କେନ୍ଦ୍ରାପଡ଼ାରେ ନୂଆ ଗ୍ୟାଙ୍ଗ୍‌ ‘ଭାଇଲୋଗ୍‌’

ଠିକାଦାର କ୍ୟାମ୍ପରେ ବୋମାମାଡ଼ ଘଟଣାରେ ଦୁଇ ଗିରଫ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ‘ଭାଇଲୋଗ୍‌’ ନାଁରେ ଏକ ନୂଆ ଗ୍ୟାଙ୍ଗ୍‌ର ଆବିର୍ଭାବ ହୋଇଛି। ଏକ ଠିକାଦାର କ୍ୟାମ୍ପ୍‌ରେ ବୋମାମାଡ଼ ଘଟଣାରେ ୨ ଜଣ ଗିରଫ ହେବା ପରେ ଏହି ଗ୍ୟାଙ୍ଗ୍‌ର ସ୍ୱରୂପ ପଦାକୁ ଆସିଛି। ଗିରଫ ଅପରାଧୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଠିକାଦାରଙ୍କ ସହଯୋଗୀ। ବଟି ମୂଲ୍‌ଚାଲ୍‌କୁ ନେଇ ମନରେ ଅସନ୍ତୋଷ ଯୋଗୁ ସେ ଏପରି କାଣ୍ଡ ଘଟାଇଥିବା ପୁଲିସ୍‌ କହିଛି। ଅନ୍ୟପକ୍ଷରେ, ଏହି ନୂଆ ଗ୍ୟାଙ୍ଗ୍‌କୁ ନେଇ ପୁଲିସ୍‌ର ମୁଣ୍ଡବ୍ୟଥାର ଆରମ୍ଭ ହୋଇଛି।

ଗତ ୨୨ତାରିଖ ଦିନ ଏହି ବୋମାମାଡ଼ ଘଟଣା ଘଟିଥିଲା। ପାଟକୁରା ଥାନା ଅନ୍ତର୍ଗତ ଚାଉଳିଆବାମରାଠାରେ ଦୁର୍ବୃତ୍ତମାନେ ଏକ ଠିକାସଂସ୍ଥା କ୍ୟାମ୍ପ ଉପରକୁ ବୋମାମାଡ଼ କରିଥିଲେ। ଏଥିରେ ଠିକାଦାର ନଳିନୀ ମହାପାତ୍ର ଆହତ ହୋଇଥିଲେ। ଏହି ଘଟଣାର ୮ ଦିନ ପରେ ପୁଲିସ୍‌ ଦୁର୍ବୃତ୍ତଙ୍କୁ ଧରିବାକୁ ସକ୍ଷମ ହୋଇଛି। ମାତ୍ର, ତଦନ୍ତରୁ ପୁଲିସ୍‌କୁ ଚମ୍‌କେଇଦେବା ଭଳି ତଥ୍ୟ ମିଳିଛି। ପ୍ରଥମତଃ, ଏହି ବୋମାମାଡ଼ ଘଟଣାର ସୂତ୍ରଧର ହେଉଛନ୍ତି ଠିକଦାରଙ୍କ ସହଯୋଗୀ ବଙ୍ଗାରୀର ଗଣେଶ୍ୱର ନାୟକଙ୍କ ପୁଅ ଅମର କୁମାର ନାୟକ(୨୯) ଓରଫ୍‌ ବାଟୁଆ। ପୁଲିସ୍‌ ଅମରଙ୍କୁ ଗିରଫ ହୋଇଥିବାବେଳେ ତାଙ୍କ ସହିତ ଗିରଫ ହୋଇଛନ୍ତି ତେଣ୍ଡାକୁଡ଼ା ଗ୍ରାମର ମୀର ଲୁତୁଫ୍‌ଙ୍କ ପୁଅ ମୀର ସାନଉଲ୍ଲା ଓରଫ୍‌ ଟିକି(୩୪)। ଦ୍ୱିତୀୟତଃ, ୨ ଦୁର୍ବୃତ୍ତଙ୍କ ଗିରଫ ଓ ଘଟଣାର ପର୍ଦ୍ଦାଫାସ୍‌ ସହିତ ଏକ ନୂଆ ଗ୍ୟାଙ୍ଗ୍‌ ‘ଭାଇଲୋଗ’ ସମ୍ପର୍କରେ ସୂଚନା ମିଳିଛି।

ପୁଲିସ୍‌ର କହିବାନୁସାରେ, ତେଣ୍ଡାକୁଡ଼ା ଅଞ୍ଚଳର ଏହି ଅସାମାଜିକ ଗ୍ୟାଙ୍ଗ୍‌ ‘ଭାଇଲୋଗ୍‌’ ନାମରେ ରୀତିମତ ଦାଦାବଟି ଆଦାୟ କରୁଥିଲେ। ନଳିନୀ ତଳକୁସୁମା ପଟେ ଅନ୍ୟ ଜଣେ ଠିକାଦାର ଟୁଟୁ ପଟ୍ଟନାୟକଙ୍କ ସହ ମିଶି ଏକ ରାସ୍ତା କାମ କରୁଥିବା ବେଳେ ବାଟୁଆ ସେଠାରେ ପେଟି କଣ୍ଟ୍ରାକ୍ଟର ଭାବେ କାମ କରୁଥିଲେ। ଅନୀଲଙ୍କୁ ‘ଭାଇଲୋଗ’ ନାଁରେ ୫ ଲକ୍ଷ ଟଙ୍କା ବଟି ମାଗିଥିଲେ, ଯେଉଁଥିରେ ବାଟୁଆ ହିଁ ଅଂଶୀଦାର୍‌। ମାତ୍ର, ଏହି ଟଙ୍କା ଦେବାକୁ ପ୍ରଥମେ ଅନୀଲ ଅକ୍ଷମତା ପ୍ରକାଶ କରିଥିଲେ। ଫଳରେ, ଗ୍ୟାଙ୍ଗ୍‌ ସହିତ ସମ୍ପୃକ୍ତ ଯୁବକମାନେ ରାଗି ଫେବ୍ରୁଆରି ୧୫ ତାରିଖରେ ଟୁଟୁଙ୍କର ଏକ ମହିନ୍ଦ୍ରା ଏକ୍ସୟୁଭି ଗାଡ଼ି ପୋଡ଼ି ଦେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ, ଭାଇଲୋଗ ନାମରେ ବଟି ଆଦାୟକାରୀମାନେ ଆତଙ୍କ ଖେଳାଇବାରୁ ଏହାର ସମାଧାନ ସୂତ୍ର ବାହାର କରିବାକୁ ବାଟୁଆ ମଧ୍ୟସ୍ଥତା କରିବ ବୋଲି କହିଥିଲା । ଟୁଟୁ ଓ ନଳିନୀ ବଟୁଆଙ୍କୁ ନ ଜଣାଇ ନିଜେ ସମାଧାନ କରିବାକୁ ଚାହିଁଲେ। ୨ ଲକ୍ଷ ଟଙ୍କା ବଟି ଦେଇ ସମାଧାନ କରିଥିଲେ ଓ ନିର୍ବିବାଦରେ ଟେଣ୍ଡର କାମ କରୁଥିଲେ। ଏକଥା ଜଣାପଡ଼ିବା ପରେ ବଟୁଆଙ୍କ ମନରେ ରାଗ ହୋଇଥିଲା। ନିଜର ପତିଆରା ଦେଖାଇବାକୁ ବାଟୁଆ ନଳିନୀଙ୍କ ଉପରକୁ ବୋମାମାଡ଼ କରିଥିଲା। କିନ୍ତୁ ବୋମାମାଡ଼ରେ ନଳିନୀ ଗୁରୁତର ହୋଇଗଲେ। କେତେକ ମୋବାଇଲ୍‌ ରେକର୍ଡ଼ ଯାଞ୍ଚ କଲା ପରେ ଅଭିଯୁକ୍ତଙ୍କ ନିକଟରେ ପହଁଚି ପାରିଥିଲା ବୋଲି ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧିତ ଖବର