ରଜ ସଂକ୍ରାନ୍ତିରେ ମା’ ତାରିଣୀଙ୍କ ସୁନାବେଶ:ଦର୍ଶନ କଲେ ୫୦ ହଜାର ଶ୍ରଦ୍ଧାଳୁ

ଘଟଗାଁ: ପବିତ୍ର ରଜ ସଂକ୍ରାନ୍ତି ଅବସରରେ ଆଜି ମା’ ତାରିଣୀ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁ ମା’ଙ୍କ ସୁନାବେଶ ଦର୍ଶନ କରିବା ସହ ନୈବେଦ୍ୟ ଅର୍ପଣ କରି ପୂଜା କରିଥିଲେ। ଆଜି ବଡ଼ିଭୋର୍‌ ସକାଳୁ ବରିଷ୍ଠ ପୂଜକ ରାଜକିଶୋର ଦେହୁରୀ, ଶ୍ୟାମସୁନ୍ଦର ଦେହୁରୀ, ଯଯାତି ଦେହୁରୀ, ସଦାନନ୍ଦ ଦେହୁରୀଙ୍କ ସମେତ ୧୫ ରୁ ଅଧିକ ପୂଜକ ମା’ ତାରିଣୀଙ୍କ ଷୋଡ଼ଶ ଉପଚାର କରିବା ସହ ମଙ୍ଗଳ ଆଳତି, ବଡ଼ସିଂହାର ପୂଜା କରିଥିଲେ। ଏହାପରେ ମା’ଙ୍କ ସୁନାବେଶ କରାଯାଇଥିଲା। ସକାଳ ୬ଟାରେ ପହଡ଼ ଖୋଲିବାମାତ୍ରେ ଶ୍ରଦ୍ଧାଳୁମାନେ ଲମ୍ବାଧାଡ଼ିରେ ଭୋଗଡାଲା ଧରି ଠିଆହୋଇଥିଲେ। ସକାଳ ୯ଟା ବେଳକୁ ମନ୍ଦିର ପରିସରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଧାଡ଼ି ଲମ୍ବି ଯାଇଥିଲା।
ଶୃଙ୍ଖଳିତ ଦର୍ଶନ ପାଇଁ ମା ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ବାରିକେଡ୍‌ ବ୍ୟବସ୍ଥା ସହ ବ୍ୟାପକ ପୁଲିସ ନିୟୋଜିତ କରାଯାଇଥିଲା। ଆଜି ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ମନ୍ଦିର ପ୍ରଶାସନ ପକ୍ଷରୁ ‘ଅନୁଭୂତିରେ ମା’ ତାରିଣୀ’ ତଥା ଅଙ୍ଗେନିଭା କଥା ଉପରେ ଆଧାରିତ ପତିି୍ରକା ବଣ୍ଟନ କରାଯାଇଥିଲା। ରଜ ପର୍ବ କେନ୍ଦୁଝର ଗଡ଼ଜାତ ଅଞ୍ଚଳର ଏକ ଗଣପର୍ବ ଓ ରଜ ସଂକ୍ରାନ୍ତିର ପରମ୍ପରା ଓ ଐତିହ୍ୟକୁ ନେଇ ଆଜି ମା’ଙ୍କ ପୀଠ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିଲା। ଭିଡ଼ କାରଣୁ ବହୁଭକ୍ତ ସକାଳ ଦର୍ଶନ କରିନପାରି ଉପରବେଳାକୁ ଅପେକ୍ଷା କରିଥିଲେ। ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ବରିଷ୍ଠ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ନିର୍ମଳ କୁମାର ମହାନ୍ତି, ଦୟାନିଧି ମହାନ୍ତ, ଆନନ୍ଦ ଚନ୍ଦ୍ର ସିଂହ, ମନ୍ଦିର କର୍ମଚାରୀ ଅକ୍ଷୟ କୁମାର ବେହେରା ଓ ସୁପରଭାଇଜର ଅବନୀ ଜେନା ଉପସ୍ଥିତ ରହି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର