ଧର୍ମେନ୍ଦ୍ରଙ୍କ ହେଲିପ୍ୟାଡ ନିକଟରେ କର୍ମୀ ମୁଥ ମରାମରି

ରାଜନଗର ବିଜେପି ଦୁଇଫାଳ

ରାଜନଗର : ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଟ୍ଟାମୁଣ୍ତାଇ ଗସ୍ତରେ ଆସିବା ସମୟରେ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା, ମୁଥ ମରାମରି ଘଟଣା ଦଳୀୟ କନ୍ଦଳକୁ ପଦାରେ ପକାଇଛି। ମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଯାଇଥିବା ବିଜେପିର ଦୁଇଗୋଷ୍ଠୀ ମଧୢରେ ଏଭଳି ଗଣ୍ତଗୋଳର ଦୃଶ୍ୟ ଭାଇରାଲ ହେବା ଘଟଣା ଦଳୀୟ ନେତୃବୃନ୍ଦଙ୍କୁ ଅକଳରେ ପକାଇଛି। ପୁଲିସ ଓ ଜିଲ୍ଲାସ୍ତରୀୟ ନେତୃମଣ୍ତଳୀ ଗଣ୍ଡଗୋଳରତ କର୍ମୀଙ୍କୁ ବୁଝାସୁଝା କରି ନିବୃତ କରିଥିଲେ ବି ଏହାକୁ ନେଇ ଦଳ ଭିତରେ ଫାଟ ବଢିବାରେ ଲାଗିଛି।

ପଟ୍ଟାମୁଣ୍ତାଇସ୍ଥିତ ଏମଏନ ହାଇସ୍କୁଲର ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଆସିଥିଲେ। କଲେଜ ନିକଟରେ ହେଲପ୍ୟାଡ ନିର୍ମାଣ କରାଯାଇଥିଲା। ମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାଜନଗର ନିର୍ବାଚନ ମଣ୍ତଳୀର ନେତା ଓ କର୍ମୀଙ୍କ ସହିତ ଜିଲ୍ଲାସ୍ତରୀୟ ନେତୃମଣ୍ତଳୀ ହେଲିପ୍ୟାଡ ନିକଟରେ ଉପସ୍ଥିତ ଥିଲେ। ହଠାତ ପୂର୍ବତନ ବିଧାୟକ ଅଲେଖ କୁମାର ଜେନାଙ୍କ ସମର୍ଥକ ଓ ତାଙ୍କ ବିରୋଧୀ ଗୋଷ୍ଠୀ ମଧୢରେ କଥା କଟାକଟି ଆରମ୍ଭ ହୋଇଥିଲା। ଏହା ଉଗ୍ରରୂପ ଧାରଣ କରି ଠେଲାପେଲା ଓ ମୁଥ ମରାମରି ଯାଏଁ କଥା ଯାଇଥିଲା। ଭାଇରାଲ ହୋଇଥିବା ଭିଡଓରେ ଜଣେ କର୍ମୀଙ୍କ ଗାମୁଛା ଓ ଚୁଟି ଟାଣି ମାଡ଼ ମରାଯାଉଥିବା ଦେଖିବାକୁ ମିଳିଛି। ଜିଲ୍ଲାସ୍ତରୀୟ ନେତୃମଣ୍ତଳୀ ଓ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ସେଠାରେ ପହଞ୍ଚି ହସ୍ତକ୍ଷେପ କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ଏହି ବିବାଦ ଗଲା ୮ ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ବିଜେପି ସାଧାରଣ ସ˚ପାଦକ ତଥା ଯୁବନେତା ଅଜୟ କୁମାର ବେହେରା ବାରଗାଁସ୍ଥିତ ମାଟିଆମଙ୍ଗଳା ପୀଠରେ ହୋଇଥିବା ବନ୍ଧୁମିଳନ ଏବଂ ପରବର୍ତ୍ତୀ ପରିସ୍ଥିତିରୁ ସୃଷ୍ଟି ହୋଇଥିବା କୁହାଯାଉଛି। ଏହି ବନ୍ଧୁମିଳନରେ ରାଜ୍ୟ ମୁଖପାତ୍ର ଜ୍ଞାନଦେବ ବେଉରା ଓ ପୂର୍ବତନ ବିଧାୟକ ଅଲେଖ କୁମାର ଜେନାଙ୍କୁ ବାଦ ଦେଇ ରାଜନଗର ନିର୍ବାଚନ ମଣ୍ତଳୀରେ ବିଜେପିର ଅନ୍ୟ ପ୍ରମୁଖ ନେତା ଓ କର୍ମୀ ଯୋଗ ଦେଇଥିଲେ। ସେହିଦିନ ସ˚ଧୢାରେ ଅଜୟଙ୍କ କିଛି ବିରୋଧୀ କୁହାଯାଉଥିବା ବ୍ୟକ୍ତି ଜିଲ୍ଲାସଭାପତିଙ୍କ କୁଶପୁତ୍ତଳିକା ଦାହ କରି ଅଜୟଙ୍କ ମୁଣ୍ତରେ ଅଠା ବୋଳିବାକୁ ଚେଷ୍ଟା କରିଥିଲେ। ୯ ତାରିଖ ଦିନ ଜିଲ୍ଲା ସଭାପତିଙ୍କ ବାସଭବନରେ ବୈଠକରେ ଯୋଗ ଦେଇ ନଥିବା ନେତା ଓ ସେମାନଙ୍କ ସମର୍ଥକ ପହଞ୍ଚି ଅଜୟ ହଟାଅ ଓ ଅଜୟଙ୍କ ବନ୍ଧୁମିଳନରେ ଯୋଗ ଦେଇଥିବା ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାକୁ ନେଇ ରାଜନଗର ବିଜେପି ଏକ ପ୍ରକାର ଦୁଇଫାଳ ହୋଇଯାଇଛି।

ସମ୍ବନ୍ଧିତ ଖବର