥା: ସିସିଟିଭି ଅଚଳ, ୬ ପଦବି ଖାଲି

ରାଜକନିକା: ୧୯୮୬ରେ ଗଠନ ହୋଇଥିବା ରାଜକନିକା ୨୯ଟି ପଞ୍ଚାୟତକୁ ସୁରକ୍ଷା ଯୋଗାଇ ଆସୁଛି। ଏହି ଥାନା ଅଧୀନରେ କଣ୍ତିଆ ଫାଣ୍ତି ଥିବା ବେଳେ ଦକ୍ଷିଣପଟେ ଆଳି ଉତ୍ତରପଟେ ଚାନ୍ଦବାଲି ଓ ପୂର୍ବରେ ରାଜନଗର ଥାନା ରହିଛି। ଆଳି ଆଉ ଚାନ୍ଦବାଲିକୁ ନଦୀ ପଥରେ ପୋଲ ହେବା ପରେ ରାଜକନିକା ଅଞ୍ଚଳରେ ଅପରାଧ ବଢିଯାଇଛି। ଥାନାରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଅପରାଧ ନିୟନ୍ତ୍ରଣ କରିବା ସମସ୍ୟା ଦେଖାଦେଇଛି। ଜଣେ ଇନ୍ସପେକ୍ଟର, ଦୁଇଜଣ ସବଇନ୍ସପେକ୍ଟର, ଜଣେ ଏଏସ୍‌ଆଇ, ଦଶ ଜଣ କନେଷ୍ଟବଳଙ୍କ ସହ ଜଣେ ହାବିଲଦାରଙ୍କୁ ନେଇ ଥାନା ଚାଲିଛି। ଦୁଇଜଣ ଏଏସ୍‌ଆଇ, ତିନିଜଣ କନଷ୍ଟେବଳ ଓ ଜଣେ ହାବିଲଦାର ପଦ ଖାଲିପଡ଼ିଛି।

କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ ନାହିଁ। ପୁଲିସ୍‌ ବାରାକ୍ ନ ଥିବାରୁ ଆଇନ୍ ଶୃଙ୍ଖଳା ରକ୍ଷା କରିବା ପାଇଁ ଆସୁଥିବା ପୁଲିସ ଅନ୍ୟ ସରକାରୀ କାର୍ଯ୍ୟାଳୟମାନଙ୍କରେ ରହୁଥିବା ଦେଖିବାକୁ ମିଳୁଛି। ଥାନା ସିସିଟିଭି ଦୀର୍ଘବର୍ଷ ହେବ ଅଚଳ। କଟକ-ଚାନ୍ଦବାଲି ଭାୟା ରାଜକନିକା ଦେଇ କୋଇଲା, କାଠ, ବାଲି, ଗୋରୁ, କିରାସିନି ଆଦି ଅବାଧରେ ଚୋରା ଚାଲାଣ ହେଉଥିବା ବେଳେ ରାଜକନିକା ବ୍ଲକର ସବୁ ଗାଁରେ ଚୋରାମଦ ବ୍ୟବସାୟୀଙ୍କ ଆସର ମେଲିଛି। ଏହା ସାଙ୍ଗକୁ ଦିନବେଳା ଟ୍ରାଫିକ୍ ସମସ୍ୟା ମୁଣ୍ତବ୍ୟଥାର କାରଣ ହୋଇଛି। ରାଜକନିକା ଥାନା ଆଇଆଇସି ସଂଜିବ୍ କୁମାର ରଣଭୈଁସା କହିଛନ୍ତି, ଆମ ପାଖରେ ଆବଶ୍ୟକ କର୍ମଚାରୀ ଓ ଭିତ୍ତିଭୂମିର ଅଭାବ ଯୋଗୁଁ ସମସ୍ୟା ସମାଧାନ କରିବା ପାଇଁ ସମୟ ଲାଗୁଛି ଓ ଟ୍ରାଫିକ୍ ସମସ୍ୟା ଦେଖାଦେଉଛି।

ସମ୍ବନ୍ଧିତ ଖବର