ଘଟଗାଁ: ଓଡ଼ିଶାର ପ୍ରମୂଖ ପର୍ଯ୍ୟଟନସ୍ଥଳ ଘଟଗାଁ ମା ତାରିଣୀ ପୀଠକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ମା ତାରିଣୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ଏଠାରେ ସମୟ ବିତାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ଛଅବର୍ଷ ତଳେ ଏଠାରେ ଏକ ପ୍ଲାନେଟାରିଅମ ଓ ସାଇନ୍ସ ପାର୍କ ନିର୍ମାଣ କରିବାକୁ ସ୍ଥିର କରିଥିଲେ। ୨୦୧୯ ଫେବ୍ରୁଆରି ୩ ତାରିଖରେ ଏଥିପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହାପରେ ଟେଣ୍ତର କରାଯାଇ କାମ ହୋଇଥିଲେ ମଧ୍ୟ ଏହି ପ୍ରକଳ୍ପ ଏଯାଏ ସମ୍ପୂର୍ଣ୍ଣ ହୋଇନି। ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ନ ବସିବା ଓ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ନଥିବାରୁ ଏହା କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି।

Advertisment

publive-image
ଘଟଗାଁ ବ୍ଲକ୍‌ କାର୍ଯ୍ୟାଳୟଠାରୁ ମାତ୍ର ୧.୫ କିମି ଦୂର ୨୦ ନମ୍ବର ଜାତୀୟ ରାଜପଥର କୁସୁନପୁର ଗ୍ରାମରେ ୮ ଏକରରୁ ଅଧିକ ଜମିରେ ପ୍ଲାନେଟାରିଅମ ଓ ସାଇନ୍ସ ପାର୍କ ନିର୍ମାଣ କାର୍ଯ୍ୟ ଚାଲିଛି। ଜାତୀୟ ପ୍ରକଳ୍ପ ନିର୍ମାଣ ନିଗମ ପକ୍ଷରୁ ଭୁବନେଶ୍ବରସ୍ଥିତ ସରୋଜ କନଷ୍ଟ୍ରକସନ ନାମକ ଏକ ସଂସ୍ଥା ଏହାର ନିର୍ମାଣ କାର୍ଯ୍ୟ କରୁଛି। ପ୍ଲାନେଟାରିଅମ କୋଠା, ପାଚେରି ନିର୍ମାଣ ସହ ପ୍ରୋଜେକ୍ଟର ସ୍ଥାପନ ହୋଇସାରିଲାଣି। ଇଂଲଣ୍ତର ଦୁଇଜଣ ଅଭିଜ୍ଞ ଟେକ୍ନିସିଆନ ଏହା ସ୍ଥାପନ କରି ପ୍ରାଥମିକ ଭାବେ ପରୀକ୍ଷା ଶେଷ କରିଛନ୍ତି। ତେବେ ପ୍ଲାନେଟାରିଅମ କାର୍ଯ୍ୟକ୍ଷମ କରିବା ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ବସାଇବାର ଆବଶ୍ୟକତା ରହିଛି। ଏଯାଏ ତାହା ବସି ପାରିନି। ସେହିପରି ପ୍ଲାନେଟାରିଅମ ଜମି ଦେଇ ୧୧ କେଭି ବିଦ୍ୟୁତ୍‌ ତାର ଯାଇଛି। ଏହାକୁ ହଟାଇବା ପାଇଁ ବିଭାଗ ବହୁବାର ଚିଠି ଲେଖା ଯାଇଥିଲେ ମଧ୍ୟ ବିଦ୍ୟୁତ୍‌ ଖୁଣ୍ଟ ତାର ଅନ୍ୟତ୍ର ସ୍ଥାନାନ୍ତର କରାଯାଉନି।
ସେହିପରି ଇଣ୍ଟରନେଟ ସଂଯୋଗ ମଧ୍ୟ ଦିଆଯାଇଥିବା ନଥିବା ଜଣାପଡ଼ିଛି। ବର୍ତ୍ତମାନ ଠିକାସଂସ୍ଥା ନିଜର ଏକ ଡିଜି ଲଗାଇ କାମ କରୁଛି। ସେହିପରି ସାଇନ୍ସ ପାର୍କ ନିର୍ମାଣ କାର୍ଯ୍ୟ ଏବେ ଆରମ୍ଭ ହୋଇଛି। ରାସ୍ତା କାମ ଶେଷ ହେବା ପରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ପାର୍କରେ ବିଭିନ୍ନ କିସମର ଗଛ ଲଗାଯିବା ସହ ଘାସ ବିଛା କାମ ଚାଲିଛି। ପିଲାଙ୍କ ଏକାଧିକ ଦୋଳି, ଜ୍ଞାନ ଆହରଣ ନେଇ ପାଇଁ ବିଭିନ୍ନ ଯନ୍ତ୍ରପାତି ବସାଯାଉଥିବା ଦେଖିବାକୁ ମିଳିଛି। ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ଉକ୍ତ ଜମିର ପଟ୍ଟା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ। ଏବେ ବି ଏହି ଜମି ସରକାରୀ ଖାତାରେ ରହିଛି। ସେହିପରି ପ୍ରକଳ୍ପ ପାଇଁ ଟାଉନ ପ୍ଲାନିଂ ମଂଜୁରି ମଧ୍ୟ ମିଳି ନଥିବା ଜଣାପଡ଼ିଛି। ଏହି ଜମିରେ ଆଦିବାସୀଙ୍କ ଠାକୁରାଣୀ ଶାଳ ରହିଛି। ତେଣୁ ଲୋକେ ଶାଳର ଚତୁପାର୍ଶ୍ବରେ ପାଚେରି ନିର୍ମାଣ କରି ଏକ ଛୋଟ ମନ୍ଦିର କରିବାକୁ ଦାବି କରୁଛନ୍ତି। କାମ ଠିକ୍‌ଠାକ୍‌ ଚାଲିଲେ ଓ ପ୍ରଶାସନର ସହଯୋଗ ମିଳିଲେ ପ୍ଲାନେଟାରିଅମ କାର୍ଯ୍ୟକ୍ଷମ ହେବାକୁ ଆଉ ୬ ମାସ ଲାଗିବ ବୋଲି ଠିକାସଂସ୍ଥା ପକ୍ଷରୁ କୁହାଯାଇଛି।