ଚାଷୀଙ୍କ ମୁହଁରେ ହସ ଫୁଟାଉଛି କେନ୍ଦୁଗୁଡ଼ା ବଡ଼ନାଳ ଡ୍ୟାମ୍

୧୫ ହଜାର ହେକ୍ଟର ଜମିରେ ଫଳୁଛି ସୁନାର ଫସଲ

ପଦ୍ମପୁର (ନୀଳମାଧବ ପାଢ଼ୀ): ପଚାଶ କି ଶହେ ନୁହେଁ, ୧୫ ହଜାର ହେକ୍ଟର ଜମିରେ ଫଳୁଛି ସୁନାର ଫସଲ। ରବି, ଖରିଫ୍ ଋତୁରେ ଚାଷ ପାଇଁ ଆବଶ୍ୟକ ପାଣି ଯୋଗାଇ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବଢ଼ାଉଛି ପଦ୍ମପୁର ବ୍ଲକ୍ କେନ୍ଦୁଗୁଡ଼ାସ୍ଥିତ ବଡନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ। ଫଳରେ ୪ ବ୍ଲକର ହଜାର ହଜାର ଚାଷୀ ଧାନ ଓ ଅନ୍ୟାନ୍ୟ ଫସଲ ପାଇଁ ଆକର୍ଷିତ ହେଉଛନ୍ତି। ସମୟକ୍ରମେ ଚାଷ କ୍ଷେତ୍ରରୁ ଚାଷୀ ମୁହଁ ମୋଡ଼ୁଥିବା ବେଳେ ଉତ୍ତମ ଜଳସେଚନ ବ୍ୟବସ୍ଥା ଲାଗି ବୃଦ୍ଧି ପାଇବାରେ ଲାଗିଛି ଉତ୍ପାଦନ।

ଗୁଣପୁର ଉପଖଣ୍ଡର ପଦ୍ମପୁର, ଗୁଡ଼ାରି, ଗୁଣପୁର, ରାମନାଗୁଡ଼ା ବ୍ଲକ୍ ଅଞ୍ଚଳର ଚାଷ ଜମିକୁ ପାଣି ଯୋଗାଉଛି ବଡ଼ ନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ। ଡ୍ୟାମରେ ଗଛିତ ଜଳ ଖରିଫ ଋତୁରେ ପଦ୍ମପୁର, ଗୁଣୁପୁର, ଗୁଡାରି, ରାମନଗୁଡା ବ୍ଲକର  ୯ହଜାର ୮୭୪ ହେକ୍ଟର ଏବଂ ରବି ଋତୁରେ ପଦ୍ମପୁର ଓ ଗୁଡାରି ବ୍ଲକର  ୪ ହଜାର ୯୫୦ ହେକ୍ଟର ଚାଷ ଜମିକୁ ଜଳସେଚିତ କରୁଛି। ୯୩୦ ହେକ୍ଟର ପରିଧି ମଧ୍ୟରେ ଅବସ୍ଥାପିତ ଡ୍ୟାମର ଉଚ୍ଚତା ୪୮ ମିଟର, ଲମ୍ବା ୩୨୫ ମିଟର। ବର୍ଷା ଦିନରେ ଡ୍ୟାମରେ ୧୭୬ ମିଟର ଏବଂ ଖରା ଦିନରେ ୧୬୩ ମିଟର ପାଣି ଗଛିତ ହୋଇଥାଏ। ୪ ବ୍ଲକର ଚାଷ ଜମିକୁ ପାଣି ଯୋଗାଇବା ପାଇଁ ମୁଖ୍ୟ କେନାଲ ୭୨.୯୦ କିମି, ଶାଖା କେନାଲ ୧୬୬.୦୮ କିମି ପର୍ଯ୍ୟନ୍ତ ଲମ୍ବିଛି। ପ୍ରକଳ୍ପ ଦ୍ବାରା ଅନ୍ୟ ବ୍ଲକ୍ ଅପେକ୍ଷା ପଦ୍ମପୁର ବ୍ଲକ ଚାଷୀ ବେଶ୍ ଉପକୃତ ହେଉଛନ୍ତି। ବ୍ଲକରେ ବର୍ଷରେ ଦୁଇ ଥର ଧାନ ଚାଷ ହେବା ସହିତ ଅନ୍ୟ ଫସଲ ଅମଳରେ ମଧ୍ୟ ସହାୟକ ହୋଇ ଆସୁଛି ଡ୍ୟାମର ଜଳ। ପଦ୍ମପୁର ବ୍ଲକରେ ୧୩ ହଜାର ୫୯୦ ହେକ୍ଟର ଚାଷ ଜମି ରହିଥିବା ବେଳେ ଚାଷ ଉପଯୋଗୀ ଜମି ସଂଖ୍ୟା ହେଉଛି ୯ ହଜାର ୮୦୦ ହେକ୍ଟର। ଏଥି ମଧ୍ୟରୁ ୨୫୦୦ ହେକ୍ଟରରେ ଧାନ, ୨୦ ହେକ୍ଟରରେ ମାଣ୍ଡିଆ, ୫୦ ହେକ୍ଟରରେ ମକା ସହିତ ଅନ୍ୟାନ୍ୟ ଚାଷ ହେଉଛି। ରବି ଋତୁରେ ୨୫୦୦ ହେକ୍ଟର ଓ ଖରିଫ ଋତୁରେ ୯୮୦୦ ହେକ୍ଟରକୁ ଡ୍ୟାମ୍ ଜଳ ମାଡ଼ୁଛି। ବ୍ଲକରେ ପଞ୍ଜିକୃତ ଚାଷୀଙ୍କ  ସଂଖ୍ୟା ୬୦୨୮ ଥିବା ବିଭାଗୀୟ ସୂତ୍ରରୁ ଜଣା ପଡିଛି। ବଡନାଳ ଡ୍ୟାମ ପାଣିକୁ ଛାଡ଼ି ବ୍ଲକର ୪ ହଜାର ୩୧୪ ହେକ୍ଟରକୁ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚିତ କରାଯାଉଛି। ଯାହା ଚାଷୀଙ୍କ ମୁହଁରେ ହସ ଫୁଟାଇବା ସହ ଚାଷ ପ୍ରତି ଆକର୍ଷିତ କରିଛି।

ସୂଚନାଯୋଗ୍ୟ, ୧୯୮୧ ମସିହାରେ ରାଜ୍ୟ ସରକାର ପଦ୍ମପୁର ବ୍ଲକ କେନ୍ଦୁଗୁଡାଠାରେ ଚାଷୀଙ୍କ ହିତ ଉଦ୍ଦେଶ୍ୟରେ ବଡନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ। ଦୀର୍ଘ ୧୪ ବର୍ଷ ପରେ ୧୯୯୫ ପ୍ରକଳ୍ପ କାମ ଶେଷ ହୋଇଥିବା ବେଳେ ୧୯୯୭ ଫେବ୍ରୁଆରୀ ୧୬ ତାରିଖରେ ଓଡ଼ିଶାର ତତ୍କାଳୀନ ଉପ ମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳ, ତତ୍କାଳୀନ କୋରାପୁଟ ସାଂସଦ ଡ. ଗିରିଧର ଗମାଙ୍ଗ, ତତ୍କାଳୀନ ଗୁଣପୁର ବିଧାୟକ ଭାଗିରଥୀ ଗମାଙ୍ଗ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ପ୍ରକଳ୍ପ ଆରମ୍ଭ ହେବା ଦିନଠୁ ଗୁଣପୁର ଉପଖଣ୍ଡର ହଜାର ହଜାର ଚାଷୀ ଉପକୃତ ହେବା ସହିତ ଚାଷ ପାଇଁ ହିତକର ହୋଇ ଆସୁଛି। ଜଳସେଚନ ପ୍ରକଳ୍ପର ତଦାରଖ ପାଇଁ ଜଣେ ନିର୍ବାହୀ ଯନ୍ତ୍ରୀ, ଜଣେ ଉପ ନିର୍ବାହୀ ଯନ୍ତ୍ରୀ, ୪୩ କର୍ମଚାରୀ, ୪ ଜଣ ସହକାରୀ ଯନ୍ତ୍ରୀ, ୪ ଜଣ କନିଷ୍ଠ ଯନ୍ତ୍ରୀ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧିତ ଖବର