ପିଡିଏସ୍‌ ସାମଗ୍ରୀ ଚୋରା ଚାଲାଣ! ଟ୍ରକ୍‌ ସହ ୨୧୦ବସ୍ତା ଗହମ ଜବତ; ଧରିଲା ପୁଲିସ; ଫାଙ୍କିଲା ଯୋଗାଣ ବିଭାଗ

ଜିଲ୍ଲାପାଳଙ୍କ ନିର୍ଦେଶ ପରେ ସିଏସ୍‌ଓଙ୍କ ତଦନ୍ତ

କେନ୍ଦ୍ରାପଡ଼ା: ଚୋରା ଚାଲାଣ ସନ୍ଦେହରେ ଗୋପ-ଦୁତିଆଳ ରାସ୍ତାରେ ଯାଉଥିବା ଏକ ଗହମ ବୋଝେଇ ଆଇଚର‌୍‌ ଟ୍ରକ୍‌କୁ ଆଜି ଅପରାହ୍ନରେ ସଦର ପୁଲିସ ଜବତ୍‌ କରିଛି। ଏଥିରେ ୨୧୦ବସ୍ତା ଗହମ ଥିବା ବେଳେ ସବୁତକ ପିଡିଏସ୍‌ ସାମଗ୍ରୀ ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ହେଲପର ଚନ୍ଦନ ପ୍ରଧାନଙ୍କୁ ଅଟକ ରଖିଥିବା ବେଳେ ଡ୍ରାଇଭର‌୍‌ ଗାଡ଼ି ଛାଡ଼ି ଫେରାର‌୍‌ ହୋଇଯାଇଛି। ତେବେ ଛଘରିଆସ୍ଥିତ ଯୋଗାଣ ବିଭାଗ ଗୋଦାମରୁ ଆସିଥିବା ଏହି ଗହମ ଦୁତିଆଳସ୍ଥିତ ମା’ ଶାରଳା ଫୁଡ୍‌ସ ଫ୍ୟାକ୍ଟ୍ରିକୁ ଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ସଦର ଥାନାଧିକାରୀ ପ୍ରମୋଦ ମଲ୍ଲିକ ସୂଚନା ଦେଇଛନ୍ତି। ଗୋଟିଏପଟେ ଥାନାଧିକାରୀ ଏ ପ୍ରକାର ସୂଚନା ଦେଇଥିବା ବେଳେ ଅନ୍ୟପଟେ ଏହା ସରକାରୀ ଗୋଦାମରୁ ଯାଇ ନ ଥିବା କହି ଦାୟିତ୍ବରେ ଥିବା ଯୋଗାଣ ବିଭାଗ ଇନସ୍ପେକ୍ଟର‌୍‌ ଫାଙ୍କି ଦେବାକୁ ଉଦ୍ୟମ କରିବା ଘଟଣା ଜିଲ୍ଲାରେ ବଡ଼ଧରଣର ପିଡିଏସ୍‌ ସାମଗ୍ରୀ କେଳେଙ୍କାରୀର ଆଭାଷ ଦେଇଛି।

ଏହି ଚୋରା ଚାଲାଣ ପଛରେ ଯୋଗାଣ ବିଭାଗର କିଛି ଅଧିକାରୀ ଓ କର୍ମଚାରୀଙ୍କ ସ˚ପୃକ୍ତି ଥିବା ସନ୍ଦେହ ହେଉଥିବା ବେଳେ ଜିଲ୍ଲାପାଳ ସମର୍ଥ ବର୍ମା ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ, ଦିନ ପ୍ରାୟ ସାଢେ଼ ୨ଟା ବେଳେ ଏହି ଗହମ ବୋଝେଇ ଟ୍ରକ୍‌(ଓଡି୦୫ଏପି-୨୬୬୮) ଗୋପ-ଦୁତିଆଳ ରାସ୍ତାରେ ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି କାଗଜପତ୍ର ମାଗିଥିଲା। କିନ୍ତୁ ଡ୍ରାଇଭର‌୍‌ ଘଟଣାସ୍ଥଳରୁ ଫେରାର‌୍‌ ହୋଇଯାଇଥିବା ବେଳେ ହେଲପର‌୍‌ ଟ୍ରାଞ୍ଜିଟ୍‌ ପାସ୍‌ କିମ୍ବା ଅନ୍ୟାନ୍ୟ କାଗଜପତ୍ର ଦେଖାଇ ପାରିନଥିଲା। ଫଳରେ ପୁଲିସ ଥାନାକୁ ଆଣି ଟ୍ରକ୍‌ ସହିତ ଗହମକୁ ଜବତ୍‌ କରିଛି। ତେବେ ଜେରାରେ ଦୁତିଆଳସ୍ଥିତ ତାପସ ରାଉତଙ୍କ ଶାରଳା ଫୁଡ୍‌କୁ ଗହମ୍‌ ଯାଉଥିଲା ବୋଲି ହେଲପର‌୍‌ ଚନ୍ଦନ ପ୍ରଧାନ ସ୍ବୀକାର କରିଥିବା ଥାନାଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

ବଡ଼ କଥା ହେଉଛି, ତାପସ କୌଣସି ଡିଲର‌୍‌ ନୁହନ୍ତି। ଏଭଳି ସ୍ଥିତିରେ କିଭଳି ତାଙ୍କ ଗୋଦାମକୁ ସରକାରୀ ଗୋଦାମରୁ ଗହମ ଯାଉଥିଲା, ତାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ଶାରଳା ଫୁଡ୍‌ସ ପ୍ରୋପାଇଟର‌୍‌ ତାପସ ଥାନାରେ ପହଞ୍ଚିଥିଲେ ଗହମ ସ˚ପର୍କରେ ଉପଯୁକ୍ତ କାଗଜପତ୍ର ଦେଇପାରିନଥିବା ଶ୍ରୀ ମଲ୍ଲିକ କହିଛନ୍ତି। ସେହିପରି ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟନ୍ତଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ରଶ୍ମିତା ସାହୁ ଘଟଣାର ତଦନ୍ତ କରିବାକୁ ଥାନାକୁ ଯାଇଥିବା ସୂଚନା ମିଳିଛି। ସେପଟେ ଘଟଣାକୁ ସ˚ପୂର୍ଣ୍ଣ ଫାଙ୍କିଦେବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଜୋରଦାର‌୍‌ ଉଦ୍ୟମ ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏଭଳି ସ୍ଥିତିରେ ଜିଲ୍ଲାପାଳ କହିଛନ୍ତି ଯେ ଯୋଗାଣ ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ କହିଛି। ତଦନ୍ତରୁ ଯଦି କୌଣସି ପ୍ରକାର ଅନୟିମତତା ବାହାରେ, ତେବେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର