କରୋନା ଉଜୁଡ଼ିଦେଲା ବ୍ୟବସାୟ : ସରକାରୀ ସହାୟତା ଅପେକ୍ଷାରେ କବିତା

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ପୌରାଚଂଳ ତନୁପୁର ଗ୍ରାମ ୩ ନଂ. ଓ୍ୱାର୍ଡର କବିତା ପାତ୍ର। ଗାଁର କିଛି ମହିଳାଙ୍କୁ ସଂଗଠିତ କରି ‘ହରପାର୍ବତୀ ଏସଏସ୍‌ଜି’ ଗଠନ କରିଥିଲେ। ଏଥିରୁ କିଛି ଋଣ ଆଣିଥିଲେ, ଆଉ କିଛି ଟଙ୍କା ମିଶାଇ ଘରେ ମେସିନ ପକାଇ ଧୂପକାଠି ଓ ଫିନାଇଲ ପ୍ରସ୍ତୁତି କରୁଥିଲେ। ପଟ୍ଟାମୁଣ୍ଡାଇ ବଜାର, ଗ୍ରାମାଞ୍ଚଳ, ରାଜନଗର ଓ ଆଳି ଅଂଚଳରେ ତାଙ୍କ ଧୂପକାଠି ଭଲ ବିକ୍ରି ହେଉଥିଲା। ୨ ଜଣ ମହିଳା କାରିଗର ବି ରଖିଥିଲେ। ଏହାଛଡ଼ା ସାମଗ୍ରୀ ବିକ୍ରି ପାଇଁ ୨ ପୁରୁଷ କର୍ମଚାରୀ ନିଯୁକ୍ତି କରିଥିଲେ। ତିନି ମାସ ଠିକଠାକ ବ୍ୟବସାୟ ଚାଲିଲା। ହଠାତ କରୋନା ପାଇଁ ଲକ୍‌ଡାଉନ ହେଲା। ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ବ୍ୟବସାୟ ଆରମ୍ଭ କରିଥିବା କବିତା ଏବେ ଦୁର୍ଦ୍ଦିନରେ।

ଘରେ ଆଠ ପ୍ରାଣୀ କୁଟୁମ୍ବ ପରିବାର ଚଳାଇବା ମୁସ୍କିଲ। ସ୍ବାମୀଙ୍କ କାମଧନ୍ଦା ବି ନାହିଁ। ଛୋଟ ଶିଳ୍ପ କରି ପରିବାର ପ୍ରତିପୋଷଣ ପାଇଁ ଚିନ୍ତା କରିଥିବା କବିତାଙ୍କ ଜୀବନ ବଦଳାଇ ଦେଇଛି କରୋନା। ସଂକଟରେ ଥିବା ବ୍ୟବସାୟକୁ ପୁଣି ଛିଡା କରିବା ପାଇଁ ସହାୟତାର ହାତ ବଢ଼ାଇବାକୁ ସେ ଅନୁରୋଧ କରିଛନ୍ତି। ୪ କର୍ମଚାରୀରୁ ଜଣେ ମହିଳା କର୍ମଚାରୀ କାମ କରିବାକୁ ଆସୁଛନ୍ତି। ଜିନିଷ ବିକ୍ରି ହେଉନାହିଁ। ଘରେ ସ୍ବାମୀଙ୍କ ସହ ୨ ପୁଅ ୨ ଝିଅ ଓ ମା’। ସରକାର ଯଦି ତାଙ୍କୁ ଋଣ ଦିଅନ୍ତେ ତେବେ ତାଙ୍କ ବ୍ୟବସାୟକୁ ସେ ପୁଣି ଛିଡ଼ା କରି ପାରନ୍ତେ ବୋଲି କବିତା କହିଛନ୍ତି।

ସମ୍ବନ୍ଧିତ ଖବର