ସନ୍ଦେହଘେରରେ ମହିଳାଙ୍କ ଆତ୍ମହତ୍ୟା

ଯୌତୁକ ପାଇଁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମରେ ଜଣେ ମହିଳାଙ୍କ ଆତ୍ମହତ୍ୟାକୁ ନେଇ ଶାଶୁଘର ଲୋକେ ସନ୍ଦେହଘେରକୁ ଆସିଛନ୍ତି।ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦୁଇଟି କନ୍ୟା ସନ୍ତାନ ଜନ୍ମ ପ‌େର ତାଙ୍କ ଉପରେ ନିର୍ଯାତନା ବଢି ଯାଇଥିଲା। ଏଥିରେ ଅତିଷ୍ଠ ହୋଇ ‌େସ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନେତ୍ରାନନ୍ଦ ସାହୁଙ୍କ ପୁଅ ମହେନ୍ଦ୍ର ୨୦୦୮ରେ ଡେରାବିଶ ଥାନା ଅନ୍ତର୍ଗତ ସବଳଙ୍ଗ ଗ୍ରାମର ଦିଗମ୍ବର ପୃଷ୍ଟିଙ୍କ ଝିଅ ଅର୍ଚ୍ଚନାଙ୍କୁ ବିବାହ କରିଥିଲେ। ମହେନ୍ଦ୍ର ମାଲେସିଆରେ ଇ˚ଜିନିୟର ଭାବେ କାର୍ଯ୍ୟ କରନ୍ତି। କିଛି ଦିନ ପରେ ଯୌତୁକ ପାଇଁ ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ଗତ ମଙ୍ଗଳବାର ଅର୍ଚ୍ଚନା ଶାଶୁଘରେ ଫ୍ୟାନରେ ରଶି ଦେଇ ଆତ୍ମହତ୍ୟା କରିଥିଲେ। ଭାଇ କାଳୀ ପ୍ରସାଦ ପୃଷ୍ଟି ସଦର ଥାନାରେ ତାଙ୍କ ଭଉଣୀଙ୍କୁ ଯୌତୁକ ନିର୍ଯାତନା ଦେଇ ମାରି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ପୁଲିସ ଏ ନେଇ ହତ୍ୟା ମାମଲା(୨୯୨/୧୮)ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଦୁଇଟି କନ୍ୟା ସନ୍ତାନ ଜନ୍ମ ପରେ ତାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର