କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ କ୍ରୀଡ଼ା ଶିକ୍ଷକ ନିଲମ୍ବିତ

ମହାକାଳପଡ଼ା: ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଗୁରୁବାର ଜଣେ କ୍ରୀଡ଼ା ଶିକ୍ଷକ ନିଲମ୍ବିତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କୁଞ୍ଜ ବିହାରୀ ଉଚ୍ଚ ବିଦ୍ୟାଭବନର କ୍ରୀଡ଼ା ଶିକ୍ଷକ ବିଦ୍ୟାପତି ଜେନା ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ବିଦ୍ୟାପତି ନିଜ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଛାତ୍ରୀଙ୍କ ଅଭିଭାବକଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅ ଗତ ଅକ୍ଟୋବର ୨୭ରେ ମହାକାଳପଡ଼ା ଠାରେ ବ୍ଲକ ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ଯାଇଥିଲେ। ଫେରିବା ବେଳକୁ ରାତି ହୋଇ ଯାଇଥିଲା। ରାତିର ସୁଯୋଗ ନେଇ ଛାତ୍ରୀଙ୍କୁ ବିଦ୍ୟାପତି ଅସଦାଚରଣ କରିଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା ଆଜି ଅଭିଯୋଗ ହେବା ପରେ ବିଦ୍ୟାପତିଙ୍କୁ ନିଲମ୍ବିତ କରିଛନ୍ତି। କଂସାର ତରପଦାସ୍ଥିତ କୁଞ୍ଜ ବିହାରୀ ଉଚ୍ଚ ବିଦ୍ୟାଭବନ ପରିସରରେ ଅଭିଭାବକମାନେ ଉତ୍ତେଜନା ପ୍ରକାଶ କରିଛନ୍ତି। ସେମାନେ ଘଟଣା ପାଇଁ ପ୍ରଧାନଶିକ୍ଷକଙ୍କୁ ଦାୟୀ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର