ଲକଡାଉନ ଓ କୁଆପଥର ମାଡ଼ ଯୋଗୁଁ କେନ୍ଦୁପତ୍ର କ୍ଷତିଗ୍ରସ୍ତ, କଳାହାଣ୍ଡି ଜିଲ୍ଲାରେ ୨୦ ପ୍ରତିଶତ କେନ୍ଦୁପତ୍ର ନଷ୍ଟ

ଭବାନୀପାଟଣା: ଲକଡ଼ାଇନ ଓ କୁଆପଥର ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ୨୦ ପ୍ରତିଶତ ରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ନଷ୍ଟ ହୋଇଛି। ଜିଲ୍ଲାରେ ୨୭ କୋଟି ଟଙ୍କାର କେନ୍ଦୁପତ୍ର ବାର୍ଷିକ କାରବାର ହେଉଥିବା ବେଳେ ବର୍ତ୍ତମାନ ୨୦% ରୁ ଉର୍ଦ୍ଧ୍ବ କ୍ଷତିଗ୍ରସ୍ତ ଯୋଗୁଁ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାରେ ବାର୍ଷିକ ପ୍ରାୟ ୨୭କୋଟି ଟଙ୍କାରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ବିକ୍ରି ହୋଇଥାଏ । ଜିଲ୍ଲାରେ ୪୦,୫୦୦ କେନ୍ଦୁପତ୍ର ତୋଳାଳୀ ଅଛନ୍ତି । ସେମାନଙ୍କ ପାଇଁ ପ୍ରାୟ ୧୧ କୋଟି ଟଙ୍କା ପାରଶ୍ରମିକ ବାବଦରେ ଖର୍ଚ୍ଚ ହେଉଥିବାବେଳେ ପ୍ରାୟ ୨ କୋଟି ରୁ ଉର୍ଦ୍ଧ୍ବ ଟଙ୍କା କର୍ମଚାରୀଙ୍କ ପ୍ରାପ୍ୟ ବାବଦକୁ ପ୍ରଦାନ କରାଯାଇଥାଏ ।

କଳାହାଣ୍ଡି ଜିଲ୍ଲାରେ କେନ୍ଦୁପତ୍ର ବିଭାଗ ପକ୍ଷରୁ ଲଡୁଗାଁ , କେଗାଁ, ଭବାନୀପାଟଣା, ନର୍ଲା, ମଦନପୁର ରାମପୁର ଓ କେସିଙ୍ଗା ସମେତ ୬ ଟି ରେଞ୍ଜ ରେ ୩୩୫ ଟି କେନ୍ଦୁପତ୍ର ଫଡ଼ି ରହିଛି । ଏଥିପାଇଁ ୧୦୦୦ ସିଜିନାଲ କର୍ମଚାରୀ ନିୟୋଜିତ ଅଛନ୍ତି । ଜିଲ୍ଲାର ବିଜମରା,ବାନେର,ଜୁନାଗଡ଼, ଭବାନୀପାଟଣା, ନର୍ଲା, କେସିଙ୍ଗା, ତୁଣ୍ଡଲା, ଚରଗଡ଼, ମଦନପୁର ରାମପୁର ଓ ମଦନପୁର ସମେତ ୧୧ ଟି କେନ୍ଦୁପତ୍ର ଗୋଦାମ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୬୦ପ୍ରତିଶତ ଗୋଦାମ ମରାମତି ସରିଛି ।ଗତ ଜୁଲାଇ ମାସରେ ପ୍ରବଳ ବର୍ଷା ଯୋଗୁଁ ରୋଗ ପୋକ, ବର୍ତ୍ତମାନ ଲକଡ଼ାଉନ ଓ କୁଆପଥର ବର୍ଷା ଯୋଗୁଁ କେନ୍ଦୁପତ୍ର ପ୍ରାୟ ୨୦% ରୁ ଅଧିକ କ୍ଷୟକ୍ଷତି ହେଇଥିବା ବିଭାଗ ସୂତ୍ରରୁ ଆକଳନ କରାଯାଇଛି।

କଳାହାଣ୍ଡି ଜିଲ୍ଲାରେ ଜାନୁଆରି ମାସରୁ କାମ ଆରମ୍ଭ ହୋଇ ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିଥାଏ । ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏଥିରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ପ୍ରତି ଦୁଇ ଜଣ ୩୦୦ କେନ୍ଦୁପତ୍ର କେରି ତୋଳିବାପାଇଁ ୪ ଘଣ୍ଟାରେ ୩୦୦ ଟଙ୍କା ପାଇଥାନ୍ତି । ୨୦ ଟି ପତ୍ର ପାଇଁ ଏକ ଟଙ୍କା ମିଲିଥାଏ । ଜିଲ୍ଲାରେ କେନ୍ଦୁପତ୍ର ଗୋଛା କଟା ପାଇଁ ୧୩,୦୦୦ ଲୋକ ନିୟୋଜିତ ହୋଇଥାନ୍ତି । ଏଥି ନିମନ୍ତେ ୫ ଟିକିଆ ବିଡ଼ାକୁ ୩୩୮.୫୦ ପଇସା ପାଇଥାନ୍ତି । ହେଡ ଚେକରମାନଙ୍କୁ ୧୫,୫୦୦ ଟଙ୍କା ଏବଂ ମୁନସି, ଚେକର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ମାସିକ ୧୦୦୦୦-୧୨୦୦୦ ଟଙ୍କା ମଧ୍ୟରେ ପ୍ରାପ୍ୟ ମିଳିଥାଏ ।

ବର୍ତ୍ତମାନ ଲକଡ଼ାଉନ ଯୋଗୁଁ ଲୋକେ କେନ୍ଦୁପତ୍ର ତୋଳିବା ବନ୍ଦ କରିଦେଇଥିଲେ। ରାଜ୍ୟସରକାର ଙ୍କ ପରିବର୍ତିତ ନିର୍ଦ୍ଦେଶନାମା ପରେ ମୁହଁରେ ତୁଣ୍ଡି ଓ ସାମାଜିକ ଦୂରତ୍ୱ ରକ୍ଷାକରି ବିଳମ୍ବରେ ପତ୍ର ତୋଳା ଆରମ୍ଭ ହୋଇଛି । ଏଥିରେ ମଧ୍ୟ କମ ସଂଖ୍ୟକ ତୋଳାଳୀ ନିୟୋଜିତ ହୋଇଛନ୍ତି । ବିଳମ୍ବରେ କେନ୍ଦୁପତ୍ର ତୋଳା ଏବଂ ପ୍ରାକୃତିକ ବିପର୍ଯ୍ୟୟ କେନ୍ଦୁପତ୍ର କାରବାର କୁ କ୍ଷତିଗ୍ରସ୍ତ କରିଛି । ଜିଲ୍ଲାରେ ୨୦ ପ୍ରତିଶତ କେନ୍ଦୁପତ୍ର କୁଆପଥର ମାଡ଼ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ।ଜୁଲାଇ ମାସରେ ପ୍ରବଳ ବର୍ଷା ଏବଂ ବର୍ତ୍ତମାନ କୁଆପଥର ମାଡ଼ ଯୋଗୁଁ କେନ୍ଦୁପତ୍ର ରେ ରୋଗପୋକ ଦେଖାଦେଇ ନଷ୍ଟ ହେଇଯାଇଥିବା ଜଣା ପଡିଛି ।

ବାର୍ଷିକ ପ୍ରାୟ ୨୭ କୋଟି ର କାରବାର ହେଇଥିବା ବେଳେ ୧୨ କୋଟି ଟଙ୍କା ଖର୍ଚ୍ଚ ବାବଦକୁ ପ୍ରଦାନ କରାଯାଇଥାଏ । ବହୁ ସ୍ଥାନରେ କେନ୍ଦୁପତ୍ର ଫଡ଼ି ଗୁଡିକ ମରାମତି ଶେଷ ହୋଇନଥିବା ଯୋଗୁଁ କେନ୍ଦୁପତ୍ର ରଖିବା ପାଇଁ ନିମନ୍ତେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଗୋଟିଏ ପଟେ କରୋନା ମାଡ଼ ଓ ଅନ୍ୟପଟେ କୁଆପଥର ମାଡ଼ କେନ୍ଦୁପତ୍ର କାରବାର କୁ ବିପର୍ଯ୍ୟସ୍ତ କରିଛି । ବର୍ତ୍ତମାନ ଆଗକୁ କେନ୍ଦୁପତ୍ର ବେପାର ର ଭବିଷ୍ୟତ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ କେନ୍ଦୁପତ୍ର ଡିଏଫୋ ମଳୟ ଦାସ ଙ୍କୁ ପଚାରିବାରୁ ଜିଲ୍ଲାରେ ବାର୍ଷିକ ୨୭ କୋଟି ଟଙ୍କାର କେନ୍ଦୁପତ୍ର କାରବାର ହେଉଥିବାବେଳେ ଚଳିତ ବର୍ଷ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ୨୦% କେନ୍ଦୁପତ୍ର କ୍ଷତିଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ସେହିଁଭଳି କରୋନା ଯୋଗୁଁ କେନ୍ଦୁପତ୍ର ତୋଳାରେ ବିଳମ୍ବ ଦେଖାଯାଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର