ଟିଟୋ ପ୍ରତି ଏସ୍‌ଟିଏଫ୍‌ ନରମ!:‘ଡି’ ଗ୍ୟାଙ୍ଗ ଧ୍ୱଂସ ବେଳେ ଶକ୍ତି ଦେଖାଇଥିଲା ପୁଲିସ

ଏନକାଉଣ୍ଟରର ୫ ଦିନ ପରେ ବି ହେଲାନି ଆଡାରେ ଚଢଉ

କେନ୍ଦ୍ରାପଡ଼ା: ଗ୍ୟାଙ୍ଗ୍‌ଷ୍ଟର ଧଳସାମନ୍ତ ବ୍ରଦର୍ସ ସାମ୍ରାଜ୍ୟ ଉପରେ ଚଢ଼ାଉ କରି ଅପରାଧମୁକ୍ତ ଓଡ଼ିଶାର ଚିତ୍ର ଦେବାକୁ ବଦ୍ଧ ପରିକର ଥିବା ଓଡ଼ିଶା ପୁଲିସ୍‌ ଏବେ ଟିଟୋ ସାମ୍ରାଜ୍ୟରେ ଚଢ଼ଉ ବେଳେ ଅପେକ୍ଷାକୃତ ରକ୍ଷଣାତ୍ମକ ଭୂମିକା ଗ୍ରହଣ କରୁଛି। ସାଧାରଣରେ ଗୋଟିଏ କଥା ସ୍ପଷ୍ଟ ହେଉ ନାହିଁ ଯେ ଧଳ ସାମନ୍ତ ବ୍ରଦର୍ସଙ୍କ ଉପରେ ଚଢ଼ାଉ ଓ ଟିଟୋ ଗ୍ୟାଙ୍ଗ୍‌ରେ ଚଢ଼ାଉ ଭିତରେ ଏପରି ଆକାଶ ପାତାଳ ପ୍ରଭେଦ କିପରି? ଅପରାଧ ଦୁନିଆରେ ରାଜ୍ୟର ଅନ୍ୟତମ ବୃହତ୍‌ ନେଟ୍‌ଓ୍ଵାର୍କର ଡନ୍‌ ଗ୍ୟାଙ୍ଗ୍‌ଷ୍ଟର ଟିଟୋ ବିରୋଧରେ ପୁଲିସ୍‌ ଯଥେଷ୍ଟ ପ୍ରମାଣ ଯୋଗାଡ଼ କରି ପାରି ନାହିଁ ଅଥବା ଜାଣି ଶୁଣି ଆକ୍ରମଣାତ୍ମକ ଭଙ୍ଗୀରେ ତଦନ୍ତ କରୁ ନାହିଁ ? ଟିଟୋର ଗିରଫଦାରୀ ଦିନ ଠାରୁ ହିଁ ଏହା ସ୍ପଷ୍ଟ ହୋଇଥିଲା । କାରଣ ଟିଟୋକୁ ଘରୁ ଉଠାଇ ନେବା ବେଳେ କୌଣସି ସୋରଶବ୍ଦ ନଥିଲା । ବରଂ ସ୍ୱତନ୍ତ୍ର ଟାସ୍କଫୋର୍ସ ଟିଟୋକୁ କେନ୍ଦ୍ରାପଡ଼ାରୁ ଉଠାଇ ନେବା ପରେ ଚଣ୍ଡୀଖୋଲ ନିକଟରେ ଯେଭଳି ଢଙ୍ଗରେ ଏନ୍‌କାଉଣ୍ଟର(!) କଲା ତାହା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଉଛି । ପୁଲିସ୍‌ କହୁଛି ଟିଟୋର ଅଣ୍ଡରଓ୍ଵାର୍ଲ୍ଡ ଲିଙ୍କ୍‌ ଅଛି କି ନା ସେନେଇ ପଚରାଉଚୁରା କରାଯିବ ।

ବିଶେଷକରି କେତେକ ପ୍ରମୁଖ ହତ୍ୟାକାଣ୍ଡ ନେଇ ଟିଟୋକୁ ଜେରା କରାଯିବ । ୫ ଦିନିଆ ରିମାଣ୍ଡ୍‌ରେ ନେବା ପରେ ତାକୁ କେଉଁ କେଉଁ ଅପରାଧ ଉପରେ ଯାଂଚ କରାଯିବ ଆବଶ୍ୟ ତାହା ସ୍ପଷ୍ଟ ହେବ ।
ତେବେ କେବଳ ଅଣ୍ଡରଓ୍ଵାର୍ଲଡ ନୁହଁ ବରଂ ଓଡ଼ିଶା ରାଜନୀତିରେ ବିି ଟିଟୋର ପ୍ରଭାବ ରହୁଛି। ପୁଲିସ୍‌, ଗଣମାଧ୍ୟମ, ରାଜନେତା ଠାରୁ ଆରମ୍ଭ କରି ତଥା କଥିତ ବୁଦ୍ଧିଜୀବୀ ଏହି ଗ୍ୟାଙ୍ଗ୍‌ଷ୍ଟରର ସାନ୍ନିଧ୍ୟ ଲାଭ କରିଥିବା କିଛି କିଛି ପ୍ରମାଣ ରହିଛି । ତତ୍‌କାଳୀନ ଏସ୍‌ପି ନରସିଂହ ଭୋଳଙ୍କ ଚଢ଼ାଉ ବେଳେ ଏସବୁର ସୁରାକ୍‌ ମିଳିଥିଲା । ପରବର୍ତ୍ତି ସ୍ଥିତିରେ ଟିଟୋ କୌଣସି ଅପରାଧ ଘଟଣା ସିଧାସଳଖ ସଂପୃକ୍ତ ଥିବା ପ୍ରମାଣ ନଥିବାରୁ ପୁଲିସ୍‌ କେଉଁ ଆଧାରରେ ଗିରଫ କରିବ ଖୋଜିବାକୁ ଯାଇ ପୁଲିସ୍‌ ଉପରକୁ ଗୁଳି ଚଳାଇ ଖସି ଯିବା ଉଦ୍ୟମ କଲାରୁ ଏନ୍‌କାଉଣ୍ଟର କରାଗଲା ବୋଲି କେସ୍‌ କରିଛି। ପୁଲିସ୍‌କୁ ମଧ୍ୟ ଏବେ ଭୟ ଯେ ଟିଟୋକୁ ଜେରା କରାଗଲେ, ସେ ଯାହାସବୁ ଓଗାଳିବ ତାହା ପୁଲିସକୁ ବି ଅକଳରେ ପକାଇଦେବ।
ଏକ ପ୍ରମୁଖ ରାଜନୈତିକ ଦଳର ଶୋଭାଯାତ୍ରା ପାଇଁ ୫ଶହ ବାଇକ୍‌ ଯୋଗାଡ଼ କରିବା ପଛରେ ଟିଟୋ ଗ୍ୟଙ୍ଗ୍‌ର ହାତ ଥିଲା । ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଦୁଇ ଗୋଷ୍ଠୀ ଭିତରେ ଶୋଭାଯାତ୍ରାରେ ଦମ୍‌ ଦେଖାଇବାର ପ୍ରତିଦ୍ୱନ୍ଦ୍ୱିତାରେ ଟିଟୋ ଅସ୍ତ୍ର ହୋଇଥିଲା । ଗୋଟିଏ ଗୋଷ୍ଠୀର ଶୋଭାଯାତ୍ରାକୁ ବିଫଳ କରିବାକୁ ଅନ୍ୟ ଗୋଷ୍ଠୀ ଲାଗିଥିବା ବେଳେ ଟିଟୋ ୫ଶହ ଯୁବକଙ୍କୁ ବାଇକ୍‌ ଶୋଭାଯାତ୍ରାରେ ଛାଡ଼ି ନିଜର କ୍ଷମତା ଦେଖାଇଥିଲା। ସେତେବେଳେ ପୁଲିସ୍‌ ସବୁ ଜାଣି ଚୁପ୍‌ ରହିଥିଲା। କେବଳ ସେତିକି ନୁହଁ ଟିଟୋକୁ ଯେଉଁ ଆଡ୍ଡାରୁ ଗିରଫ କରାଗଲା ସେଠାରେ ଶୋଭାଯାତ୍ରାରେ ବ୍ୟବହାର କରାଯାଇଥିବା ଟିଟୋର ଏକ ଖୋଲାଜିପ୍‌ ମଧ୍ୟ ଦେଖିବାକୁ ମିଳିଥିଲା । ଏସବ ଦୃଶ୍ୟ ମଧ୍ୟ ପୁଲିସ୍‌ ଆଖିରେ ପଡ଼ିଥିଲା ଓ ଟିଟୋ ସୁରକ୍ଷିତ ଥିଲା । ସେତେବେଳେ ମଧ୍ୟ ଟିଟୋକୁ ପୁଲିସ୍‌ ଗିରଫ ନ କରି ରହିଥିଲା । ଆଉ ଏକ ରାଜନୈତିକ ଦଳ ମଧ୍ୟ ଦୀର୍ଘ ଦିନର ସୁପ୍ତ ସ୍ଥିତି ପରେ ହଠାତ୍‌ ଚେଇଁ ଉଠିବା ପଛରେ ଟିଟୋର ଥିଲା ପ୍ରମୁଖ ଭୂମିକା। ତେଣୁ ବିଭିନ୍ନ ସଂଗଠନ, ରାଜନେତା ଏପରିକି କେତେକ ଦୁର୍ନୀତିଗ୍ରସ୍ତ ପୁଲିସ୍‌ ଓ ଗଣମାଧ୍ୟମ ପ୍ରତିନିଧି ଟିଟୋ ଡାଏରି ତାଲିକାରେ ଥିବାରୁ ସେ କେନ୍ଦ୍ରାପଡ଼ା ଭଳି ଏକ ଛୋଟିଆ ସହରରେ ଏକଦମ୍‌ ସୁରକ୍ଷିତ ଥିଲା। ଅପରାଧ ଦୁନିଆରୁ ହଟି ବ୍ୟବସାୟରେ ମନ ବଳାଇବା ସହ ଟିଟୋ ରାଜନୈତିକ ସୁରକ୍ଷା ଖୋଜି ବସିଥିଲା । ତେବେ ଧଳସାମନ୍ତ ପରି ଟିଟୋର ସାମ୍ରାଜ୍ୟ କିଛି କମ୍‌ ନୁହଁ । କିନ୍ତୁ ଅଳ୍ପ ଦିନ ଭିତରେ ଧଳସାମନ୍ତ ସାମ୍ରାଜ୍ୟ ଉପରେ ପୁଲିସ ବାହିନୀ ଯେପରି ପଂଝା ମାରିଥିଲା ଟିଟୋ କ୍ଷେତ୍ରରେ ସେପରି ଆକ୍ରମଣାତ୍ମକ ମୁଦ୍ରା ଦେଖିବାକୁ ମିଳି ନାହିଁ। ଟିଟୋର ତଥାକଥିତ ବ୍ୟବସାୟ ଭିତରେ ଥିଲା କଟକ-ପାରାଦ୍ୱୀପ ରେଳପଥ ନିର୍ମାଣ ଠିକାଦାରୀ କାମ। ଏହି କାମ ପାଇଁ ମୋରମ୍‌ ଓ ବାଲି ଖାଦାନ ଦୁର୍ନୀତିର ଚେର ଲମ୍ବିଥିଲା ଯାଜପୁରରୁ କେନ୍ଦ୍ରାପଡ଼ା, ପାରାଦ୍ୱୀପ, ଜଗତସିଂହପୁରରୁ କଟକ, ଭୁବନେଶ୍ୱର ପର୍ଯ୍ୟନ୍ତ। କୋଟି କୋଟି ଟଙ୍କାର ବ୍ୟବସାୟ କାରବାରକୁ ସମ୍ଭାଳୁଥିଲା ବିନା ଅଫିସ୍‌, ବିନା କମ୍ପ୍ୟୁଟର ଅବା ଖାତା ଖତିଆନରେ। କିନ୍ତୁ ରିମାଣ୍ଡରେ ନେଇ ଏସଟିଏଫ୍‌ ଟିଟୋର କେତେ ସତ ଓଗାଳି ପାରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର