ଟିଟୋ ମାମଲାରେ ସୟଦ ଫିଲିଙ୍ଗ ଷ୍ଟେସନ୍‌ରେ ତାଲା ଭାଙ୍ଗି କାଗଜପତ୍ର ଯାଞ୍ଚ କଲା ଏସ୍‌ଟିଏଫ୍‌-ସିବିଆଇ ଟିମ୍‌

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ମାମଲାରେ ଗୁରୁବାର ଏସ୍‌ଟିଏଫ ଓ ସିବିଆଇର ଟିମ୍‌ ସୟଦ ଫିଲିଙ୍ଗ ଷ୍ଟେସନ୍‌ରେ ତାଲା ଭାଙ୍ଗି କାଗଜପତ୍ର ଯାଞ୍ଚ କରିଛି। ଟିଟୋ ଗିରଫ ହେବାର କିଛି ଦିନ ପରେ ଏହି ପେଟ୍ରୋଲ ପମ୍ପ ବନ୍ଦ ଥିଲା। ୬ ଜଣିଆ ଟିମ୍‌ରେ ଇନ୍‌ସପେକ୍ଟର ସରୋଜ ଆଚାର୍ଯ୍ୟ, ସିବିଆଇର ଚିନ୍ମୟ, ଏସ୍‌ଟିଏଫ୍‌ ଡିଏସ୍‌ପି ତପନ ମହାନ୍ତି, ରାମଚନ୍ଦ୍ର ଥମ୍ବା ମଧ୍ୟ ଉପସ୍ଥିତ ଥିଲେ।

ଗ୍ୟାଙ୍ଗଷ୍ଟର ଟିଟୋ ପତ୍ନୀ ବେନଜୀର୍‌ ବିବିଙ୍କ ନାଁରେ ପେଟ୍ରୋଲ ପମ୍ପ ଖୋଲିଥିବା ଜାଣିବା ପରେ ସିବିଆଇ ପକ୍ଷରୁ ୨୦୧୮ ଜୁଲାଇ ୨୪ରେ ମାମଲା ରୁଜୁ କରିଥିଲା। ପରେ କେନ୍ଦ୍ରାପଡ଼ା ଠାରେ ଟିଟୋର ସୟଦ ବ୍ରଦର୍ସ ଫିଲିଂ ଷ୍ଟେସନ ଓ ପାରାଦୀପ ଠାରେ କୋକୋ ପେଟ୍ରୋଲ ପମ୍ପର ସଂପର୍କରେ ଏସ୍‌ଟିଏଫ ଅବଗତ ଥିଲା। ଏ ନେଇ ଏସ୍‌ଟିଏଫ୍‌ କେସ୍‌ ନମ୍ବର ୮/୧୮ରେ ଏକ ସ୍ୱତନ୍ତ୍ର ଭାବେ ମାମଲା ରୁଜୁ କରି ତଦନ୍ତ କରୁଛି। ଏସ୍‌ଟିଏଫ୍‌ ୨ ପେଟ୍ରୋଲ ପମ୍ପ ସିଲ କରିବା ପରେ ଗୁରୁବାର ଟିଟୋ ସୟଦ ଫିଲିଙ୍ଗ ଷ୍ଟେସନ୍‌ରେ ତାଲା ଭାଙ୍ଗି କାଗଜପତ୍ର ଯାଞ୍ଚ କରିଛି।

କୁଖ୍ୟାତ ଅପରାଧୀ ଟିଟୋକୁ ପୁଲିସ ଗତ ବର୍ଷ ଜୁନ ୩୦ରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲଠାରେ ଏନ୍‌କାଉଣ୍ଟର କରିଥିଲା। ଏନକାଉଣ୍ଟର ପରେ ଟିଟୋକୁ ପୁଲିସ ହସ୍ପିଟାଲରେ ଭର୍ତ୍ତି କରିଥିଲା ଏବଂ ସ୍ୱାସ୍ଥ୍ୟ ଠିକ ହେବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର