କେନ୍ଦ୍ରାପଡ଼ା: ପାରମ୍ପରିକ ଗଜଲକ୍ଷ୍ମୀ ପୂଜା ଅନୁମତି ଲୋଡ଼‌ିଲେ କମିଟି; ୯୦ ବର୍ଷର ପୂଜା ପରାମ୍ପରା ଭଙ୍ଗ ନ ହେଉ

;ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା

କେନ୍ଦ୍ରପଡ଼ା: ଆଉ ୫୦ଦିନ ପରେ କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା। କିନ୍ତୁ ମହାମାରୀ କରୋନା ଯୋଗୁଁ ଏଥର ପୂଜା ଧୁମ୍‌ଧାମ୍‌ରେ ପାଳନ ହେବ ନା’ ପ୍ରଶାସନ କଟକଣା ଲଗାଇବ? ପୂର୍ବରୁ ରଜ, ରଥଯାତ୍ରା, ଗଣେଶ ପୂଜା ଭଳି ଗଜଲକ୍ଷ୍ମୀ ପୂଜାକୁ ବି କାଣ୍ଟଛାଣ୍ଟ୍‌ କରି ଆୟୋଜନକୁ ସୀମିତ କରି ଦିଆଯିବନି ତ? ପୂଜା କମିଟି ଆୟୋଜକମାନେ ଏହାକୁ ନେଇ ଆଶଙ୍କାରେ ପଡ଼ିଲେଣି। ଯଦିଓ ହାତରେ ଆହୁରି ଦେଢ଼ମାସରୁ ଅଧିକ ସମୟ ଅଛି, କିନ୍ତୁ ଜିଲ୍ଲାରେ କରୋନା ସ˚କ୍ରମିତଙ୍କ ସ˚ଖ୍ୟା ଥମୁ ନଥିବାରୁ ପୂଜା ଆୟୋଜନର ରୂପରେଖ କିଭଳି ରହିବ, ତାହା ଏଯାଏ ସ୍ପଷ୍ଟ ହୋଇପାରୁ ନାହିଁ।

ଫଳରେ ଆୟୋଜକମାନଙ୍କ ପ୍ରସ୍ତୁତି ବି ଧିମା ପଡ଼ିଯାଇଛି। ମୂର୍ତ୍ତି ଗଢ଼ାଯାଉଥିଲେ ବି ଆଲୋକୀକରଣ, ଟେଣ୍ଟ୍‌, ଭସାଣି ଉତ୍ସବକୁ ନେଇ କେହି ନିଶ୍ଚିତ ହେଇପାରୁ ନାହାନ୍ତି। ଏପରିସ୍ଥଳେ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା କମିଟି କୋଭିଡ୍‌ ନିୟମ ମାନି ପାରମ୍ପରିକ ରୀତିନୀତି ଅନୁଯାୟୀ ଗଜଲକ୍ଷ୍ମୀ ପୂଜା ପାଳନ କରିବା ପାଇଁ ଜିଲ୍ଲାପାଳଙ୍କ ଅନୁମତି ଲୋଡ଼ିବା ସହ ପ୍ରାୟ ୯୩ବର୍ଷର ପରମ୍ପରା ନ ଭା˚ଗିବାକୁ ଅନୁରୋଧ କରିଛନ୍ତି। ଏହି ମର୍ମରେ କମିଟି କର୍ମକର୍ତାଙ୍କ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

ଆସନ୍ତା ଅକ୍ଟୋବର ୩୦ତାରିଖରୁ ଆରମ୍ଭ ହେବାକୁ ଯାଉଛି ଗଜଲକ୍ଷ୍ମୀ ପୂଜା। କଟକର ଗଣପର୍ବ ଦୁର୍ଗାପୂଜା ପରି କେନ୍ଦ୍ରାପଡ଼ାରେ ଜାକଜମକରେ ପାଳନ ହୋଇଥାଏ ଗଜଲକ୍ଷ୍ମୀ ପୂଜା। ଏହାର ଇତିହାସ ବି ବହୁ ପୁରୁଣା। କୁହାଯାଏ, ୧୯୨୭ମସିହାରେ ପ୍ରଥମେ ପୁରୁଣା ବସ୍‌ଷ୍ଟାଣ୍ତ୍‌ରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିଲା। ସେତେବେଳେ ମୂର୍ତ୍ତି ବଦଳରେ କ୍ୟାଲେଣ୍ଡରରେ ଥିବା ଲକ୍ଷ୍ମୀଙ୍କ ଫଟୋ ଓ କଳସା ବସାଯାଇ ପୂଜାର୍ଚ୍ଚନା କରାଯାଇଥିଲା। କିନ୍ତୁ ପରବର୍ଷ ଅର୍ଥାତ୍‌ ୧୯୨୮ରେ ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା ସେଇ ପୁରୁଣା ବସ୍‌ଷ୍ଟାଣ୍ତ୍‌ରୁ।

ପରେ ପରେ ନୂଆ ବସ୍‌ଷ୍ଟାଣ୍ତ୍‌, କାକଟ, ବଳଗଣ୍ତି ଆଦି ଅନେକ ପୂଜା ମଣ୍ତପରେ ମା’ ଗଜଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଇଥିଲେ। ଏକଦା ଗୋଟିଏ ଘଟରୁ ଆରମ୍ଭ ହୋଇଥିବା ଏହି ପୂଜା ପରବର୍ତୀ ସମୟରେ ଏତେ ବ୍ୟାପକ ହୋଇଛି ଯେ ସ˚ପ୍ରତି କେନ୍ଦ୍ରାପଡ଼ାରେ ଦୁହୁରୁଆରୁ ଇଚ୍ଛାପୁର ମଧୢରେ ଛୋଟବଡ଼କୁ ମିଶାଇ ପାଖାପାଖି ଶହେରୁ ଅଧିକ ମୂର୍ତ୍ତି ପୂଜା ପାଉଛନ୍ତି। ଜିଲ୍ଲାରେ ତ’ ଏ ସ˚ଖ୍ୟା ବହୁ ଅଧିକ ହେବ। କିନ୍ତୁ କେନ୍ଦ୍ରାପଡ଼ା ସହର ଭସାଣି ଉତ୍ସବରେ କେବଳ ୪୬ରୁ ୪୭ ମଣ୍ତପ ସାମିଲ୍‌ ହେଉଥିବା କମିଟି ସଭାପତି ରବୀନ୍ଦ୍ର କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ନୀତିକାନ୍ତି ଅନୁଯାୟୀ, ଚଳିତବର୍ଷ ଅକ୍ଟୋବର ୩୦ରୁ ନଭେମ୍ବର ୫ତାରିଖ ଯାଏ ମା’ ମଣ୍ତପରେ ପୂଜା ପାଇବେ। ୬ରେ ଭସାଣି ହେବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ କୋଭିଡ୍‌ କଟକଣା ଯୋଗୁ କଟକ ପରି କେନ୍ଦ୍ରାପଡ଼ାରେ ବି ଏଥର ପୂଜା ଫିକା ପଡ଼ିଯିବା ଆଶଙ୍କାକୁ ଏଡ଼ାଇ ଦେଇ ହେଉ ନାହିଁ। ଗତକାଲି ଅପରାହ୍ନରେ ଏ ନେଇ କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗୋବିନ୍ଦଜିଉ ମନ୍ଦିରରେ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସଭାପତି ଶ୍ରୀ ମହାପାତ୍ରଙ୍କ କହିବାନୁଯାୟୀ, ବୈଠକରେ ୪୦ଟି ମଣ୍ତପର କର୍ମକର୍ତା ସାମିଲ୍‌ ହୋଇଥିଲେ। କୋଭିଡ୍‌ ନିୟମ ମାନି ପୂଜା ପାଳନ କରିବାକୁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ପାରିତ ହୋଇଛି।

ଏହି ମର୍ମରେ ଏକ ସ୍ମାରକପତ୍ର ବି ଗତକାଲି ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି। ଓଡ଼ିଶାର ସା˚ସ୍କୃତିକ ମାନଚିତ୍ରରେ କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ ପୂଜା ଏକ ସ୍ବତନ୍ତ୍ର ମାନ୍ୟତା ରଖୁଛି। ଜିଲ୍ଲାବାସୀଙ୍କର ବି ମା’ଙ୍କ ପୂଜା ସହିତ ଏକ ଭାବପୂର୍ଣ୍ଣ ଆବେଗ ରହିଛି। ଏଣୁ ପରମ୍ପରାକୁ ଅପରିବର୍ତ୍ତିତ ରଖିବା ପାଇଁ ଆମେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛୁ। ଜିଲ୍ଲାପାଳ ଯାହା ନିଷ୍ପତ୍ତି ନେବେ ସେଇ ଅନୁସାରେ ପୂଜା ଉତ୍ସବ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର