ଅଦିନିଆ ବର୍ଷା ପରେ ଲକ୍‌ଡାଉନ୍‌ର ମାଡ଼: କେନ୍ଦୁପତ୍ର ଉତ୍ପାଦନରେ ଗୁରୁତର ପ୍ରଭାବ, ଶ୍ରମିକ ହତାଶ

ଝାରସୁଗୁଡ଼ା: ଚଳିତ ବର୍ଷ କେନ୍ଦୁପତ୍ର ଉତ୍ପାଦନ ପାଇଁ ସମୟ ଆଦୌ ଅନୁକୂଳ ହେଉନଥିବା ଦେଖାଯାଇଛି। ପ୍ରଥମ ଭାଗରେ ଅଦିନିଆ ବର୍ଷା ଓ ଏହାପରେ ପରେ କରୋନା ମାଡ଼ ଝାରସୁଗୁଡ଼ା ଜିଲ୍ଲାର କେନ୍ଦୁପତ୍ର ବ୍ୟବସାୟରେ ପୂର୍ଣ୍ଣଛେଦ ପକାଇ ଦେଇଛି। ସଂପ୍ରତି ଲକ୍‌ଡାଉନ୍‌ ‌କେନ୍ଦୁପତ୍ର ଉତ୍ପାଦନକୁ ପ୍ରଭାବିତ କରୁଥିବା ବେଳେ ଏଥିରେ ସଂପୃକ୍ତ ହଜାର ହଜାର ଶ୍ରମିକ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି। ଏବେ ଏହି ଶ୍ରମିକ ମାନେ ଘରୁ ବାହାରି ପାରୁ ନଥିବା ବେଳେ  ଗୋଛାକଟା, ଫଡ଼ି ମରାମତି ଭଳି ସବୁ କାମ ଚଳିତ ବର୍ଷ ଅଧାପନ୍ତରିଆ ହୋଇ ପଡ଼ି ରହିଛି।

ଝାରସୁଗୁଡ଼ା ଜିଲ୍ଲାର କେନ୍ଦୁପତ୍ରର ଚାହିଦା କାହିଁରୁ କାହିଁ ରହି ଆସିଛି। ଏକଦା ଏହି ଜିଲ୍ଲାର କେନ୍ଦୁପତ୍ର ସାରା ଦେଶର ବ୍ୟବସାୟୀଙ୍କୁ ଆକୃଷ୍ଟ କରୁଥିବା ବେଳେ ଏଥିରେ କୋଟି କୋଟି ଟଙ୍କାର କାରବାର ହୋଇଥାଏ। ତେବେ ଜିଲ୍ଲାରେ ଦୃତ ଶିଳ୍ପାୟନ ପରେ ଜମିର ଅଭାବ ସାଙ୍ଗକୁ କେନ୍ଦୁପତ୍ର ବ୍ୟବସାୟରେ ମାନ୍ଦାବସ୍ତା ଦେଖା ଦେଇଥିଲା। ଏହା ସତ୍ବେ ଜିଲ୍ଲାରେ କେନ୍ଦୁପତ୍ର କାରବାର ଆଶାନୁରୂପ ହେଉଥିବା ବେଳେ ପ୍ରତିବର୍ଷ ଅଦିନିଆ ବର୍ଷା ଏହାର ଉତ୍ପାଦନରେ ବାଧା ସୃଷ୍ଟି କରି ଆସୁଛି।  ଚଳିତ ଅଦିନିଆ ବର୍ଷା ସାଙ୍ଗକୁ ଲକ୍‌ଡାଉନ୍‌ ଭଳି ସମସ୍ୟା ଏହି ବ୍ୟବସାୟକୁ ଶକ୍ତ ଝଟ୍‌କା ଦେଇଛି। ଚଳିତ ବର୍ଷ ଅଦିନିଆ ବର୍ଷା ଯୋଗୁଁ  ଗୋଛାକଟା କାମ ଠିକ୍‌ ସମୟରେ ଆରମ୍ଭ ହୋଇନଥିଲା।

ଫେବ୍ରୁଆରି ୧୫ରୁ ଗୋଛାକଟା ଆରମ୍ଭ ହେଉଥିବା ବେଳେ  ଏହାର ୪୫ ଦିନ ପରେ ଅର୍ଥାତ ମଇ ପହିଲା ଠାରୁ ପତ୍ର ତୋଳା କାମ ଆରମ୍ଭ ହୋଇଥାଏ । ଜୁନ୍‌ ପ୍ରଥମ ସପ୍ତାହରୁ ପତ୍ର ବନ୍ଧେଇ କାମା ଆରମ୍ଭ ହୋଇ ଦଶହରା ପର୍ଯ୍ୟନ୍ତ ଏହା ଚାଲେ। ଏପ୍ରିଲ ମାସରେ ଫଡ଼ିଘର ମରାମତି ହୋଇଥାଏ । ମାତ୍ର ଚଳିତ ବର୍ଷ ଗୋଛାକଟା ଠାରୁ ଫଡ଼ି ମରାମତି ପର୍ଯ୍ୟନ୍ତ ସବୁ କାମରେ ଅନ୍ତରାୟ ସୃଷ୍ଟି ହୋଇଛି।

ଦିନକୁ ଦିନ  କେନ୍ଦୁପତ୍ର ଚାହିଦା କମୁଥିବା ବେଳେ ଉତ୍ପାଦନରେ ମଧ୍ୟ ଏହାର ପ୍ରଭାବ ପଡ଼ୁଥିବାରୁ ବିଶେଷ କରି କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀଙ୍କ ଉପରେ ଏହାର କୁପ୍ରଭାବ ପଡ଼ୁଥିବା ଦେଖାଯାଉଛି। କେନ୍ଦୁପତ୍ର ତୋଳା କାମରେ ଜିଲ୍ଲାର ହଜାର ହଜାର ପରିବାର ନିୟୋଜିତ ହେଉଥିବା ବେଳେ ଏଥିରେ ତାଙ୍କର ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଥାଏ।

ଶ୍ରମିକ ମାନଙ୍କୁ ପତ୍ରତୋଳା ବାବଦ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ, ପୂର୍ବରୁ ୧ ହଜାର କେରି ବଦଳରେ ଯେଉଁ ସୁବିଧା ମିଳୁଥିଲା ଏବେ ୨ ହଜାର କେରି ଦେ‌ଲେ ସେହି ସୁବିଧା ଦେବା ଶ୍ରମିକଙ୍କୁ ହତାଶ କରିଥିଲା।  ସେହିପରି ଛାତ୍ରବୃତ୍ତି, ସ୍ବାସ୍ଥ୍ୟବୀମା, ବିବାହ ସହାୟତା, ବୋନସ୍‌, ତୋଳାଳିଙ୍କୁ ଚପଲ  ଓ ଟୋପି ପ୍ରଦାନ, ପାଣି ବୋତଲ ପ୍ରଦାନ ବ୍ୟବସ୍ଥା ସରକାରୀ ଭାବରେ ଥିଲେ ମଧ୍ୟ ଏହାର ସୁବିଧା ଶ୍ରମିକ ମାନ‌େ ପାଉନଥିବା ଅଭିଯୋଗ ହୋଇ ଆସୁଥିଲା। ଫଳସ୍ବରୂପ କେନ୍ଦୁପତ୍ର କାର୍ଯ୍ୟକୁ ଶ୍ରମିକ ମାନେ ମୁହଁ ମୋଡ଼ୁଥିବା ଲକ୍ଷ୍ୟ କରାଯାଉଥିଲା। ତଥାପି କାମ ନପାଇ ଏହି ସିଜିନାଲ କାମରେ ପରିବାର ସହ ମିଶି ବର୍ଷର କିଛି ମାସର ଆହାର ଯୋଗାଡ଼ କରି ଆସୁଥିବା ଏହି ଶ୍ରମିକ ମାନେ ଏଥର ଲକ୍‌ଡାଉନ୍‌ରେ ଅଧିକ ପ୍ରଭାବିତ ହେବ‌େ ବୋଲି ଆଶଙ୍କା କରାଯାଇଛି।

କେନ୍ଦୁପତ୍ର କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଗତ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ  କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଥିଲା।  ଚଳିତ ବର୍ଷ ଅଦିନିଆ ବର୍ଷା ଓ କୋହଳା ପାଗ ଯୋଗୁଁ  ଗୋଛା କଟେଇ ମାର୍ଚ୍ଚ ୧୨ ପରେ ହେବ ବୋଲି ସୂଚନା ଦିଆଯାଇଥିଲା ମାତ୍ର କରୋନା ଯୋଗୁଁ ଲକ୍‌ଡାଉନ୍‌ ଏହି କାମରେ ବାଧା ଉପୁଜାଇଥିବାରୁ  କେନ୍ଦୁପତ୍ର  ଉତ୍ପାଦନକୁ ଏହା ଖୁବ୍‌ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏହି ବ୍ୟବସାୟରେ ମାଫିଆରାଜ, ଶ୍ରମିକ ଶୋଷଣ ସହିତ କରୋନା ମାଡ଼ ଏଥର ଶ୍ରମିକ ମାନଙ୍କ ମେରୁଦଣ୍ଡ ଦୋହଲାଇ ଦେବ ଏଥିରେ ସଂଦେହ ନାହିଁ।

 

 

 

ସମ୍ବନ୍ଧିତ ଖବର