ଆଳି: ବ୍ରାହ୍ମଣୀ ସେତୁ ତଳେ ଥିବା ପତ୍ରପୁର ବଜାରର ଏକ ତେଜରାତି ଦୋକାନରେ ମଙ୍ଗଳବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଦୋକାନ ମାଲିକ ଭୀମ ପୁଷ୍ଟିଙ୍କ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ପୋଡ଼ି ଯାଇଛି। ଏହି ଅଗ୍ନିକାଣ୍ଡ ପୂର୍ବରୁ ଭାଙ୍ଗିଯାଇ ଅସୁରକ୍ଷିତ ଅବସ୍ଥାରେ ଥିବା ବ୍ରାହ୍ମଣୀ ସେତୁ ପାଇଁ ବିପଦ ସୃଷ୍ଟି କରିଛି। ସେତୁର ଛାତ ତଳି ମଧ୍ୟ ପୋଡି ଯାଇଛି।
ସେତୁର ପ୍ରାୟ ୩୦ ଫୁଟ ପର୍ଯ୍ୟନ୍ତ ଅଂଶ ପୋଡି ଖଣ୍ଡଖଣ୍ଡ ସିମେଣ୍ଟ-କଂକ୍ରିଟ ଖସି ପଡ଼ିଛି। ସିମେଣ୍ଟ-କଂକ୍ରିଟ ପୋଡି ଖସି ପଡିବା ପରେ ସେତୁ ଛାତ ତଳିର ଲୁହାଛଡ ବାହାରକୁ ଦେଖା ଯାଉଛି। ପ୍ରକାଶ ଯେ, କ୍ରମାଗତ ଅବହେଳା, ତଦାରଖ ଓ ରକ୍ଷଣାବେକ୍ଷଣର ଅଭାବ କାରଣରୁ ବ୍ରାହ୍ମଣୀ ସେତୁରେ ଫାଟ ସୃଷ୍ଟି ହୋଇଥିବା ସଂପର୍କରେ ଗତ ୫ ତାରିଖ ସମ୍ବାଦରେ ‘ଭୁଷୁଡିବ ବ୍ରାହ୍ମଣୀ ସେତୁ’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ସେତୁରେ ଫାଟ ପରେ ଦୁର୍ବଳ ସେତୁ ଭାରିଯାନ ନେବା ନିଷିଦ୍ଧ ନେଇ ଏକ ସତର୍କ ସୂଚନା ଫଳକ ମଧ୍ୟ ସେତୁ ଉପରେ ଲଗାଯାଇଛି। ସତର୍କ ସୂଚନାରେ ଗାଡି ଗୁଡିକର ବେଗ ୨୦ କି.ମି ରହିବାକୁ ମଧ୍ୟ ସୂଚନା ରହିଛି। ଏହି ଫଳକ କିଏ କେଉଁ ବିଭାଗ ଲଗାଇଛି ତାର କୌଣସି ସୂଚନା ଫଳକରେ ନଥିବା ବେଳେ ସତର୍କ ସୂଚନାକୁ କେହି ବି ଗାଡି ଚାଳକ ମାନୁ ନ ଥିବାରୁ ସେତୁ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି।
୩୨ ବର୍ଷ ତଳେ ୧୯୮୫ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ଏହି ସେତୁ ବିଭାଗୀୟ ଅବହେଳା ଯୋଗୁ ଭାଙ୍ଗି, ଫାଟି ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କେତେକ ନ୍ୟସ୍ତ ସ୍ୱାର୍ଥ ଲୋକ ସେତୁର ଜଳ ନିଷ୍କାସନ ବାଟକୁ ବନ୍ଦ କରିଦେବା ଯୋଗୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଏହି ସେମାନେ କହିଛନ୍ତି। ତେବେ ବିପଜ୍ଜନକ ବ୍ରାହ୍ମଣୀ ସେତୁ ପ୍ରତି ଗତକାଲି ରାତିର ଅଗ୍ନିକାଣ୍ଡ ଆହୁରି ବିପଦର କାରଣ ହୋଇଛି। ଭଦ୍ରକରୁ କଟକ ସିଧା ସଳଖ ଯୋଗାଯୋଗ କରୁଥିବା ଏହି ବ୍ରାହ୍ମଣୀ ସେତୁର ସଂକଟାପନ୍ନ ଅବସ୍ଥା ହଜାରହଜାର ଲୋକଙ୍କ ପାଇଁ ଆତଙ୍କର କାରଣ ହୋଇଛି।
ଦୋକାନ ଜଳିିଗଲା, ୩ ଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ:ପୁଣି ବ୍ରାହ୍ମଣୀ ସେତୁ ପାଇଁ ବିପଦ
/sambad/media/post_attachments/wp-content/uploads/2018/01/jgt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)