ମହିଳାଙ୍କୁ ଅସଦାଚରଣ :ପୁଲିସ ଉଦାସୀନତା ବିରୋଧରେ ଅଭିଯୋଗ

କେନ୍ଦ୍ରାପଡା:ଜଣେ ମହିଳାଙ୍କୁ ଅସଦାଚରଣ କରିବା ଓ ସ୍ବାମୀଙ୍କୁ ମାଡ଼ ମାରିବା ଅଭିଯୋଗ ଉପରେ ପୁଲିସର ଉଦାସୀନତାକୁ ନେଇ ସ˚ପୃକ୍ତ ମହିଳା ଗୁରୁବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡା ସଦର ଥାନା ଅଞ୍ଚଳର ଏହି ମହିଳା ଜଣକ ସଦର ଥାନାରେ ଗତ ୧୦ତାରିଖରେ ଅଭିଯୋଗ କରିଥିଲେ ଯେ, ୯ତାରିଖ ବିଳମ୍ବିତ ରାତିରେ ସେହି ଗ୍ରାମର ପ୍ରଭାତ କୁମାର ଲେଙ୍କା ଓ ଅନ୍ୟମାନେ ତାଙ୍କ ଘରେ ପଶି ତାଙ୍କୁ ଅସଦ ବ୍ୟବହାର କରିଥିଲେ। ସ୍ବାମୀ ତାହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ସୁନା ଅଳଙ୍କାର ଛଡ଼ାଇ ନେଇଥିଲେ। ଏହି ଅଭିଯୋଗକୁ ଭିତ୍ତିକରି କେନ୍ଦ୍ରାପଡା ସଦର ଥାନା ପୁଲିସ ଦଫା ୩୪୧, ୩୨୩, ୨୯୪, ୪୪୮, ୩୫୪(ବି), ୩୭୯, ୫୦୬ ଓ ୩୪ ଦଫାରେ ମାମଲା(୧୫୫/୧୯) ରୁଜୁ କରିଥିଲେ ମଧୢ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ। ଅଭିଯୁକ୍ତମାନେ ସ୍ବାମୀଙ୍କ ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକଚମକ ଦେଉଥିବା ନେଇ ମହିଳା ଜଣକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର