ଚୋରାମଦ ସହ ଦୁଇ ବେପାରୀଙ୍କୁ ଧରାଇଲେ ମହିଳା ମହାସଂଘ ଟିମ୍‌

ଏରସମା: ଏରସମା ଥାନା ଅନ୍ତର୍ଗତ ଗଡ଼ ହରିଶପୁର ପଞ୍ଚାୟତର ଝାନ୍‌ସୀ ରାଣୀ ମହିଳା ମହାସଂଘ ପକ୍ଷରୁ ଗତକାଲି ସଂଘବଦ୍ଧ ଭାବେ ଏକ ନିର୍ମାଣାଧିନ ପ୍ରାଣୀ ଚିକିତ୍ସାଳୟରେ ଚଢ଼ଉ କରାଯାଇ ବିପୁଳ ପରିମାଣରେ ଚୋରାମଦ ଜବତ କରାଯାଇଛି। ଉକ୍ତ ଚୋରାମଦକୁ ମହିଳାମାନେ ପୁଲିସ ଜିମା ଦେଇଥିବା ଏରସମା ଥାନା ପକ୍ଷରୁ ଜଣାପଡ଼ିଛି।
ଏହି ମହିଳା ସଂଘ ତରଫରୁ ଗତ ବର୍ଷାଧିକ ସମୟରୁ ଅଞ୍ଚଳରେ ଚୋରାମଦ କାରବାର ରୋକିବା ପାଇଁ ପଦକ୍ଷେପ ନିଆଯାଉଛି। ଚୋରାମଦ ବିକ୍ରି ହେଉଥିବା ସ୍ଥାନଗୁଡ଼ିକ ଉପରେ ସଂଘର ସଦସ୍ୟାମାନେ କଡ଼ା ନଜର ରଖିଛନ୍ତି। ନିର୍ମାଣାଧିନ ପ୍ରାଣୀ ଚିକିତ୍ସାଳୟର ଘର ଭିତରେ ଜଣେ ଚୋରାମଦ ଲୁଚାଇ ରଖାଯାଇଥିବା ଖବର ପାଇ ମହିଳାମାନେ ସନ୍ଧ୍ୟା ୬ଟା ସମୟରେ ଉକ୍ତ କେନ୍ଦ୍ରକୁ ଘେରାଉ କରିଥିଲେ। ମହିଳାମ‌ାନେ ଏ ନେଇ ପୁଲିସକୁ ଖବର ଦେଇ ଉକ୍ତ ମଦ ଜବତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏଥି ସହିତ ସେମାନେ ଆଜି ସକାଳେ ଏରସମା ଥାନାକୁ ଆସି ଗ୍ରାମର ଚୋରାମଦ ବେପାରୀ ହରିପଦ ତୋଳା ଓ ଶଶଧର ମାଇତିଙ୍କ ନାମରେ ଏତଲା ଦେଇଥିଲେ। ଏହି ଦୁଇଜଣ ବ୍ୟକ୍ତି ମଦ ବେପାର ଚଳାଇଥିବା ବେଳେ ମହିଳାମାନେ ଆସିଯିବାରୁ ଉକ୍ତ ସ୍ଥାନ ଛାଡ଼ି ଦୌଡ଼ି ପଳାଇଥିଲେ ବୋଲି ମହିଳାମାନେ ଅଭିଯୋଗପତ୍ରରେ ଦର୍ଶାଇଥିଲେ। ସୂଚନାଯୋଗ୍ୟ, ୨୦୧୮ ମସିହା ମାର୍ଚ ମାସରେ ଗ୍ରାମରେ ଜଣେ ମଦ୍ୟପ ପୂଜା ଆଡି ନାମକ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ପରେ ହତ୍ୟା କରିଥିଲା। ସେବେଠାରୁ ଏହି ଅଞ୍ଚଳରେ ମଦ ବେପାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମହିଳାମାନେ ଆନ୍ଦୋଳନ କରିବା ସହ ମଦ ବିକ୍ରି ହେଉଥିବା ସ୍ଥାନରେ ଚଢ଼ଉ କରି ପୁଲିସକୁ ଦେଉଛନ୍ତି।

ସମ୍ବନ୍ଧିତ ଖବର