ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ କଞ୍ଚନପୁରଠାରେ ଥିବା ଲାଗୁରୀ ପେଟ୍ରୋଲପମ୍ପରୁ ଡକାୟତି ଘଟଣାରେ ପୁଲିସ ୬ଜଣକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଯୋଡ଼ା ଥାନା କୁନ୍ଦୁରନାଲା ବସ୍ତିର ବାପି ପାତ୍ର, ରାଜୁ ମହାକୁଡ଼, ଅଜୟ କାରୁଆ, ଝାଡ଼ଖଣ୍ଡ ରାଜ୍ୟ ଜଗନ୍ନାଥପୁରର ରଞ୍ଜନ ଗୋପ, ରୁଗୁଡ଼ି ଥାନା ଅଞ୍ଚଳର ନନ୍ଦଲାଲ ପାତ୍ର, ଚମ୍ପୁଆ ଥାନା କୋଦଗାଡ଼ିଆ ଗ୍ରାମର ସୁମିତ ଲୋହାର। ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚମ୍ପୁଆ ଏସ୍‌ଡିପିଓ ବିଜୟ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।
ଗତ ୩ ତାରିଖ ରାତି ପ୍ରାୟ ସାଢ଼େ ୨ଟାବେଳେ କଞ୍ଚନପୁରଠାରେ ଥିବା ଲାଗୁରୀ ପେଟ୍ରୋଲପମ୍ପରେ ୮ଜଣ ଦୁର୍ବୃତ୍ତ ପହଞ୍ଚିଥିଲେ। କାର୍ଯ୍ୟରତ ଥିବା ତିନିଜଣ କର୍ମଚାରୀ ହରିଶ ତାମସୟ, ସୂରଜ ଲୁଗୁନ ଓ ରାଜେଶ ମୁଣ୍ଡାଙ୍କୁ ବନ୍ଧୁକ ଦେଖାଇ ଗୋଟିଏ ଘରେ ଭର୍ତ୍ତି କରି ବାହାର ପଟୁ ତାଲା ପକାଇ ଦେଇଥିଲେ। ଦୁର୍ବୃତ୍ତମାନେ ପେଟ୍ରୋଲ ପମ୍ପର କ୍ୟାସ୍‌ କାଉଣ୍ଟରରୁ ୨ ଲକ୍ଷ ୪୪ ହଜାର ୯ ଶହ ଟଙ୍କା, ସିସିଟିଭିର ହାର୍ଡଡିସ୍କ ଓ କର୍ମଚାରୀମାନଙ୍କ ମୋବାଇଲ ଫୋନ୍‌ ଛଡ଼ାଇ ନେଇଥିଲେ।

Advertisment

ଖବର ପାଇ ଚମ୍ପୁଆ ଥାନା ପାଟ୍ରୋଲିଂ ଗାଡ଼ି ପହଞ୍ଚିଲା ବେଳକୁ ଡକାୟତମାନେ ସେଠାରୁ ଫେରାର ହୋଇଯାଇଥିଲେ। ପେଟ୍ରୋଲ ପମ୍ପ ମାଲିକ ଯୁଗଳ ଚାତମ୍ବା ଏନେଇ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଯୋଡ଼ା, ବଡ଼ବିଲ ଓ ପଡ଼ୋ‌ଶୀ ଝାଡ଼ଖଣ୍ଡ ରାଜ୍ୟରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୦ ହଜାର ଟଙ୍କା, ୭ଟି ମୋବାଇଲ ଫୋନ୍‌, ୩ଟି ବାଇକ୍ ଓ ଗୋଟିଏ ବସ୍ ଜବତ ହୋଇଛି। ଖୁବ୍ ଶୀଘ୍ର ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।