ଆଳି: ରାସ୍ତା ଅବରୋଧ ପ୍ରତିବାଦରେ ତହସିଲ ଅଫିସ୍‌ ଘେରାଉ କଲେ ଆନ୍ଦେଳନକାରୀ

ଆଳି: ରାସ୍ତା ଅବରୋଧ ପ୍ରତିବାଦରେ ଗୁୁରୁବାର ପଦନୀପାଳ ପଞ୍ଚାୟତର ୫୦୦ରୁ ଉର୍ଦ୍ଧ୍ବ ଲୋକ ଆଳି ତହସିଲ ଘେରାଉ କରି ଅଫିସ ଆଗରେ ଧାରଣାରେ ବସି ରହିଛନ୍ତି। କନିକା ତହସିଲ ଅଧିନସ୍ଥ ପଦନୀପାଳର ପଡୋଶୀ ନମତରା ଗ୍ରାମବାସୀ ମାନେ ରାସ୍ତା କାଟି, ବାଡ ବୁଜି ଓ ଠେଙ୍ଗାବାଡି ଧରି ସଂଘବଦ୍ଧ ଭାବେ ପଦନୀପାଳ ଲୋକଙ୍କୁ ରାସ୍ତାରେ ଛାଡୁ ନଥିବାର ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଛନ୍ତି।

ଦୁଇ ମାସ ହେଲା ରାସ୍ତା କାଟି ଯାତାୟତ ବନ୍ଦ କରିଥିବା ନମତରା ଗ୍ରାମବାସୀ ଗତ ୩ ଦିନ ହେଲା ରାସ୍ତାରେ ବାଡ ବୁଜି ଦେବା ଫଳରେ ଚାରିପଟରୁ ନଦୀ ଘେରରେ ଥିବା ପଦନୀପାଳ ପଞ୍ଚାୟତର ଦୈତ୍ୟାରୀପୁର, କଳମଡା ଶାସନ ଓ ପଦନୀପାଳ ଗ୍ରାମବାସୀ ଘରୁ ବାହାରି ପାରୁନାହାନ୍ତି। ଏପରିକି ନମତରା ଗ୍ରାମବାସୀମାନେ ସଂକଟାପନ୍ନ ରୋଗୀ ଓ ପ୍ରସବ ବେଦନାରେ ଥିବା ଜନୈକା ମହିଳାଙ୍କୁ ଡାକ୍ତରଖାନା ଛାଡି ନଥିବାର ଧାରଣାକାରୀ ମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ରାସ୍ତା ଅବରୋଧ ହଟାଇବା ଦାବିରେ ୫୦୦ରୁ ଉର୍ଦ୍ଧ୍ବ ଧାରଣାକାରୀମାନେ ବସନ୍ତ ମହାନ୍ତି, ଗୁରୁ ଚରଣ ମହାନ୍ତି ଓ ଯଦୁମଣି ମଲିକଙ୍କ ନେତୃତ୍ୱରେ ଧାରଣାରେ ବସିରହିଛନ୍ତି।

ସମ୍ବନ୍ଧିତ ଖବର