କୂଳ ଲଂଘୁଛି ସମୁଦ୍ର:ବିପଦରେ ପର୍ଯ୍ୟଟନସ୍ଥଳୀ ହବାଳିଖଟି

ଧୋଇନେଲା ରାଉଣ୍ଡକ୍ୟାବିନ କଂକ୍ରିଟ ମେଜିଅା

ରାଜନଗର: ପୁଣି କୂଳ ଲଂଘିଛି ବଂଗୋପସାଗର। ସାତଭାୟାରୁ ଏକକୂଳା ଯାଏଁ ଦୀର୍ଘ ୧୨ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ସମୁଦ୍ର ତାଣ୍ଡବ ରଚୁଛି। ବାଲିପାହାଡକୁ ସମୁଦ୍ର ଜୁଅାର ଗର୍ଭସ୍ଥ କରିସାରିବା ପରେ ଏବେ ଜନବସତି ଓ ଭିତରକନିକା ଜଙ୍ଗଲ ମଧ୍ୟକୁ ମାଡିଅାସିଛି। ଏଭଳି ସ୍ଥିତିରେ ପର୍ଯ୍ୟଟନସ୍ଥଳୀ ହବାଳିଖଟି ପ୍ରତି ବିପଦ ସୃଷ୍ଟି ହୋଇଛି। ହବାଳିଖଟିରେ ଥିବା ରାଉଣ୍ଡ କ୍ୟାବିନ ଟୁରିଷ୍ଟ କଟେଜ୍ ଭିତରକୁ ସମୁଦ୍ର ମାଡିଅାସିବା ସହ ରାଉଣ୍ଡ କ୍ୟାବିନର କଂକ୍ରିଟ ମେଜିଅା ଓ ମେଜିଅା ତଳ ଦୁଇଫୁଟ ଗଭୀରର ବାଲି ଭସାଇ ନେଇଛି । ସମ୍ପୂର୍ଣ୍ଣ କୋଠାଟି ଯେ କୌଣସି ମୁହୂର୍ତରେ ଭୁଶୁଡି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।
ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ପରିଭ୍ରମଣରେ ଅାସୁଥିବା ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଡାଙ୍ଗମାଳ ସମେତ ହବାଳିଖଟିରେ ରାତ୍ରୀଯାପନର ସୁବିଧା ରହିଛି। ଗୁପ୍ତିରୁ ୩ ଘଂଟା ବୋଟ୍ ଯୋଗେ ଜଳଯାତ୍ରା ପରେ ପର୍ଯ୍ୟଟକମାନେ ହବାଳିଖଟିରେ ପହଞ୍ଚି ପ୍ରକୃତିର ଶୋଭା ଉପଭୋଗ କରିଥାନ୍ତି। ସମୁଦ୍ର କୂଳଠାରୁ ୫ଶହ ମିଟର ଦୂରରେ ଜଙ୍ଗଲ ମଧ୍ୟରେ ଥିବା କଟେଜରେ ପର୍ଯ୍ୟଟକମାନେ ରହିଥାନ୍ତି। ମାତ୍ର ଗତ କିଛିଦିନ ହେଲା ସମୁଦ୍ର ୫ଶହ ମିଟର କୂଳ ଓ ଜଙ୍ଗଲକୁ ଗର୍ଭସ୍ଥ କରିସାରିଲାଣି । ଗତ ଏକମାସ ମଧ୍ୟରେ ସମୁଦ୍ର କୂଳ ଲଂଘିବା ସହ ଟୁରିଷ୍ଟ କଟେଜ ଯାଏଁ ମାଡିଅାସିଛି। ଦୁଇମହଲା ବିଶିଷ୍ଟ ରାଉଣ୍ଡ କ୍ୟାବିନ ଟୁରିଷ୍ଟ କଟେଜକୁ ସମୁଦ୍ର ଜୁଅାର ମାଡ ଦେଉଛି । ଟୁରିଷ୍ଟ କଟେଜର ତଳ ମହଲା କଂକ୍ରିଟ ମେଜିଅା ସହିତ ମେଜିଅା ତଳୁ ଦୁଇଫୁଟ ଗଭୀରର ବାଲିକୁ ଧୋଇନେଇଛି । ଦୁଇମହାଲା ବିଶିଷ୍ଟ ବିଲଡିଂର ପାଇଲିଙ୍ଗ ପିଲାର ଦେଖାଯାଉଛି। ବିଲଡିଂଟି ଯେକୌଣସି ମୁହୂର୍ତରେ ଭୁଶୁଡିପଡ଼ିବାର ଅାଶଙ୍କା ସୃଷ୍ଟି ହୋଇଛି । ୧୦ ବର୍ଷ ତଳେ ଏହି କୋଠା ନିର୍ମାଣ ହୋଇଥିଲା। ଉପରମହାଲାରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରୀଯାପନର ବ୍ୟବସ୍ଥା ଥିବା ବେଳେ ଗ୍ରାଉଣ୍ଡଫ୍ଲୋରଟି ଡାଇନିଂ ଭାବେ ବ୍ୟବହାର ହେଉଥିଲା। ଗତବର୍ଷ ଏହି କୋଠାକୁ ଲାଗି ରହିଥିବା ବନ ବିଭାଗର ରୋଷେଇ ଘରକୁ ଜୁଆର ଭସାଇ ନେଇଥିଲା। ଏବେ ପ୍ରତିଦିନ ସମୁଦ୍ର ଜୁଅାର ହବାଳିଖଟିର ଟୁରିଷ୍ଟ କଟେଜ୍ ଉପରେ ମାଡ‌େଦଉଛି । ଅମାବାସ୍ୟା, ପୂର୍ଣ୍ଣିମା ଓ ଲଘୁଚାପ ଜୁଅାର ସମୟରେ ସମୁଦ୍ର ଜୁଅାର ଟୁରିଷ୍ଟ କଟେଜ ଦେଇ ପଶିଅାସୁଛି। ନୂତନ ଭାବେ ନିର୍ମାଣ ହୋଇଥିବା ଡଲଫିନ ହାଉସ ଯାଏଁ ଏହା ମାଡି ଅାସୁଥିବା ବନବିଭାଗ କର୍ମଚାରୀଙ୍କ ଠାରୁ ସୂଚନା ମିଳିଛି। ଗତ ଦୁଇବର୍ଷ ମଧ୍ୟରେ ବଂଗୋପସାଗର ୫ଶହ ମିଟର କୂଳ ଓ ଜଙ୍ଗଲକୁ ଗର୍ଭସ୍ଥ କରିସାରିଛି। ଶେଷରେ ଟୁରିଷ୍ଟ କଟେଜର ମେଜିଅା ଭସାଇ ନେଇଥିବାରୁ ଅାଗାମୀ ଲଘୁଚାପ ଓ ବାତ୍ୟା ସମୟରେ ନୂତନ ଭାବେ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଡଲଫିନ ହାଉସର ସ୍ଥାୟିତ୍ୱ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି।
ଗତ ୫ ବର୍ଷ ମଧ୍ୟରେ ସାତଭାୟାରୁ ଏକକୂଳା ମଧ୍ୟରେ ପ୍ରାୟ ୧ଲକ୍ଷରୁ ଅଧିକ ଗଛକୁ ସମୁଦ୍ର ଭସାଇ ନେଇଛି। ସମୁଦ୍ର ଜୁଅାର ଏବେ ଭିତରକନିକା ଜଙ୍ଗଲ ମଧ୍ୟକୁ ପ୍ରବେଶ କରୁଛି। ସାତଭାୟାରୁ ଏକକୂଳା ମଧ୍ୟରେ କାଦୁଅାନାସୀ, ହବାଳିଖଟି ଓ ଏକକୂଳା ନିକଟରେ ଲୁଣାଜଙ୍ଗଲ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୨୦୧୬ରେ ବିରଳ ଅଲିଭରିଡଲେ କଇଁଛମାନଙ୍କୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ଅଗରନାସୀ ନିକଟରେ ତିଅାରି ହୋଇଥିବା ସୁରକ୍ଷା କ୍ୟାମ୍ପକୁ ସମୁଦ୍ର ଜୁଅାର ଭସାଇ ନେଇଥିଲା। ଯେଉଁଠି ପୂର୍ବରୁ ସୁରକ୍ଷା କ୍ୟାମ୍ପ ଓ ଜଙ୍ଗଲ ଥିଲା, ଏବେ ସେଠାରେ ସମୁଦ୍ର ଲହଡି ଭାଙ୍ଗୁଛି ।

ସମ୍ବନ୍ଧିତ ଖବର