କେନ୍ଦୁଝର: ଚାଷୀ ଧାନ ବିକି ପାରୁ ନାହିଁ। ହଜାର ହଜାର କୁଇଣ୍ଟାଲ ଧାନ ମଣ୍ଡିରେ ପଡ଼ିଛି। ଏଭଳି ସ୍ଥିତିରେ ଆଜି ଚାଷୀମାନେ ଏକାଠି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୃଷିର ବିକାଶ ପାଇଁ ରାଜ୍ୟ ସରକାର ‌ସେପରି କିଛି ଆଖି ଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ଏପରିକି ପୂର୍ବରୁ ଥିବା କୃଷିର ଭିତ୍ତିଭୂମିର ମଧ୍ୟ ବିକାଶ କରିନାହିଁ। ନା ଜଳସେଚନ କରିଛନ୍ତି ନା ଚାଷୀଙ୍କୁ ଆବଶ୍ୟକ ମୁତାବକ ବିହନ, କୀଟନାସକ, ସାର ଦେଇଛନ୍ତି। ଏହା ସତ୍ତ୍ବେ ନିଜ ପ୍ରୟାସରେ ଚାଷୀ ବହୁ କଷ୍ଟ କରି ଧାନ ଅମଳ କରିଛନ୍ତି। ହେଲେ ବର୍ତ୍ତମାନ ଚାଷୀଙ୍କ ଧାନକୁ ସରକାର କିଣୁ ନଥିବା ଦୁର୍ଭାଗ୍ୟ ଜନକ ଅଟେ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମହେଶ୍ବର ସାହୁ ପ୍ରକାଶ କରିଛନ୍ତି।

Advertisment

ସେ କହିଥିଲେ ସରକାର ଧାନ ସର୍ବନିମ୍ନ ସହାୟତା ମୂଲ୍ୟ ୧୮୬୮ ଟଙ୍କା ଧାର୍ଯ୍ୟ କରିଛନ୍ତି। ସରକାର ଧାନ ନେଉ ନଥିବା ବେଳେ ଅଭାବୀ ଚାଷୀମାନେ ସେମାନଙ୍କ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଦଲାଲକୁ ୧୨ ଶହ ଟଙ୍କାରେ ବିକ୍ରି କରି ବହୁ କ୍ଷତି ସହୁଛନ୍ତି । ବିଭିନ୍ନ ଲ୍ୟାମ୍ପସ ପକ୍ଷରୁ ଚାଷୀଙ୍କୁ ‌ଟୋକନ ଦିଆଯାଉଛି। ଯାହାର ଅବଧି ମାତ୍ର ୧ ମାସ ରହୁଥିବା ବେଳେ ବହୁ ଚାଷୀଙ୍କ ଧାନ ବିକ୍ରି କରିବାର ସମୟ ଅବଧି ସରିଯାଇଛି। ଆଉ ବହୁ ଚାଷୀଙ୍କ ଧାନ ବିକ୍ରି କରିବାର ସମୟ ଅବଧି ୫/୬ ଦିନରେ ସରିଯିବ। ତେଣୁ ଚାଷୀମାନେ ଚିନ୍ତାରେ ପଡିଚନ୍ତି। ତାଙ୍କ ଅମଳ ଧାନକୁ କଣ କରିବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଆଜି ବିଜେପି ନେତୃତ୍ବରେ ଘସିପୁର, ତେଲକୋଇ ନିର୍ବାଚନ ମଣ୍ଡଳୀର ୫ ଶହରୁ ଅଧିକ ଚାଷୀ ସ୍ଥାନୀୟ କାଳୀପଡିଆରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଏକ ବିକ୍ଷୋଭ ସଭାର ଆୟୋଜନ ହୋଇଥିଲା। ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ସାହୁ ଏଥିରେ ସଭାପତିତ୍ବ କରିବା ସହିତ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ ଛାଡିଥିଲେ। ଚାଷୀଙ୍କୁ ଧାନ କୁଇଣ୍ଟାଲ ୧୮୬୮ ଟଙ୍କା ପ୍ରଦାନ କରିବା ସହିତ ପ୍ରତି କୁଇଣ୍ଟାଲରେ କଟାଯାଉଥିବା ୫/୬ କେଜି ବନ୍ଦ କରିବା ସହିତ କେନ୍ଦ୍ର ସରକାର ଦେଉଥିବା ବସ୍ତାର ମୂଲ୍ୟ ମଧ୍ୟ ଚାଷୀଙ୍କୁ ପ୍ରଦାନ କରାଯାଉ ବୋଲି କହିଥିଲେ।

ଘସିପୁରା ବ୍ଲକ ଦେଓଗାଁ ସୋସାଇଟିର ଧାନ ମଣ୍ଡିରେ ୨୦୨୦-୨୧ ଖରିଫ୍ ଚାଷ ପାଇଁ ଚାଷୀଙ୍କ ନାମ ରେଜିଷ୍ଟ୍ରେସନ ସମୟରେ ଦୂର ଅଞ୍ଚଳର ଭାଗ ଚାଷୀମାନଙ୍କ ନାମ ପଞ୍ଜୀକରଣ କରି ମଣ୍ଡିରେ ଧାନ କିଣାଯାଉଥିବା ଅଭିଯୋଗ କରାଯାଇଥିଲା। ବିଭିନ୍ନ ଅଞ୍ଚଳର ଚାଷୀ ଦେଓଗାଁ ସୋସାଇଟିରେ ତାଙ୍କ ନାମ ପଞ୍ଜୀକରଣ ସଂପର୍କରେ ଜାଣି ନଥିବାବେଳେ ବସନ୍ତପୁରା, ପାହାଡପୁର, ଇନ୍ଦୁପୁରା, ଭଗାମୁଣ୍ଡା ଆଦି ଅଞ୍ଚଳର କେତେକ ଚାଷୀ ଚଞ୍ଚକତାର ଶିକାର ହୋଇଥିବା ଅଭିଯୋଗ କରାଯାଇଥିଲା।

publive-image

ବିଜେପି କୃଷକମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମହେଶ୍ୱର ସାହୁ, ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଦୁ, ଘସିପୁରା ନିର୍ବାଚନ ମଣ୍ଡଳୀର ପୃଥ୍ବୀରାଜ କୁଅଁର, ପାଟଣା ନିର୍ବାଚନ ମଣ୍ଡଳୀର ଭବାନୀ ଶଙ୍କର ନାଏକ, ଭାଜପା କୃଷକମୋର୍ଚ୍ଚା ଜିଲ୍ଲା ସଭାପତି ଅନନ୍ତ ସାହୁ, ଯୁବ ବିଜେପି ଜିଲ୍ଲା ସଭାପତି ହେମରଞ୍ଜନ ବାରିକ, ଜିଲ୍ଲା ଉପ ସଭାପତି ଗୋପିନାଥ ରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ, କେନ୍ଦୁଝର ନଗରମଣ୍ଡଳ ସଭାପତି ବିଶ୍ୱଜିତ ତ୍ରିପାଠୀ, ଢ଼େଙ୍କିକୋଟ ଅଞ୍ଚଳର ବିଜେପି ନେତା ଜିତେନ୍ଦ୍ର ପଲେଇ, ହରିଚନ୍ଦନପୁର ଅଞ୍ଚଳର ଅଭୟ ରଥଙ୍କ ସମେତ ବିଜେପି ନେତା ଜଳଧର ସାହୁ, ପ୍ରଦୀପ କୁମାର ପଣ୍ଡା, ସୁଶାନ୍ତ ସାହୁ, ବିକ୍ରମ ସାହୁ, ସରୋଜ ସାହୁ, ଦିଲ୍ଲୀପ କୁମାର ପଣ୍ଡାଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ସାମିଲ ଥିଲେ।

ସେହିପରି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଧୀନସ୍ଥ ଚେମଣା ଲ୍ୟାମ୍ପ୍ସରେ ଧାନ କିଣାରେ ଅନିୟମିତତା ହୋଇଥିବାର ଆଜି ଜିଲ୍ଲାପାଳଙ୍କ ନିକଟରେ ଚାଷୀ ଅଭିଯୋଗ କରିଛନ୍ତି । ଚେମଣା ଲ୍ୟାମ୍ପ୍ସରୁ ସ୍ଥାନୀୟ ଚାଷୀମାନେ ଋଣ କରି ଧାନ ଚାଷ କରିଥିଲେ । ସେଥିରୁ ଯାହା ଉତ୍ପାଦନ ହେଲା ଚେମଣା ଲ୍ୟାମ୍ପ୍ସରେ ଧାନ ବିକ୍ରୟ ପାଇଁ ଚାଷୀମାନେ ନାମ ପଞ୍ଜିକରଣ କରିଥିଲେ । କିନ୍ତୁ ଡିସେମ୍ବର ମାସଠାରୁ ପ୍ରତ୍ୟେକ ସୋମବାର ସେଠାରେ ଧାନ କିଣାଯାଉଥିଲା । ଚାଷୀମାନେ ଏମ୍‌ଡିଙ୍କୁ ଧାନ କିଣା ସଂପର୍କରେ ପଚାରିଲେ ଚାଷୀଙ୍କ କ୍ରମିକ ନମ୍ବର ଅନୁସାରେ ଧାନ କିଣା ଯାଉଛି ବୋଲି କହୁଥିଲେ। ଏଭଳି ପରିସ୍ଥିତିରେ ଧାନ କିଣା ଟାର୍ଗେଟ ସରିଯାଇଛି ବୋଲି ଲ୍ୟାମ୍ପ୍ସ କର୍ତ୍ତୃପକ୍ଷ କହୁଥିବାବେଳେ ଚାଷୀ ପାଇଥିବା ଟୋକନ ଠାରୁ ବହୁ ପଛରେ ଥିବା ଟୋକନଧାରୀ ଚାଷୀଙ୍କ ଧାନ କିଣାଯାଇ ଠକେଇ ଚାଲିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ଋଣ ପରିଶୋଧ କରିବାରେ ମଧ୍ୟ ସମସ୍ୟା ଭୋଗୁଥିବା ସେମାନେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ସଂପୃକ୍ତ ଲ୍ୟାମ୍ପ୍ସ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଉକ୍ତ ଲ୍ୟାମ୍ପ୍ସ ଅଞ୍ଚଳର ଚାଷୀଙ୍କଠାରୁ ଧାନ କିଣା ବ୍ୟବସ୍ଥା କରିବାକୁ ଦାବି ଜଣାଇଛନ୍ତି ।