ଆଳି: ବାପାଙ୍କ ମୃତ୍ୟୁର ୪ ଦିନ ପରେ ବନ୍ଧୁଖବର କରିବାକୁ ଯାଇ ଆଜି ପୁଅର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି। ଅପରପକ୍ଷରେ ଆଉ ଏକ ଅଜଣା ଗାଡ଼ି ଧକ୍କାରେ ଜନୈକ ଯୁବକ ଗୁରୁତର ଆହତ ହୋଇ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି।
ଘଟଣାରୁ ଜଣାପଡିଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ତରିପାଟଣା ଗ୍ରାମ ନିବାସୀ ନାରାୟଣ ପଣ୍ଡାଙ୍କର ୪ ଦିନ ତଳେ ମୃତ୍ୟୁ ଘଟିଛି। ବାପାଙ୍କ ମୃତ୍ୟୁର ୪ ଦିନରେ ବନ୍ଧୁଖବର ଦେବାକୁ ସ୍ବର୍ଗତ ନାରାୟଣଙ୍କ ପୁଅ ଶ୍ରୀକାନ୍ତ ପଣ୍ଡା(୩୨) ଆଜି ସିଂହପୁର ଯାଇଥିଲେ। ସେଠାରୁ ସେ ଫେରିବା ବାଟରେ ଗୋବିନ୍ଦପୁର-ମାନପୁର ରାସ୍ତାର ଘୋଷରା ନିକଟରେ ବାଇକ ସହିତ ଶ୍ରୀକାନ୍ତ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ସଜ୍ଞାହୀନ ହୋଇ ପଡିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀକାନ୍ତଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଛି। କୌଣସି ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। କୁଏତରେ ରହୁଥିବା ଶ୍ରୀକାନ୍ତ ବାପା-ମା'ଙ୍କର ଏକମାତ୍ର ପୁଅ। ଏହି ଦୁଃଖଦାୟକ ଖବର ପ୍ରଚାରିତ ହେବା ପରେ ତରିପାଟଣା ଗାଁ,ନରେନ୍ଦ୍ରପୁର ପଞ୍ଚାୟତ ସମେତ ସମଗ୍ର ଆଳି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
କଟକଣା ଅଭାବ କାରଣରୁ ଲଗାତାର ଭାବେ ଦୁର୍ଘଟଣା ଘଟୁଛି। ସବୁଠାରୁ ବଡ଼ କଥା ହେଉଛି ବେପରଓ୍ବା ଗାଡ଼ି ଚାଳନା କରୁଥିବା ଗାଡ଼ି ଚାଳକ ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଛନ୍ତି। ସ୍ଥାନୀୟ ପୁଲିସ, ପ୍ରଶାସନ ଏଥିପ୍ରତି ସଜାଗ ହେବାପାଇଁ ସାଧାରଣରେ ଦାବି ହେଉଛି।
ସେହିପରି ଆଜି ସନ୍ଧ୍ୟାରେ କଟକ-ଚାନ୍ଦବାଲି ରାସ୍ତାର ଶାସନ ଛକ ନିକଟରେ ଆଉ ଏକ ଅଜଣା ଗାଡ଼ି ଧକ୍କାରେ ରାଜକନିକା ଥାନା ଓଳାଭର, ସାତଘରିଆ ଗ୍ରାମର ମନୋଜ ନାଥ ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରାପଡାରେ ରହୁଥିବା ମନୋଜ ଘରେ ବାପାଙ୍କୁ ଔଷଧ ଦେଇ କେନ୍ଦ୍ରାପଡ଼ା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ବାଇକ ଚାଳକ ମନୋଜଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ମନୋଜ ରାସ୍ତା ଉପରେ କ୍ଷତବିକ୍ଷତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଅଗ୍ନିଶମ ବିଭାଗ ଗାଡ଼ିରେ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମନୋଜଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
Kendrapara | Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/Fs6NIpDhuESm4z8zb9Jp.jpg)