ଭିତରକନିକା ଜଙ୍ଗଲ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପରିଚୟ ଲୁଚାଇବାକୁ ମୁହଁରେ ଏସିଡ୍‌ ମାଡ଼ !

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର-ଗୋପାଳପୁର ଲୁଣା ଘେରିବନ୍ଧର କାଠୁଆଗଣ୍ତ ନିକଟରେ ଅଖା ମଧୢରୁ ଜଣେ ମହିଳାଙ୍କ ଶବ ମିଳିଛି। ମହିଳାଙ୍କ ପରିଚୟ ମିଳିପାରିନାହିଁ। ହତ୍ୟା କରାଯିବା ପରେ ଏସିଡ୍‌ ଫିଙ୍ଗାଯାଇ ତାଙ୍କ ମୁହଁକୁ ବିକୃତ କରାଯାଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ ଟିମ୍‌ ସହାୟତାରେ ପୁଲିସ ତଦନ୍ତକୁ ଜୋରଦାର କରିଛି।
ରାଜନଗର-ଗୋପାଳପୁର ଲୁଣା ଘେରିବନ୍ଧର କାଠୁଆଗଣ୍ତ ନିକଟରେ ଏକ ରକ୍ତ ଜୁଡୁବୁଡୁ ଅଖା ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଅଖା ଭିତରେ ଶବ ଥିବା ବେଳେ ଗୋଟିଏ ହାତ ବାହାରକୁ ବାହାରିଥିଲା। ଘେରିବନ୍ଧର ସମୁଦ୍ର ଓ ଭିତରକନିକା ଜଙ୍ଗଲ ପଟକୁ ଏହି ଅଖା ପଡିଥିଲା। ଅଖା ନିକଟରେ ଭ୍ୟାନିଟି ବ୍ୟାଗ, ପାଣି ବୋତଲ, ଚପଲ, ପାନିଆ, ଅଇନା, ମୋବାଇଲ ଚାର୍ଜର, ପାଉଡର ସହିତ ଏକ ମୋଟା ଲାଇଲନ୍‌ ଦଉଡି ପଡିଥିଲା। ଭିତରକନିକା ଜଙ୍ଗଲ ନିକଟରେ ହୋଇଥିବାରୁ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଏଥିସହ ପୁଲିସକୁ ଖବର ଦିଆଯାଇଥିଲା। ରାଜନଗର ଥାନା ଆଇଆଇସି ତପନ କୁମାର ନାୟକ, ତହସିଲଦାର ଦ୍ବିବେନ୍ଦୁ ଶେଖର ଦାସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ସାଇଣ୍ଟିଫିକ ଟିମକୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ ପହଞ୍ଚିବା ପରେ ଅଖା ଖୋଲାଯାଇଥିଲା। ଶବ ଫୁଲି ଯାଇଥିବାରୁ ୨/୩ ଦିନ ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ମୁଣ୍ତରେ ମାଡ଼ ଚିହ୍ନ ରହିଛି। ଏଥିସହ ତାଙ୍କ ମୁହଁରେ ଏସିଡ ଫିଙ୍ଗା ଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଆଶଙ୍କା କରାଯାଉଛି। ନିକଟରେ ଦଉଡି ପଡିଥିବାରୁ ସେଥିରେ ମହିଳାଙ୍କ ବେକକୁ ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ବୟସ ପାଖାପାଖି ୪୦ ହେବ। ସେ କଫି ରଙ୍ଗର ନାଇଟି ପିନ୍ଧିଥିବା ବେଳେ ଏକ ବେଡ୍‌ସିଟରେ ଶବକୁ ଗୁଡ଼ାଯାଇ ଅଖାରେ ଭର୍ତ୍ତି କରା ଯାଇଥିବା ଦେଖିବାକୁ ମିଳିଥିଲା। ପାଖରେ ପଡିଥିବା ଅନ୍ୟ ଦୁଇଟି ଅଖା ମଧୢରୁ ଜାଳେଣି ପତ୍ର ମିଳିଛି। ତାଙ୍କ ପାଖରେ ପଡିଥିବା ଭ୍ୟାନିଟି ବ୍ୟାଗ ମଧୢରୁ ପୁଲିସ ଏକ ବିଦ୍ୟୁତ ବିଲ୍‌ ଏବ˚ ଏକ ବ୍ୟାଙ୍କ ଜମା ରସିଦ ପାଇଛି। ଏହି ବିଲ୍‌ରେ ରାନି ମିଶ୍ର ଓ ଘର ଆଇଆରସି ଭିଲେଜ, ନୟାପଲ୍ଲୀ ବେହେରା ସାହି ବୋଲି ଉଲ୍ଲେଖ ରହିଛି। ଆଲ୍ଲାହାବାଦ ବ୍ୟାଙ୍କର ଏହି ଜମା ରସିଦରୁ ତାଙ୍କର ପରିଚୟ ରାନି ମିଶ୍ର, ନୟାପଲ୍ଲୀ ସ୍ବର୍ଣ୍ଣ ହସପିଟାଲ ବେହେରାସାହି ବୋଲି ଜଣାପଡିଛି। କିନ୍ତୁ ମହିଳା ଜଣକ ରାନୀ ମିଶ୍ର ବୋଲି ତାଙ୍କର କେହି ସ˚ପର୍କୀୟ ଚିହ୍ନଟ କରି ନ ଥିବାରୁ ପୁଲିସ ତାଙ୍କ ପରିଚୟ ବିଷୟରେ କିଛି ସ୍ପଷ୍ଟ କରିପାରିନାହିଁ। ପୁଲିସ ଏ ନେଇ ଭୁବନେଶ୍ବର ନୟାପଲ୍ଲୀ ଥାନାକୁ ଖବର ଦେଇଛି। କେହି ମହିଳାଙ୍କୁ ହତ୍ୟା କରିବା ପରେ ଚାରିଚକିଆ ଗାଡ଼ିରେ ଆଣି ଏହି ନିଛାଟିଆ ସ୍ଥାନରେ ଜଙ୍ଗଲ ମଧୢକୁ ଫିଙ୍ଗି ଦେବାକୁ ଚେଷ୍ଟା କରିଛି। ମାତ୍ର ଶବ ଜଙ୍ଗଲ ମଧୢରେ ନ ପଡି ବନ୍ଧକଡ଼ ପଥର ପ୍ୟାକି˚ ଉପରେ ପଡିଥିବା ଆଶଙ୍କା କରାଯାଉଛି। କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟାଳୟରୁ ସାଇଣ୍ଟିଫିକ୍‌ ଟିମ ସହିତ ପଟ୍ଟାମୁଣ୍ତାଇ ଏସଡିପିଓ ର˚ଜନ କୁମାର ଦେ, ଆଇଆଇସି ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ତଥ୍ୟ, ପ୍ରମାଣ ସଂଗ୍ରହ କରିନେବା ପରେ ପୁଲିସ ତଦନ୍ତକୁ ଜୋରଦାର କରିଛି।

ସମ୍ବନ୍ଧିତ ଖବର