ଗାଁ ବିବାଦରୁ ଦୋକାନ ଭଙ୍ଗାରୁଜା:୬ ଦିନ ବିତିଲା, ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ବିଫଳ

କରିଲୋପାଟଣା: ପାଟକୁରା ଥାନା ଅନ୍ତର୍ଗତ ଜଳପୋକ ଗ୍ରାମରେ ଥିବା ଉତ୍ତମ ଲେଙ୍କାଙ୍କ ଷ୍ଟେସ୍‌ନାରୀ ଦୋକାନକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଏନେଇ ଥାନାରେ ଅଭିଯୋଗ ବି ହୋଇଛି। ଘଟଣାର ୬ ଦିନ ପରେ ବି ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଥିବାରୁ ଅସନ୍ତୋଷ ତେଜିଉଠିଛି।
ସୂଚନାଯୋଗ୍ୟ ଯେ ମାର୍ଶାଘାଇ ବ୍ଲକ୍‌ ଅନ୍ତର୍ଗତ ଜଳପୋକ ଗ୍ରାମରେ ଥିବା ଏକ ସ୍ଥାୟୀ ଗ୍ରାମ୍ୟ କମିଟି ମାଧ୍ୟମରେ ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ହୋଇଥାଏ। କମିଟିର ସଭାପତି ତଥା ଅଧ୍ୟାପକ ଅଂଜନ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ଏକ ସଭା ଗତ ୧୨ତାରିଖ ରାତିରେ ଚାଲିଥିବା ସମୟରେ କୋଣସି କାରଣ ବଶତଃ ଗ୍ରାମର ଦୁଇ ଗୋଷ୍ଠୀ ଭିତରେ ବିବାଦ ଉପୁଜିଥିଲା। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବୁଝାମଣା ହେବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଉକ୍ତ ବିଳମ୍ବିତ ରାତ୍ରିରେ ଗ୍ରାମର ଶିବ ମନ୍ଦିର ଛକରେ ଥିବା ପାନ ଦୋକାନକୁ ଦୁର୍ବୃତମାନେ ଗ୍ରାମର ସଭାପତି ଓ ସଂପାଦକ କୈଳାଶ ଚନ୍ଦ୍ର ନାୟକଙ୍କ ଇଙ୍ଗିତରେ ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଆଧାର କରି ପାଟକୁରା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲା। ଘଟଣା ଘଟିବାର ଆଜିକୁ ୬ଦିନ ବିତିଥିଲେ ଦୋକାନ ଭଙ୍ଗାରୁଜା କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ପୁଲିସ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ପୁଲିସ୍‌୍‌ ପ୍ରତି ସାଧାରଣରେ ସନ୍ଦେହ ଉପୁଜିଛି। ଅପରପକ୍ଷେ କମିଟି ସଭାପତି ଶ୍ରୀ ସ୍ୱାଇଁ ଏହାକୁ ଖଣ୍ଡନ କରିବା ସହ ସେମାନଙ୍କର ଏଥିରେ ସଂପୃକ୍ତି ନଥିବା କହିଛନ୍ତି। ଥାନା ଅଧିକାରୀ ସୁଜିତ୍‌ ପ୍ରଧାନଙ୍କୁ ପଚାରିବାରୁ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଗ୍ରାମର ଶାନ୍ତ ବାତାବରଣ ଫେରେଇ ଆଣିବାକୁ ସାଧାରଣରେ ଦାବି ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର