କେନ୍ଦୁଝର ଜିଲ୍ଲା ଓକିଲ ସଂଘ ନିର୍ବାଚନ: ଆଶିଷ ସଭାପତି, ଆଲୋକ ସମ୍ପାଦକ ଓ ସମ୍ବିତ ଯୁଗ୍ମ ସମ୍ପାଦକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଓକିଲ ସଂଘ ନିର୍ବାଚନ ଆଜି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ମୋଟ ୩୮୨ଜଣ ସଦସ୍ୟଙ୍କ ମଧ୍ୟରୁ ୩୬୬ଜଣ ମତଦାନ କରିଥିଲେ। ସଭାପତିଭାବେ ଆଶିଷ ଚକ୍ରବର୍ତ୍ତୀ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଚକ୍ରବର୍ତ୍ତୀ ୨୫୧ ଖଣ୍ଡ ଭୋଟ୍‌ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ଅଶୋକ କୁମାର ଦାସ ୧୧୦ଟି ଭୋଟ୍‌ ପାଇଛନ୍ତି। ଉପସଭାପତିଭାବେ ରବୀନ୍ଦ୍ର କୁମାର ସେଠୀ ନିର୍ବାଚିତ ହୋଇଛନ୍ତି। ରବୀନ୍ଦ୍ର ୧୬୬ଟି ଭୋଟ୍‌ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସେକ୍‌ ଶାହାବୁଦ୍ଦିନ ୧୬୫ଟି ଭୋଟ୍‌ ପାଇଛନ୍ତି।

ରୋଚକ କଥା ଯେ, ଗତ ନିର୍ବାଚନରେ ଶାହାବୁଦ୍ଦିନଙ୍କଠାରୁ ରବୀନ୍ଦ୍ର ଗୋଟିଏ ଭୋଟରେ ପରାଜିତ ହୋଇଥିଲେ। ଏଥର ଗୋଟିଏ ଭୋଟରେ ରବୀନ୍ଦ୍ର ପୁରୁଣା ପ୍ରତିଦ୍ୱନ୍ଦ୍ବୀ ଶାହାବୁଦ୍ଦିନଙ୍କୁ ହରାଇଛନ୍ତି। ସମ୍ପାଦକଭାବେ ଆଲୋକ କୁମାର ମହାନ୍ତ ନିର୍ବାଚିତ ହୋଇଛନ୍ତି। ସେ ୨୬୦ ଖଣ୍ଡ ଭୋଟ୍‌ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିନିତା ଦାଶ ୯୮ଟି ଭୋଟ୍‌ ପାଇଛନ୍ତି। ଦୁଇଟି ଯୁଗ୍ମ ସମ୍ପାଦକ ପଦବିପାଇଁ ସମ୍ବିତ କୁମାର ନାୟକ ୧୬୬ଟି ଏବଂ ଅନ୍ତର୍ଯ୍ୟାମୀ ସାହୁ ୧୫୦ଟି ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। ନିକଟତମ ପ୍ରତିଦ୍ୱନ୍ଦ୍ବୀ ସୁନୀଲ କୁମାର ମହାନ୍ତ ୧୪୮ଟି ଭୋଟ୍‌ ପାଇଛନ୍ତି। ୫ଟି କାର୍ଯ୍ୟକାରୀ ସଦସ୍ୟ ପଦବିପାଇଁ ଅନିଲ କୁମାର ନନ୍ଦ, ସନ୍ତୋଷ କୁମାର ଦାସ, ତାରିଣୀ ପ୍ରସାଦ ପୋଥାଳ, ବିଶ୍ୱରଞ୍ଜନ ସାହୁ, ହଳଧର ମହାନ୍ତ ବିଜୟୀ ହୋଇଛନ୍ତି।

ଆଜି ସକାଳ ୮ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ୪ଟାରେ ଗଣତି ଆରମ୍ଭ ହୋଇଥିଲା। ନିର୍ବାଚନ ଅଧିକାରୀ ଗୋପାଳକୃଷ୍ଣ ପରିଡ଼ା ଓ ସହ ନିର୍ବାଚନ ଅଧିକାରୀ ଜ୍ଞାନେନ୍ଦ୍ରନାଥ ଜେନା, ଅଜୟ ନାଥ, ଦେବାଶିଷ ରଣା, ହିମାଂଶୁ ମହାନ୍ତି, ନିର୍ମଳ ବଳ, କରୁଣାକର ବ୍ରହ୍ମ ନିର୍ବାଚନ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ଗତ ଡିସେମ୍ବର ୧୨ ତାରିଖରେ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଶିଷ ସଭାପତି ଏବଂ ଆଲୋକ ସମ୍ପାଦକଭାବେ ନିର୍ବାଚିତ ହୋଇଥିଲେ।

ଚମ୍ପୁଆ ଓକିଲ ସଂଘ ନିର୍ବାଚନ : ରମାକାନ୍ତ ସଭାପତି, ପ୍ରିୟନାଥ ସମ୍ପାଦକ

ଚମ୍ପୁଆ ଓକିଲ ସଂଘର ନିର୍ବାଚନ ଆଜି ଅନୁଷ୍ଠିତ ହୋଇଛି। ରମାକାନ୍ତ କର ସଭାପତିଭାବେ ବିଜୟୀ ହୋଇଛନ୍ତି। ସେ ୪୯ ଖଣ୍ଡ ଭୋଟ୍‌ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସଞ୍ଜୟ କୁମାର ଗିରି ୩୮ଟି ଭୋଟ୍‌ ପାଇଥିଲେ। ସମ୍ପାଦକଭାବେ ପ୍ରିୟନାଥ ପତି ବିଜୟୀ ହୋଇଛନ୍ତି। ସେ ୪୪ଟି ଭୋଟ୍‌ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜୟ କୁମାର ପ୍ରଧାନ ୪୩ ଖଣ୍ଡ ଭୋଟ୍‌ ପାଇଛନ୍ତି। ଉପସଭାପତିଭାବେ ରୋହିତ କୁମାର ବୈଦ୍ୟ ୪୯ ଖଣ୍ଡ ଭୋଟ୍‌ ପାଇ ନିର୍ବାଚିତ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସଞ୍ଜୀବ କୁମାର ମହାନ୍ତ ୩୮ ଖଣ୍ଡ ଭୋଟ୍‌ ପାଇଥିଲେ। ସର୍ବମୋଟ ୯୨ଜଣ ସଦସ୍ୟଙ୍କ ମଧ୍ୟରୁ ୮୭ଜଣ ମତଦାନ କରିଥିବା ନିର୍ବାଚନ ଅଧିକାରୀ ବିଷ୍ଣୁଚରଣ ରାଠୋର ସୂଚନା ଦେଇଛନ୍ତି। ସହସଂପାଦକ ରଶ୍ମିରଞ୍ଜନ ବେହେରା ଓ କୋଷାଧ୍ୟକ୍ଷଭାବେ ଶରତ ଚନ୍ଦ୍ର ପ୍ରଧାନ ପୂର୍ବରୁ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର