ଶାନ୍ତି କମିଟି ବୈଠକ: ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

୧୦ ପ୍ଲାଟୁନ ଫୋର୍ସ ମୁତୟନ: ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାରେ ଇଦ୍‌ ପୂର୍ବରୁ ଗତକାଲି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପ୍ରତିବାଦରେ ଗଣ୍ଡଗୋଳ ବଢିଥିଲା। ଆଜି ସନ୍ଧ୍ୟାରେ ଏ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଶାନ୍ତି କମିଟି ବୈଠକ ବସିଛି। ବୈଠକରେ ନିଷ୍ପତ୍ତି ଅନୁସାରେ ଗଣ୍ଡଗୋଳ ଘଟଣାର ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନଷ୍ଠାନ ହେବ। କିନ୍ତୁ କୌଣସି ଅଶାନ୍ତି ସୃଷ୍ଟି କରି ନ ଥିବାରୁ ଶାନ୍ତି କମିଟି ବୈଠକରେ ଯୋଗ ଦେବା ଆବଶ୍ୟକ ନାହିଁ ବୋଲି ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଥିଲା। ବଜରଙ୍ଗ ପକ୍ଷରୁ ଉପସ୍ଥିତ ଜଣେ ମାତ୍ର ସଦସ୍ୟଙ୍କ ଜରିଆରେ ଆସନ୍ତାକାଲି ପୁନର୍ବାର ଏକ ବୈଠକ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ର, ଅତିରିକ୍ତ ଏସପି ଅରୁଣ କୁମାର ଜେନା, ଦକ୍ଷିଣାଞ୍ଚଳରୁ ଆସିଥିବା ସ୍ବତନ୍ତ୍ର ଏଏସପି ଶାନ୍ତନୁ ଦାଶ, ଏସ୍ଡ଼ିପିଓ ରାଜୀବ ଲୋଚନ ପଣ୍ଡା ପ୍ରମୁଖ ଆଲୋଚନା କରିଥିଲେ। ଶାନ୍ତି କମିଟିର ସଦସ୍ୟ ସେକ୍‌ ଚନ୍ଦନ, ସେକ୍ ମତୁ, ରଞ୍ଜିତ ସାହୁ, ଅବଦୁଲ ସତ୍ତାର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଏହି ଘଟଣାକୁ କେନ୍ଦ୍ର କରି ଆଜି ଇଦ୍‌ ଅବସରରେ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୧୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣା ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି ଏସପି ନୀତି ଶେଖର କହିଛନ୍ତି। ଆଜି ପୂର୍ବାହ୍ନ ୧୨ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସହରରେ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଆଜି କେନ୍ଦ୍ରାପଡା ପରିସ୍ଥିତି ପାଇଁ ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା) ସଂଜୀବ ପଣ୍ଡା, ଡିଆଇଜି ଦୀପ୍ତେଶ ପଟ୍ଟନାୟକ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଥିଲେ। ସେମାନେ ବିଭିନ୍ନ ଗୋଷ୍ଠୀ ସହିତ ଆଲୋଚନା କରିବା ସହ ଜିଲ୍ଲାପାଳ ଓ ଏସପିଙ୍କ ସହିତ ବୈଠକ କରିଥିଲେ।

ସମ୍ବନ୍ଧିତ ଖବର