ଭୋଟ ବର୍ଜନ ପରେ ବି ସୁଧୁରିଲାନି ରାସ୍ତା: ବର୍ଷା ଆସିଲେ ବଢେ ଦୁର୍ଦ୍ଦଶା

ରାଜକନିକା: ବିକାଶର ବିକଳ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ତ୍ରୈଲୋକ୍ୟପୁର ଗାଁରେ। ଏହି ଗାଁକୁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ । ବର୍ଷାରେ ପଚପଚ କାଦୁଅରେ ପଶି ପିଲା ସ୍କୁଲ ଯାଉଛନ୍ତି। ରୋଗୀକୁ ଶିକାଭାରରେ ବୁହା ଯାଉଛି। ପକ୍କା ରାସ୍ତା ଖଣ୍ଡେ ପାଇଁ ବାରମ୍ବାର ଦାବି କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ବି ବର୍ଜନ କରିଛନ୍ତି। ଏହା ସତ୍ତ୍ୱେ ପ୍ରଶାସନ ସେମାନଙ୍କ ସମସ୍ୟା ପ୍ରତି ଅଣଦେଖା କରି ଚାଲିଛି। ବର୍ଷା ଦିନେ ଗ୍ରାମବାସୀଙ୍କ ସମସ୍ୟା ସୀମା ଟପିଯାଏ। ଗାଁ ଭିତରକୁ ଦୁଇଚକିଆ ଗାଡ଼ି ଯିବା ତ ଦୂରର କଥା ସାଇକଲକୁ କାନ୍ଧରେ ବୋହି ନେବାକୁ ପଡ଼େ। ଗାଁର ଲୋକସଂଖ୍ୟା ୫ଶହରୁ ଉର୍ଦ୍ଧ୍ୱ। ଏ ପର୍ଯ୍ୟନ୍ତ ପକ୍କା ରାସ୍ତା ଖଣ୍ଡେ ସେମାନଙ୍କ ଭାଗ୍ୟରେ ଜୁଟି ନାହିଁ। ଦୀର୍ଘଦିନ ଧରି ରାସ୍ତା ପାଇଁ ଦାବି କରି ଆସୁଛନ୍ତି। ପ୍ରଶାସନ ଶୁଣୁନାହିଁ। ଏବେ ବର୍ଷାରେ ସ୍ଥିତି ସାଂଘାତିକ ହୋଇ ପଡ଼ିଛି। ଘରୁ ଗୋଡ଼ କାଢିଲେ ଆଣ୍ଠୁଏ କାଦୁଅ। ଏହି କାଦୁଅରେ ପଶି ମୁଖ୍ୟ ରାସ୍ତାକୁ ଆସିବାକୁ ପଡ଼ୁଛି। ଲୁହାରମୁଁହିରୁ ଯୋରଳ ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ବାମ ପାଖକୁ ପାଞ୍ଚଶହ ମିଟର ରାସ୍ତା ଏହି ଗାଁକୁ ସଂଯୋଗ କରୁଛି। ସାମାନ୍ୟ ମାଟି ମୁଠେ ପଡ଼ି ପାରିନି ଏଠାରେ। ଗାଁରେ ଥିବା ଏକମାତ୍ର ପ୍ରାଥମିକ ସ୍କୁଲକୁ ପଡ଼ୋଶୀ ଇଟାପୋଖରୀ ଓ ବ୍ରାହ୍ମଣପୋଖରୀ ଗାଁର ପିଲାମାନେ କାଦୁଅରେ ପଶି ସ୍କୁଲ ଯାଉଛନ୍ତି। ଏହି ପାଞ୍ଚଶହ ମିଟର ରାସ୍ତା ନିର୍ମାଣ ଦାବିରେ ଗାଁ ଲୋକେ ଗତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ। ତଥାପି ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଲା ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଅନାବଶ୍ୟକ ସ୍ଥଳେ ସରକାର ବହୁ ସ୍ଥାନରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ କଂକ୍ରିଟ୍‌ ରାସ୍ତା କରୁଥିବା ବେଳେ ଏହି ଗ୍ରାମକୁ ରାସ୍ତାଟିଏ ପାଇଁ ଅନୁଦାନ ନ ମିଳିବା ପରିତାପର ବିଷୟ ବୋଲି ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି । ଗାଁ ଲୋକେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ରାଜକନିକା ବିଡିଓଙ୍କୁ ଗାଁ ପରିଦର୍ଶନ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ, ବିଡିଓଙ୍କ ବଦଳି ହୋଇଯିବାରୁ କୌଣସି ଅଗ୍ରଗତି ହୋଇପାରିନାହିଁ । ଏ ସମ୍ପର୍କରେ ତ୍ରୈଲୋକ୍ୟପୁର ସରପଞ୍ଚ ପଙ୍କଜ ଦାସ କହିଛନ୍ତି, ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଦୁଇଶହ ଫୁଟ୍‌ ରାସ୍ତା ଓ ବିଧାୟକଙ୍କ ପାଣ୍ଠିରୁ ଦୁଇଶହ ଫୁଟ୍‌ ରାସ୍ତା ଦୁଇଟି ପର୍ଯ୍ୟାୟରେ କରାଯାଇଛି। ଗାଁରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଅବଶିଷ୍ଟ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ କିମ୍ବା ପଞ୍ଚାୟତ ସମିତି ତରଫରୁ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ଫଳରେ ରାସ୍ତାକାମ ଆରମ୍ଭ ହୋଇପାରୁନାହିଁ।

ସମ୍ବନ୍ଧିତ ଖବର