ଜାମିନ ମିଳୁନି : ସାମାନ୍ୟ ଗାଳି ପାଇଁ ୧୫ ଦିନ ହେଲା ଜେଲ୍‌ରେ ଶଢ଼ୁଛନ୍ତି ଗଣେଶ୍ବର

କେନ୍ଦୁଝର : ପାଟଣା ବ୍ଲକ ସିଲିଯୋଡ଼ାର ଗଣେଶ୍ବର ମହାନ୍ତ। ତାଙ୍କ ବିରୋଧରେ ରହିଛି ୩୪୧,୨୯୪ ଏବ˚ ୩୨୪ ଦଫା। ଆଇନଜୀବୀ ଅଶୋକ ଦାସ କହନ୍ତି, ଦଫା ୩୪୧ ହେଉଛି ବେଆଇନ ଭାବେ ଅଟକେଇବା, ୨୯୪ ହେଉଛି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଓ ୩୨୪ ଦଫା -ଆଘାତ ଦେବା। ଏହି ସବୁ ଦଫା ଜାମିନଯୋଗ୍ୟ। ସାଧାରଣତଃ ଏହି ସବୁ ଦଫା ଲାଗିଥିଲେ ତୁରନ୍ତ ଜାମିନ ମିଳିଯାଏ। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ଗତ ୧୨ ତାରିଖରୁ ଗଣେଶ୍ବର ଜେଲ୍‌ରେ ଅଛନ୍ତି। ଜାମିନ ମିଳୁନି।

ସେହିପରି କରଞ୍ଜିଆର ଶରତ ଚନ୍ଦ୍ର ମହାନ୍ତ। ଗତ ସେପ୍ଟେମ୍ବର ୨୪ ତାରିଖରୁ ଜେଲ୍‌ରେ ଅଛନ୍ତି। ତାଙ୍କ ବିରୋଧରେ ମଧୢ ଜାମିନଯୋଗ୍ୟ ଦଫା ୩୪୧, ୨୯୪ ଓ ୩୨୪ ଲାଗିଛି। ସେ ମଧ୍ୟ ଓକିଲ ଆନ୍ଦୋଳନ ଯୋଗୁଁ ବାହାରି ପାରୁନାହାନ୍ତି।

ଖାଲି ଗଣେଶ୍ବର କି ଶରତ ନୁହନ୍ତି, ଏଭଳି ବହୁ ବିଚାରାଧୀନ ବନ୍ଦୀ ଅଛନ୍ତି, ଯେଉଁମାନେ ଜାମିନ ପାଇବାକୁ ଯୋଗ୍ୟ ଥିଲେ ବି ସେମାନଙ୍କୁ ଜାମିନ ମିଳୁନାହିଁ। ଅଗଷ୍ଟ ୨୯ ରୁ ଚାଲିଥିବା ଓକିଲଙ୍କ ଆନ୍ଦୋଳନର ପ୍ରଭାବ ଏତିକିରେ ସୀମିତ ନାହିଁ। ଏହାର ଚାପ ଜେଲ୍‌ ଉପରେ ମଧ୍ୟ ପଡ଼ିଛି। କେନ୍ଦୁଝର ଜିଲ୍ଲା କାରାଗାର ଏବେ ବନ୍ଦୀଙ୍କ ବୋଝରେ ଭାରାକ୍ରାନ୍ତ ହେଲାଣି। ଜେଲ୍‌ର କ୍ଷମତାଠାରୁ ବହୁ ଅଧିକ ବନ୍ଦୀ ହୋଇଗଲେଣି।

ପୂର୍ବରୁ କେନ୍ଦୁଝର ଜିଲ୍ଲା ଜେଲ୍‌ର କ୍ଷମତା ଥିଲା ୪୦୭। ଏଥିମଧ୍ୟରେ ୩୮୦ ଜଣ ପୁରୁଷ ଓ ୨୭ ଜଣ ମହିଳା ବନ୍ଦୀଙ୍କ ରହିବା ବ୍ୟବସ୍ଥା ଥିଲା। ଦୁଇ ମାସ ପୂର୍ବେ ଏଠାରେ ଅଧିକ ୨୦୦ ବନ୍ଦୀଙ୍କ ରହିବା ବ୍ୟବସ୍ଥା ପରେ କ୍ଷମତା ୬୦୭କୁ ବୃଦ୍ଧି ପାଇଛି। ମାତ୍ର ଏବେ ଜେଲ୍‌ରେ ରହୁଛନ୍ତି ୬୮୪ ଜଣ। ପୁରୁଷ ବନ୍ଦୀ ୬୫୬ ଥିବା ବେଳେ ୨୮ ଜଣ ମହିଳା ବନ୍ଦୀ ରହିଛନ୍ତି। ସେହିପରି ୪ଜଣ ଶିଶୁ ମଧୢ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକେ ଅଭିଯୁକ୍ତ ଜାମିନଯୋଗ୍ୟ ମାମଲାରେ ଅଛନ୍ତି।

ଅନ୍ୟପଟେ ଜିଲ୍ଲା ଜେଲ୍‌ରେ ଏବେ ୨୩୦ ଜଣ ଦୋଷୀସାବ୍ୟସ୍ତ ବନ୍ଦୀ ଥିଲାବେଳେ ସେଥିମଧୢରୁ ୧୫୬ ଜଣ ଆଜୀବନ ବନ୍ଦୀ। ଏହାଛଡ଼ା ବହୁ ହାଇ ପ୍ରୋଫାଇଲ ବନ୍ଦୀ ମଧ୍ୟ ଅଛନ୍ତି। ଗ୍ରାହାମ ଷ୍ଟେନ୍‌ସ୍ ହତ୍ୟାକାଣ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦାରା ସି˚, ଉଲିବୁରୁ ଖଣି ମହାଦୁର୍ନୀତିର ଅଭିଯୁକ୍ତ ଦୀପକ ଗୁପ୍ତା ଏବ˚ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ମଧ୍ୟ ବନ୍ଦୀ ଭାବେ ରହିଛନ୍ତି।

ସମ୍ବନ୍ଧିତ ଖବର