କେନ୍ଦୁଝର: ନାବାଳିକା ଅସଦାଚରଣ ମାମଲାର ବିଚାର କରି ସ୍ୱତନ୍ତ୍ର କୋର୍ଟ (ପୋକ୍ସୋ) ବିଚାରପତି ବିଜୟ କୁମାର ମିଶ୍ର ଦୁଇ ଅଭିଯୁକ୍ତଙ୍କୁ ତିନିବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ସେମାନେ ହେଲେ ବୁଲୁ ପାତ୍ର ଓ ରୁଦ୍ର ଦେହୁରୀ। ଉଭୟଙ୍କ ଘର କରଞ୍ଜିଆ ଥାନା ଅଞ୍ଚଳରେ। ଧାରା ୩୫୪/୩୪, ୮ ‌ପୋକ୍ସୋ ଆକ୍ଟରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଛି। ଏଥିସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ଦୁଇମାସ ଜେଲ୍‌।

Advertisment

୨୦୧୫ ଡିସେମ୍ବର ୧୬ରେ ଏକ ନମ୍ବର ବିହୀନ ଗାଡ଼ିରେ ଦୁଇ ଅଭିଯୁକ୍ତ ନାବାଳିକାଙ୍କ ଗ୍ରାମ ମାନପୁରକୁ ସନ୍ଧ୍ୟା ସମୟରେ ଆସିଥିଲେ। ନାବାଳିକାଙ୍କୁ ଅପହରଣ ପାଇଁ ଟଣାଓଟରା କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ନାବାଳିକାଙ୍କ ଦାଦା ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ତୁରୁମୁଙ୍ଗା ପୁଲିସ କେସ୍‌ ନମ୍ବର ୧୨୨/୨୦୧୫ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ସାକ୍ଷୀଙ୍କ ବୟାନ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।