ରାଜନଗର: ରାଜନଗରରେ ପ୍ରଳୟଙ୍କରୀ ବାତ୍ୟା 'ଫନୀ' ୨୯ଟି ପଞ୍ଚାୟତରେ ତାଣ୍ତବ ରଚିଛି। ବାତ୍ୟା ପୂର୍ବରୁ ୨୬,୩୪୫ ଜଣଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇ ରନ୍ଧା ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ବାତ୍ୟା ଛାଡିବା ପରେ ପ୍ରଶାସନ ପକ୍ଷରୁ ୩ଦିନ ପାଇଁ ରିଲିଫ ପ୍ରଦାନ କରାଯାଉଛି। ବଡଲୋକଙ୍କୁ ମୁଣ୍ତ ପିଛା ୧କିଲୋ ହିସାବରେ ୩ଦିନ ପାଇଁ ୩କିଲୋ ଓ ଛୋଟ ପିଲାଙ୍କୁ ମୁଣ୍ତ ପିଛା ୫ଶହ ଗ୍ରାମ ହିସାବରେ ୩ଦିନ ପାଇଁ ଦେଢକିଲୋ ଚାଉଳ ଯୋଗାଇ ଦିଆଯାଇଛି। ରାଜନଗର ବ୍ଲକର ୨୯ଟି ପଞ୍ଚାୟତର ୨୫୨ଟି ଗାଁର ୧ ଲକ୍ଷ ୮୬ ହଜାର ୮୮୬ଜଣଙ୍କୁ ୩ଦିନ ପାଇଁ ରିଲିଫ ବାବଦକୁ ୪ ହଜାର ୪୮୫ କୁଇଂଟାଲ ୧୫ କେଜି ଚାଉଳ ଯୋଗାଇ ଦିଆଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର କେତେକ ସ୍ଥାନରେ ସରକାରଙ୍କ ଧାର୍ଯ୍ୟ ରିଲିଫ ଠାରୁ କମ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଡାଙ୍ଗମାଳ ପଞ୍ଚାୟତ ଡାଙ୍ଗମାଳ ଗାଁର ଧନେଶ୍ବର ବେହେରା, ତନୁଜ କୁମାର ବେହେରା, ଜନକର ନାୟକ, ସୁବ୍ରତ ବେହେରା ପ୍ରମୁଖଙ୍କ ଅଭିଯୋଗ ମୁତାବକ, ସେମାନଙ୍କ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ରିଲିଫ ବଣ୍ଟନ କରାଯାଉଛି। ସେମାନଙ୍କୁ ମୁଣ୍ତପିଛା ୩ କିଲୋ ବଦଳରେ ଅଢେଇ କିଲୋ ଓ ଛୋଟପିଲାଙ୍କୁ ଦେଢକିଲୋ ବଦଳରେ ୧୨ଶହ ଗ୍ରାମ ଚାଉଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେଉଛନ୍ତି। କାହିଁକି କମ ଦିଆଯାଉଛି ବୋଲି ପଚାରିବାରୁ ବ୍ଲକରୁ କମ ଆସିଛି, ସେଥିପାଇଁ କମ ଦିଆଯାଉଛି ବୋଲି କହିଛନ୍ତି। ଏ ସଂପର୍କରେ ଡାଙ୍ଗମାଳ ପଞ୍ଚାୟତର ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ଡାଙ୍ଗମାଳ ଗାଁ ପାଇଁ ୩୯ କୁଇଂଟାଲ ୬୫ କେଜି ଚାଉଳ ଆସିଛି। ୨୦୧୧ ଜନଗଣନା ଅନୁସାରେ ଚାଉଳ ଆସିଛି। ପ୍ରତି ଚାଉଳ ପ୍ୟାକେଟରେ ୨/୩ କିଲୋ ଚାଉଳ କମ ରହୁଛି। ସେ ସବୁକୁ ହିସାବ କରି ମୁଣ୍ତପିଛା ବଡ ଲୋକଙ୍କୁ ଅଢେଇ କେଜି ଓ ଛୋଟ ପିଲାଙ୍କୁ ମୁଣ୍ତ ପିଛା ୧୨ଶହ ଗ୍ରାମ ଚାଉଳ ଦେଉଛୁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୧୧ ଜନଗଣନାର ୨୦ ପ୍ରତିଶତ ଅଧିକ ଜନସଂଖ୍ୟାକୁ ହିସାବ କରି ରିଲିଫ ପାଇଁ ଚାଉଳ ଯୋଗାଇ ଦିଆଯାଇଛି। ଏପରିସ୍ଥଳେ ମୁଣ୍ତ ପିଛା ଚାଉଳ କମ ଦେବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳର ଉତ୍ତେଜନା ପ୍ରକାଶ ପାଇଛି।
ରିଲିଫ୍ ବଣ୍ଟନରେ ହେରଫେର୍ ଅଭିଯୋଗ
୩ କିଲୋ ବଦଳରେ ଅଢେଇ କିଲୋ, ଦେଢ କିଲୋ ବଦଳରେ ୧୨ଶହ