କୁସୁନପୁର ସଶସ୍ତ୍ର ଡକାୟତି ଘଟଣା : ୩ ଗିରଫ, ମୁଖ୍ୟ ଅଭିଯୁକ୍ତ ସହ ୨ ଫେରାର୍

ମାର୍ଶାଘାଇ: ମାର୍ଶାଘାଇ ଥାନା କୁସୁନପୁର ଡକାୟତି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଟୋ ଡ୍ରାଇଭର ସହ ଅନ୍ୟଜଣେ ଫେରାର ଥିବାବେଳେ ଡକାୟତିରେ ବ୍ୟବହୃତ ଅଟୋ ଜବତ ହୋଇ ପାରିନାହିଁ। ଅନ୍ୟପକ୍ଷରେ ୭ଟି ମୋବାଇଲ ଫୋନ୍‌, ଏକ ଲୁହା ଚାପଡ, ୬ଟି ସ୍କୃଡ୍ରାଇଭର ଓ ନଗଦ ୪ହଜାର ଟଙ୍କା ଜବତ କରାଯାଇଛି।

ଫେରାର ଥିବା ଦୁଇ ଅପରାଧୀଙ୍କୁ ପୁଲିସ ଚିହ୍ନଟ କରି ସାରିଥିବାରୁ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ନୀତିଶେଖର ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ପଟ୍ଟାମୁଣ୍ତାଇ ଥାନା ବଡଜରିଆ ଗ୍ରାମର ପାପୁନି ଦାସ(୨୨), ଉତ୍ତରପ୍ରଦେଶର ମନ୍ଦରୱାଜା ଥାନାର ଫକିରାବାଦର ଶେର ସିଂ(୩୦), ଯିଏକି ଏବେ ଡେରାବିଶ ଥାନା ତିଲଙ୍ଗା ଗ୍ରାମରେ ରହୁଛି। ଅନ୍ୟ ଜଣେ ହେଉଛି ଡେରାବିଶ ଥାନା ତିଲଙ୍ଗା ଗ୍ରାମର ନାରାୟଣ ଦାସ(୨୨)। ଅଭିଯୁକ୍ତ ଶେର ସିଂ ନାମରେ ବାଲିଚନ୍ଦ୍ରପୁର ଥାନା କେସ ନଂ. ୨୯୩/୨୦୧୭ରେ ସଂପୃକ୍ତି ଥିବା ପୁଲିସ କହିଛି।

ପ୍ରକାଶ ଯେ, ଗତ ମାସ ୨୦ତାରିଖ ରାତି ସାଢେ଼ ଗୋଟାଏରେ କୁସୁନପୁର ଗ୍ରାମର କାହ୍ନୁ ଚରଣ ନାୟକଙ୍କ ଘରର ଗ୍ରୀଲ୍ ତାଡି ୫ ଜଣ ଡକାୟତ ତାଙ୍କ ଘରେ ପଶିଥିଲେ। କାହ୍ନୁଚରଣ ଓ ତାଙ୍କ ପତ୍ନୀ ସୁଲୋଚନା ନାୟକଙ୍କୁ ଚାପଡରେ ଆକ୍ରମଣ କରି ନଗଦ ୨୦ହଜାର ଟଙ୍କା, ସୁନା କାନଫୁଲ, ୨ଟି ମଙ୍ଗଳସୂତ୍ର, ଲକେଟ୍ ମୁଦି, ବ୍ୟବହାର କରୁଥିବା ୨ଟି ମୋବାଇଲ ଫୋନ୍ ସହ ଆଉ ୩ଟି ମୋବାଇଲ ଫୋନ୍ ନେଇ ଯାଇଥିବା ପତ୍ନୀ ସୁଲୋଚନା ନାୟକ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଥାନା କେସ ନଂ ୨୩୭/ ୨୦୨୦ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ଏଥିରେ ଗୁରୁତର ଆହତ କାହ୍ନୁଚରଣଙ୍କୁ କେନ୍ଦ୍ରାପଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର କରାଯାଇଥିଲା। ଘଟଣା ଦିନ ଆଇଆଇସି କାଳନ୍ଦି ବେହେରା ଡଗ୍ ସ୍କାଡ୍‌ ଓ ସାଇଂଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଂଚି ଘଟଣାର ଅନୁସନ୍ଧାନ କରିଥିଲେ। ଏସ୍‌ପି ନୀତିଶେଖର ଓ ଉପଖଣ୍ତ ଆରକ୍ଷୀ ଅଧିକ୍ଷକ ରାଜୀବଲୋଚନ ପଣ୍ତା ମଧ୍ୟ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ତେବେ ୨୨ ଦିନ ପରେ ପୁଲିସ ଓ ସ୍ପେଶାଲ ସ୍କ୍ବାଡର ମିଳିତ ଚଢାଉରେ ଡକାୟତମାନଙ୍କ ମଧ୍ୟରୁ ୩ଜଣଙ୍କୁ ଡେରାବିଶ ଥାନା ଅଂଚଳରୁ ଗିରଫ କରାଯାଇଥିଲା।

ପୁଲିସ ସୂଚନା ମୁତାବକ, ଏକ ଅପରିଚିତ ଅଟୋ ଡ୍ରାଇଭର ଦିନ ବେଳା ଗାଁରେ ପଶି ଘର ଚିହ୍ନଟ କରିବା ପରେ ଡକାୟତମାନେ ପଂଚୁପାଣ୍ତବଠାରେ ପିଆପିଇ କରି ୫ନମ୍ବର (କ) ଜାଂତୀୟ ରାଜପଥରେ ଆସି କୁସୁନପୁରର ପୀଠାଧୀଶ ମଣିଙ୍କ ମନ୍ଦିର ପାଖରେ ବସିବା ପରେ ଗାଁ ଭିତରକୁ ଆସି ଡକାୟତି କରିଥିଲେ। ସେଇ ଏକା ରାତିରେ ଡକାୟତମାନେ ଏହି ଥାନା ଅର୍ନ୍ତଗତ ତୁଳସୀପୁର ଗ୍ରାମର ଅକ୍ଷୟ କୁମାର ସାହୁଙ୍କ ଘରେ ପଶି ନଗଦ ୫ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଲୁଟି ନେଇ ଯାଇଥିଲୋ।

ଅକ୍ଷୟ କୁମାର ସାହୁଙ୍କ ଅଭିଯୋଗକୁ ଭିତିକରି ପୁଲିସ ଥାନା କେସ୍‌ ନଂ ୨୩୮/ ୨୦୨୦ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ବୋଲି ତଦନ୍ତକାରୀ ଅଫିସର ଏସ୍‌ଆଇ ଦେବାଶିଷ ପଣ୍ତା କହିଥିଲୋ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକଙ୍କ ସହ ଉପଖଣ୍ତ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ତା, ଆଇଆଇସି କାଳନ୍ଦି ବେହେରା, ସ୍ବତନ୍ତ୍ର ସ୍କ୍ବାଡ୍‌ ଏସ୍‌ଆଇ ପି.କେ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର