ମାଟ୍ରିକ ପାସ୍‌ କରିଛନ୍ତି ୨୩୦୩: କଲେଜରେ ସିଟ୍‌ ସଂଖ୍ୟା ୭୩୬

ରାଜନଗର: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଅଭୂତପୂର୍ବ ସଫଳତା ମିଳିଛି। ଛାତ୍ରଛାତ୍ରୀ ଯେଉଁ ହାରରେ ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ତାହା ଇତିହାସରେ ସର୍ବକାଳିନ ରେକର୍ଡ। ଅଧିକାଂଶ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିଛନ୍ତି। ଯେତିକି ଛାତ୍ରଛାତ୍ରୀ ପାସ କରିଛନ୍ତି, ସେମାନଙ୍କୁ ଯୁକ୍ତ ୨ ଶ୍ରେଣୀରେ ପାଠ ପଢିବାକୁ ସିଟ୍‌ ମିଳିବ ତ? ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ରାଜନଗର ବ୍ଲକରେ ୨୬ଟି ହାଇସ୍କୁଲ ଓ ୪ଟି ସଂସ୍କୃତ ବିଦ୍ୟାପୀଠରେ ୨୪୨୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୪୧୩ ଜଣ ପାସ୍‌ କରିଛନ୍ତି। ଏ-୧ ରେ ୨୩ଜଣ, ଏ-୨ରେ ୫୮୯ଜଣ, ବି-୧ରେ ୯୩୭ ଜଣ, ବି-୨ରେ ୫୩୭, ସିରେ ୧୯୫ଜଣ, ଡି ଶ୍ରେଣୀରେ ୭୩ଜଣ, ଇରେ ୧୮ଜଣ ଓ ଏଫରେ ୧୧ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି। ଏହି ୨୪୧୩ ଜଣଙ୍କ ମଧ୍ୟରୁ ୨୩୦୩ ଜଣ ମାଟ୍ରିକ ପରୀକ୍ଷାରେ ଓ ୧୧୦ଜଣ ମଧ୍ୟମା ପରୀକ୍ଷାର୍ଥୀ ପାସ କରିଛନ୍ତି। ୨୬ଟି ହାଇସ୍କୁଲରୁ ପାସ କରିଥିବା ୨୩୦୩ଜଣ ଛାତ୍ରଛାତ୍ରୀ କେଉଁ ମହାବିଦ୍ୟାଳୟରେ ଯୁକ୍ତ ୨ ଶ୍ରେଣୀରେ ପାଠ ପଢିବେ, ସେମାନଙ୍କୁ ସେମାନଙ୍କ ମନ ପସନ୍ଦର କଲେଜ ମିଳିତ ତ? ତାହାକୁ ନେଇ ଆଶଙ୍କା ଉପୁଜିଲାଣି।

ରାଜନଗରଠାରେ ଶ୍ରୀଶ୍ରୀଜଗନ୍ନାଥ ମହାବିଦ୍ୟାଳୟ, ଚାନ୍ଦିବାଉଁଶମୂଳଠାରେ ନଳିନୀକାନ୍ତ ମହାବିଦ୍ୟାଳୟ, ବାର୍ହାପୁରଠାରେ ସପନେଶ୍ବର ମହାବିଦ୍ୟାଳୟ ରହିଛି। ରାଜନଗରସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଯୁକ୍ତ ୨ କଳାରେ ୨୫୬ ସିଟ, ବିଜ୍ଞାନରେ ୧୨୮ ସିଟ ଓ ବାଣିଜ୍ୟରେ ୯୬ଟି ସିଟ ରହିଛି। କରୋନା ସମୟରେ ସମସ୍ତ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ପାସ କରିବାରୁ ଗତବର୍ଷ ରାଜନଗର ମହାବିଦ୍ୟାଳୟର ଯୁକ୍ତ ୨ କଳାରେ ୧୨୮ଟି ସିଟ ଅଧିକ ବଢିଥିଲା। ତାହା ଆପ୍ରୁଭ ସିଟ ହୋଇ ନଥିବାରୁ ବାତିଲ ହୋଇଯାଇଛି। ଏହାବାଦ୍‌ ସପନେଶ୍ବର ମହାବିଦ୍ୟାଳୟ ଓ ନଳିନୀକାନ୍ତ ମହାବିଦ୍ୟାଳୟରେ କେବଳ ଯୁକ୍ତ ୨ କଳାରେ ୧୨୮ଟି ଲେଖାଏ ସିଟ ରହିଛି। ୩ଟି ମହାବିଦ୍ୟାଳୟରେ କଳାରେ ୫୧୨ଟି ସିଟ ରହିଥିବା ବେଳେ ବିଜ୍ଞାନରେ ୧୨୮ ଓ ବାଣିଜ୍ୟରେ ୯୬ ମୋଟ ୭୩୬ ସିଟ ରହିଛି। ଅର୍ଥାତ ରାଜନଗର ବ୍ଲକରେ ଚଳିତବର୍ଷ ଯେତିକି ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ପ୍ରତିଶତଙ୍କ ପାଇଁ ସିଟରହିଛି। ଏପରିସ୍ଥଳେ ଅବଶିଷ୍ଟ ୧୫୬୭ଜଣ ଛାତ୍ରଛାତ୍ରୀ କେଉଁ ମହାବିଦ୍ୟାଳୟରେ ଯୁକ୍ତ ୨ରେ ପାଠ ପଢିବେ ସେ ନେଇ ଅଭିଭାବକଙ୍କ ଚିନ୍ତା ବଢି ଯାଇଛି।ଏହାବାଦ୍‌ ଅନ୍ୟ ଏକ ବଡ ସମସ୍ୟା ହେଲା ଛାତ୍ରଛାତ୍ରୀ ନିଜ ପସନ୍ଦର କଲେଜ ଓ ନିଜ ପସନ୍ଦର ବିଷୟରେ ପାଠ ପଢି ପାରିବାର ସୁଯୋଗ ମିଳିବ ତ ? ଚଳିତବର୍ଷ ମାଟ୍ରିକ ପରୀକ୍ଷା ସମୟରେ ରାଜନଗର ବ୍ଲକରେ ୨୬୦ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ଖୋଳତାଡ ପରେ ଅଧିକାଂଶ ଛାତ୍ରଛାତ୍ରୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ଜଣା ପଡିଥିଲା। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଏତେସଂଖ୍ୟକ ଛାତ୍ରଛାତ୍ରୀ ପାସ କରିବା ପରେ ସେମାନେ ଯୁକ୍ତ ୨ରେ ପାଠ ପଢିବାର ସୁଯୋଗ ନ ପାଇଲେ ସେମାନେ କ’ଣ କରିବେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନଉଠିଛି।

ସମ୍ବନ୍ଧିତ ଖବର