ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ପଞ୍ଚାୟତ କଞ୍ଚନପୁରଠାରେ ଥିବା ଲାଗୁରୀ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ୨ ଲକ୍ଷ ୪୪ ହଜାର ଟଙ୍କା ଲୁଟ୍ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୨ ଟା ୩୦ ମିନିଟରେ ଲାଗୁରୀ ପେଟ୍ରୋଲ ପମ୍ପରେ ଆଠଜଣ ଦୁର୍ବୃତ୍ତ ପହଞ୍ଚି ସେଠାରେ ଥିବା ତିନିଜଣ କର୍ମଚାରୀ ହରିଶ ତାସମୟ, ସୁରଜ ଲୁଗୁନ ଓ ରାଜେଶ ମୁଣ୍ଡାଙ୍କୁ ବନ୍ଧୁକ ଦେଖାଇ ଗୋଟିଏ ଘରେ ଭର୍ତ୍ତି କରି ବାହାର ପଟୁ ତାଲା ପକାଇ ଦେଇଥିଲେ। ଅଧା ଖୋଲା ଥିବା ପେଟ୍ରୋଲ ପମ୍ପ୍‌ର ସଟର ଟେକି କ୍ୟାସ କାଉଣ୍ଟରରେ ଥିବା ୨ ଲକ୍ଷ ୪୪ ହଜାର ୯ ଶହ ଟଙ୍କା, ପେଟ୍ରୋଲ ପମ୍ପ ସିସିଟିଭିର ହାର୍ଡ ଡିସ୍କ ସହିତ କର୍ମଚାରୀଙ୍କ ତିନୋଟି ମୋବାଇଲ ଫୋନ୍‌କୁ ମଧ୍ୟ ଲୁଟି ନେଇଥିଲେ।

Advertisment

ରାତିରେ ପେଟ୍ରୋଲ ପମ୍ପରେ ତିନିଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ଅନ୍ୟଏକ ଘରେ ତିନିଜଣ କର୍ମଚାରୀ ଶୋଇଥିଲେ। ଡକାୟତି ଖବର ପାଇ ରିମୁଳି ପଟରେ ଥିବା ଚମ୍ପୁଆ ପୁଲିସର ପାଟ୍ରୋଲିଂ ଗାଡ଼ି ପହଞ୍ଚିଥିଲା। ସେତେବେଳକୁ ଡକାୟତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପେଟ୍ରୋଲ ପମ୍ପ ମାଲିକ ଯୁଗଳ ଚାତମ୍ବା ଏନେଇ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି। ଚମ୍ପୁଆ ପୁଲିସ ଥାନାରେ କେସ ନମ୍ବର ୨୦୪/୨୪ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ପୁଲିସ ପେଟ୍ରୋଲ ପମ୍ପରେ ପହଞ୍ଚି ତନାଘନା କରିବା ସହ ଡକାୟତମାନଙ୍କୁ ଧରିବା ପାଇଁ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିଛି।
ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଏହି ପମ୍ପ୍‌ରେ ଡକାୟତି ଉଦ୍ୟମ ହୋଇଥିଲା। ସେଠାରେ ଡ୍ୟୁଟିରେ ଥିବା କର୍ମଚାରୀ କୌଶଳକ୍ରମେ ଏହାକୁ ପଣ୍ଡ କରିଥିଲେ।